ଆରୋପ ପ୍ରତ୍ୟାରୋପର ବେଳ ଏହା ନୁହେଁ
ଡ. ମନମୋହନ ବୈଦ୍ୟ
ଭାଗ – ୨
ଆଧ୍ୟାତ୍ମିକ ଭିତିକ ଭାରତୀୟ ଜୀବନର ଦୃଷ୍ଟିକୋଣ ଏକାତ୍ମ, ସର୍ବାଙ୍ଗୀନ ଏବଂ ବିଶ୍ୱବ୍ୟାପୀ । ସେଥିପାଇଁ ଶକ୍ତି ସମ୍ପର୍ଣ୍ଣ ହେଲେ ମଧ୍ୟ ଇତିହାସରେ କେବେ ବି ଭାରତ ଅନ୍ୟ ଦେଶ ଉପରେ ଯୁଦ୍ଧ ଲଦି ନାହିଁ କି ଅନ୍ୟ ଦେଶ ଉପରେ ଆକ୍ରମଣ କରିନାହିଁ । ବାଣିଜ୍ୟ କରିବା ପାଇଁ ଦୁନିଆର କୋଣ ଅନୁକୋଣକୁ ଯିବା ସତ୍ୱେ ଭାରତ କୌଣସି ଠାରେ ଉପନିବେଶ ପ୍ରତିଷ୍ଠା କରିନାହିଁ । ନା ଭାରତ ସେମାନଙ୍କୁ ଶୋଷଣ କରିଛି, ନା ସେମାନଙ୍କୁ ଲୁଣ୍ଠନ କରିଛି, ନା ଧର୍ମ ପରିବର୍ତ୍ତନ କରିଛି, ନା ସେମାନଙ୍କୁ ଗୋଲାମ ବା ଦାସ ବନାଇଛି । ବାଣିଜ୍ୟ କରିବା ପାଇଁ ଭାରତୀୟମାନେ ଏସବୁ କିଛି କରି ନାହାଁନ୍ତି । ଆମ ଲୋକମାନେ ସେଠାକାର ଲୋକଙ୍କୁ ସମ୍ପନ୍ନ କରିଛନ୍ତି, ସମୃଦ୍ଧ କରିଛନ୍ତି, ମାନବୀୟ ସଂସ୍କାର ଏବଂ ସଂସ୍କୃତି ଦେଇଛନ୍ତି । ଭାରତର ଏହି ପ୍ରାଚୀନ ସର୍ବସମାବେଶକ ବିଶ୍ୱ ଦୃଷ୍ଟିକୋଣ ହିଁ ବିଶ୍ୱରେ ଭାରତର ପରିଚୟ । ଫଳ ସ୍ୱରୂପ ଏହି ଦୃଷ୍ଟିକୋଣ ଆମର ବୈଦେଶିକ ନୀତିର ଆଧାର ହେବା ଉଚିତ ଥିଲା ।
କିନ୍ତୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ଉପରେ ବାମପନ୍ଥୀଙ୍କ ପ୍ରଭାବ ଥିଲା । ତେଣୁ ଭାରତର ବିଶ୍ୱସ୍ତରୀୟ ଆଧ୍ୟାତ୍ମିକ, ସର୍ବାଙ୍ଗୀନ ଏକାତ୍ମ ଦୃଷ୍ଟିକୋଣର ପରିଚୟକୁ ହେୟକରି ଆଧୁନିକତା ନାଆଁରେ ପାଶ୍ଚାତ୍ୟ ମରୀଚିକାର ଆକର୍ଷଣରେ ଭାରତର ବିବିଧ ନୀତିର ଦିଗ ନିର୍ଣ୍ଣୟ କରାଯାଇଥିଲା । ପରେ କଂଗ୍ରେସରେ ବାମପନ୍ଥୀମାନଙ୍କର ପ୍ରଭାବ ବଢିଯାଇଥିଲା ଏବଂ ଶେଷରେ କଂଗ୍ରେସ ବାମପନ୍ଥୀମାନଙ୍କ ପ୍ରଭାବରେ ପରିଚାଳିତ ହେଲା । ପରିଣାମ ସ୍ୱରପ ଭାରତରୁ ଭାରତ ଦୂୂରତା ବଢିବାରେ ଲାଗିଲା । ଶତାବ୍ଦୀ ଶତାବ୍ଦୀ ଧରି ବିଶ୍ୱ ଜାଣିଥିବା ଭାରତ ଏବଂ ଭାରତର ଆତ୍ମା କିମ୍ବା ପରିଚୟକୁ ଅସ୍ୱୀକାର କରିବା ପାଇଁ ନିଜକୁ ପ୍ରଗତିଶୀଳ, ଉଦାରବାଦୀ, ବୁଦ୍ଧିଜୀବୀ ବୋଲି କହିବା ଏକ ଅଭ୍ୟାସରେ ପରିଣତ ହୋଇଛି । କିନ୍ତୁ ସମାଜରେ ସତତ ଚାଲିଥିବା ସାମାଜିକ ଏବଂ ରାଷ୍ଟ୍ରୀୟ ଜାଗରଣ ହେତୁ ୨୦୧୪ ନିର୍ବାଚନରେ ଏକ ଅଣ-କଂଗ୍ରେସୀ ଦଳ ପ୍ରଥମ ଥର ପାଇଁ ଏକକ ସଂଖ୍ୟାଗରିଷ୍ଠତା ହାସଲ କରି କ୍ଷମତାକୁ ଆସିଲା । କେବଳ ଏତିକ ନୁହେଁ ସମଗ୍ର ଦେଶରେ ଚାଲୁଥିବା ସକ୍ରିୟ ସମାଜର ଏହା ମଧ୍ୟ ଏକ ବିଜୟ ଥିଲା, ଯାହା ଜଡ ସହିତ ଯୋଡିକରି ବା ଏହାର ମୂଳ ସହିତ ସଂଯୋଗ କରି ନିଜର ସାଂସ୍କୃତିକ ଐତିହ୍ୟକୁ ବର୍ତମାନର ପ୍ରସଙ୍ଗରେ ପରିଭାଷିତ କରିଥିଲା । ଏହା ଦେଶବ୍ୟାପୀ ପୁନର୍ଜାଗରଣ ପ୍ରତିଫଳନ ଥିଲା । ପ୍ରଗତିଶୀଳ ଚିନ୍ତାଧାରା ନାମରେ ଯେଉଁମାନେ ଭାରତୀୟ ସମାଜ ଉପରେ ଉପନିବେଶିକ ବିଚାର ଥୋପିବାକୁ ଚକ୍ରାନ୍ତ କରୁଥିଲେ ସେମାନଙ୍କୁ ଲୋକମାନେ ପ୍ରତ୍ୟାଖ୍ୟାନ କଲେ । ୨୦୧୯ରେ ଅଧିକ ଜନସମର୍ଥନ ସହିତ ସମାନ କାହାଣୀର ପୁନରାବୃତି ହୋଇଥିଲା । ଏହା ପଛରେ ୨୦୧୪ର ପରିବର୍ତ୍ତନର ପ୍ରେରଣା ଥିଲା ।
୧୬ ମଇ ୨୦୧୪ରେ ଲୋକସଭା ନିର୍ବାଚନର ଫଳାଫଳ ଘୋଷଣା କରାଯାଇଥିଲା ଏବଂ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହିତ ନ୍ୟାସନାଲ ଡେମୋକ୍ରାଟିକ ଆଲାଏନ୍ସ(ଏନ୍ଡିଏ) ସରକାର ଗଠନ ପାଇଁ ନିମନ୍ତ୍ରଣ ପାଇଥିଲା । ୧୮ ମଇ ‘ସଣ୍ଡେ ଗାର୍ଡିୟନ’ର ସମ୍ପାଦକୀୟ ପ୍ରକାଶ କରିଥିଲା ଯେ, “ଆଜି,୧୮ ମଇ ୨୦୧୪, ଇତିହାସରେ ଏହି ଦିନ ଉଲ୍ଲେଖନୀୟ ହୋଇ ରହିବ । ଶେଷରେ ଆଜି ବ୍ରିଟେନ ପୂର୍ଣ୍ଣରୂପେ ଭାରତ ଛାଡିଲା । ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କ ବିଜୟ ଏକ ଦୀର୍ଘ ସୁସୁପ୍ତିର ସମାପ୍ତିକୁ ଚିହ୍ନିତ କରିଥିଲା । ଏ ସମାପ୍ତି ଆଗାମୀ କ୍ଷମତାର ସଂରଚନା ଏବଂ ସ୍ୱଭାବ ପୂର୍ବ ସରକାର ଠାରୁ ଭିନ୍ନ । କଂଗ୍ରେସ ପାର୍ଟି ଅଧୀନରେ ଭାରତର ଶାସନ ବ୍ରିଟିଶ ଶାସନର ଏକ ନିରବଚ୍ଛିନ୍ନ ଶାସନ ରୂପେ ପରିଚାଳିତ ହେଉଥିଲା ।” ‘ସଣ୍ଡେ ଗାର୍ଡିୟନ’ର ସମ୍ପାଦକୀୟର ଶୀର୍ଷକ ଏହି ଉକ୍ତିକୁ ପ୍ରତିପାଦିତ କଲା ।
ଏହି ସମୟରେ ଶ୍ରୀ ଶିବ ବିଶ୍ୱନାଥନଙ୍କର ଏକ ଲେଖା ପ୍ରକାଶ ପାଇଥିଲା । ସେହି ପ୍ରବନ୍ଧରେ ଲେଖକ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସ୍ୱୀକାର କରିଛନ୍ତି । ଏହାର ଟାଇଟଲ ବା ଶୀର୍ଷକରୁ ହିଁ ସଂପୂର୍ଣ୍ଣ କଥା ଜଣା ପଡୁଥିଲା ।
ଶୀର୍ଷକ ଟି ହେଉଛି “ମୋଦୀ ମୋ ଭଳି ଲିବରାଲ”କୁ କିପରି ପରାସ୍ତ କଲେ । ଶିବ ବିଶ୍ୱନାଥନ୍ ଲେଖିଥିଲେ – “ଧର୍ମନିରପେକ୍ଷତା ଏକ ବିରୋଧୀ ପରିବେଶ ସୃଷ୍ଟି କରୁଥିଲା ଯାହା ଦ୍ୱାରା ମଧ୍ୟବିତ୍ତ ଲୋକମାନେ ସେମାନଙ୍କର ବିଶ୍ୱାସ, ମନୋଭାବ ବିଷୟରେ ଲଜ୍ଜିତ ଏବଂ ଦ୍ୱିଧାବୋଧ ଅନୁଭବ କରୁଥିଲେ । ଧର୍ମନିରପେକ୍ଷତା ଏପରି ଏକ ଟ୍ରମ୍ପକାର୍ଡ ଥିଲା ଏବଂ ଭୂମିରୁ ବିଚ୍ଛିନ୍ନ ହୋଇ ସଭାସମିତି ଏବଂ ଚର୍ଚ୍ଚା ଆଲୋଚନାରେ ସୀମିତ ଥିଲା । ଏହି କାରଣରୁ ମଧ୍ୟବିତ୍ତ ସମାଜ ଅଣ ନିଶ୍ୱାସୀ ହୋଇପଡୁଥିଲା । ୧୭ ମଇରେ ନରେନ୍ଦ୍ର ମୋଦୀ କାଶୀ ଯାଇ କାଶୀ ବିଶ୍ୱନାଥ ମନ୍ଦିରରେ ପୂଜାରେ ଯୋଗ ଦେଇଥିଲେ । ମନ୍ଦିରରେ ପୂଜା ଅର୍ଚ୍ଚନା-ରୀତିନୀତି ପରେ ସେ ଦଶ୍ୱାସ୍ୱମେଧ ଘାଟକୁ ଯାଇ ସେଠାରେ ମା ଗଙ୍ଗା ଆରତୀରେ ଯୋଗ ଦେଇଥିଲେ । ଏହା ସବୁ ଟେଲିଭିଜନରେ ପ୍ରସାରିତ ହେଉଥିଲା । ଦେଖୁଥିବା ଜନସାଧାରଣ ବିନା ମନ୍ତବ୍ୟରେ ଏହି କାର୍ଯ୍ୟକ୍ରମର ପ୍ରସାରଣକୁ ହୃଦୟର ସହିତ ଗ୍ରହଣ କରିବା ପାଇଁ ବ୍ୟଗ୍ର ଥିଲେ । ଅନ୍ୟ ପକ୍ଷରେ କିଛି ଲୋକ ଏହା ମଧ୍ୟ କହୁଥିଲେ ଯେ ପ୍ରଥମ ଥର ପାଇଁ ଏପରି ରୀତିନୀତି ଖୋଲାଖୋଲି ଭାବେ ପ୍ରଦର୍ଶିତ ହେଲା । ମୋଦୀଙ୍କ ଉପସ୍ଥିତି ଅନେକ କଥା କହି ଦେଇଥିଲା । ଯାହା ଇଙ୍ଗିତ କରୁଥିଲା ଯେ, ନିଜ ଧର୍ମ ପାଇଁ ଲଜ୍ଜିତ ହେବାର ଆବଶ୍ୟକତା ନାହିଁ ।
ଏ ପ୍ରକାର ସ୍ଥିତି ପୂର୍ବରୁ କୌଣସି ସରକାର ସମୟରେ ସମ୍ଭବ ନ ଥିଲା । ଶିବ ବିଶ୍ୱାନାଥନ ଲେଖିଛନ୍ତି ଯେ, ପ୍ରଥମେ ମୁଁ ଏ ସମ୍ବନ୍ଧରେ ବିରକ୍ତି ପ୍ରକାଶ କରୁଥିଲି । କିନ୍ତୁ ପରେ ମୁଁ ଚିନ୍ତାରେ ବୁଡିଗଲି । ମୋର ଜଣେ ସାଥୀ ମୋ ଚିନ୍ତାରେ ସହଯୋଗ କରି ମୋତେ କହିଲା ଯେ, “ତୁମେ ସବୁ ଇଂରାଜୀ କହୁଥିବା ବୁଦ୍ଧିଜୀବିମାନେ ସେକୁଲାରବାଦ୍ ନାଆଁରେ ବହୁ ସଂଖ୍ୟକ ଜନ ସମାଜ ଉପରେ ଏକ ବିଚାରଧାରାକୁ ଥୋପି ଦେଉଥିଲ ଫଳରେ ବହୁ ସଂଖ୍ୟକ ସମାଜ ଲଜ୍ଜା ଅନୁଭବ କରୁଥିଲା । ”
ଯଦ୍ୟପି ଏ ପ୍ରକାର ମନ୍ତବ୍ୟ ବହୁତ କଡା ଏବଂ ବିଚଳିତ କରିବା ଭଳି ମନ୍ତବ୍ୟ ଥିଲା । ତଥାପି ସେହି ସମୟରେ ମୋତେ ଲାଗିଲା କି, ହୁଏତ ଆମେ ସବୁ ଉଦାରବାଦୀମାନେ ଏ ସବୁ ସମସ୍ୟା ପାଇଁ ଦୋଷୀ ।
ଏହା ଏକ ନୂତନ ଭାରତ, ଯାହା ସମସ୍ତ ଭାରତୀୟ ଏବଂ ସମଗ୍ର ବିଶ୍ୱ ଦ୍ୱାରା ଅନୁଭୂତ ହେଉଛି । କିନ୍ତୁ ବାସ୍ତବରେ ଏହା ଆଦୌ ନୂଆ ନୁହେଁ । କିଛି ମିଥ୍ୟା ପ୍ରଚାର ଏବଂ ଗୁଜବ କାରଣରୁ ଭାରତର ସତ୍ୟକୁ ଭାରତର ପରିଚୟକୁ ବିଲୟ କରିବା ପାଇଁ ଯେଉଁ ଚେଷ୍ଟା ଚାଲିଥିଲା ତାକୁ ପରାସ୍ତ କରି ଶତାବ୍ଦୀ ଶତାବ୍ଦୀର ପୁରାତନ, ନିତ୍ୟ ନୂତନ ଏବଂ ଚିରନ୍ତନ ଭାରତ ନିଜର ସ୍ୱାଭୀମାନ ଏବଂ ଶକ୍ତି ସହିତ ଠିଆ ହୋଇଥିବା ଆପଣାର ଭାରତ । ଭାରତର ଏ ଜାଗରଣରେ କେହି ବିଚଳିତ ଓ ଭୟଭୀତ ହେବାର କାରଣ ନାହିଁ । କାରଣ ଭାରତ ‘ବସୁଧୈବ କୁଟୁମ୍ବକମ୍’ ଏବଂ ‘ସର୍ବେପି ସୁଖିନ: ସନ୍ତୁଃ’ ରେ ବିଶ୍ୱାସ କରି ଆଚରଣରେ ପ୍ରତିପାଦିତ କରି ଚାଲିଛି । ଏହା ଉପରେ ସାରା ବିଶ୍ୱର ବିଶ୍ୱାସ ରହିବା ଆବଶ୍ୟକ ।
ଯେତେବେଳେ ସମଗ୍ର ଦେଶ ସଫଳତାର ସହ କରୋନା ମହାମାରୀ ଭଳି ସଂକଟ ସହ ଲଢେଇ କରୁଛି, ସେହି ସମୟରେ ବିସ୍ତାରବାଦୀ ତଥା ଏକଛତ୍ରବାଦୀ ଚୀନ ଦ୍ୱାରା ସୃଷ୍ଟି ହୋଇଥିବା ଆହ୍ୱାନ ବେଳେ ସମଗ୍ର ଭାରତୀୟ ସମାଜ ଏକତା ପ୍ରଦର୍ଶନ କରିବା ଉଚିତ । ପୁରା ସମାଜ ଏକତା ପ୍ରଦର୍ଶନ କରୁଛନ୍ତି ମଧ୍ୟ । ରାଷ୍ଟ୍ରୀୟ ସୁରକ୍ଷା ଏବଂ ରଣନୀତି ପାଇଁ ସେନା ଏବଂ ସରକାରଙ୍କର ନିଷ୍ପତି ଗ୍ରହଣ କ୍ଷମତା ଉପରେ ବିଶ୍ୱାସ ରଖି ସମସ୍ତ ସମାଜ ଏବଂ ଦଳ ଦ୍ୱାରା ରାଜନୈତିକ ପରିପକ୍ୱତାର ପରିଚୟ ଦେବାର ବେଳ । ରାଜନୈତିକ ଲାଭ କ୍ଷତି କିମ୍ବା ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ କରିବାର ଏହା ସମୟ ନୁହେଁ ।
ସହ-ସରକାର୍ଯ୍ୟବାହ,ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ