ମାଇଁଙ୍କ ପ୍ରେମ ହେଲା କାଳ ଭଣଜାକୁ ହତ୍ୟା କଲା ମାମୁଁ ୫ ଗିରଫ
ବେଲଗୁଣ୍ଠା, (ଶିବରାମ ଚୌଧୁରୀ) : ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ମାମୁଁର ଠେଙ୍ଗା ମାଡରେ ଭଣଜାର ମୃତ୍ୟୁ ହୋଇଥିବା ନେଇ ଗାଙ୍ଗପୁର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଶବ ଜବତ କରି ୧୮୨/୨୦ରେ ଏକ ମାମଲା ରୁଜ୍ଜୁ କରିଥିଲେ । ମାମୁଁ କୁ ଥାନାରେ ଅଟକ ରଖି ପୋଲିସ ଘଟଣାର ତଦନ୍ତ କରୁଥିଲା । ଷୋମବାର ହତ୍ୟା ମାମଲାର ପରଦା ଉଠାଇଛି ପୁଲିସି, ମୁଖ୍ୟ ଅଭିଯୁକ୍ତ ତଥା ମୃତ ଭଣଜା କୃତିବାସର ମାମୁଁ ବିଞ୍ଜିଗିରି ଗ୍ରାମର ଗୋପାଳ ଗୌଡ(୪୮)ଙ୍କ ସମେତ ସେହି ଗ୍ରାମର ଅଭିମନ୍ୟୁ ସ୍ୱାଇଁ(୪୨), ଅନୀଲ ସ୍ୱାଇଁ(୨୪), ପୁରସ୍ତମ ପଣ୍ଡା(୪୪), ରାଜକିଶୋର ସ୍ୱାଇଁ(୩୫)ଙ୍କୁ ପୁଲିସ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ହୋଇଥିବା ଦୁଇଟି କାଠ ଫାଳିଆ, ଦୁଇଟି ଲାଠି ଓ ଗୋଟିଏ ଲୁହା ରଡ୍, ଗୋଟିଏ ମୋବାଇଲ ଏବଂ ଗୋଟିଏ କଳା ପଲସର ମୋଟରସାଇକଲ ଜବତ କରିଛି । ସମସ୍ତଙ୍କୁ ଭାରତୀୟ ପିଙ୍ଗଳ କୋଡ୍ ଧାରା ୩୦୨/୩୪ରେ ଅନୁଯାଇ ଗିରଫ କରି ଆସ୍କା କୋର୍ଟ ଚାଲାଣ କରିଥିବା ଗାଙ୍ଗପୁର ଥାନାଧିକାରୀ ଧିରେଶ କୁମାର ଦାସ ପ୍ରକାଶ କରିଛନ୍ତି । ଗାଙ୍ଗପୁର ଥାନା ଅନ୍ତର୍ଗତ ଶାସନ ପଞ୍ଚାୟତର ଆମ୍ବବାଲି ଗ୍ରାମର ଭଜ ଗୌଡଙ୍କ ପୁଅ କୃତିବାସ ଗୌଡ ଓରଫ ପିଣ୍ଟୁ (୨୬) ସୋମବାର ରାତ୍ରରେ ତାର ମାମୁଁ ଗାଙ୍ଗପୁର ଥାନା ଅନ୍ତର୍ଗତ ବିଞ୍ଜିଗିରି ଗ୍ରାମର ଗୋପାଳ ଗୌଡଙ୍କ ସହ ଫୋନରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା । ରାତି ୧୧ ଟା ସମୟରେ କୃତିବାସ ଏକ ମୋଟରସାଇକଲରେ ବିଞ୍ଜିଗିରି ଯାଇଥିବା ବେଳେ ମାମୁଁ ଗୋପାଳ ଓ ତାର ଚାରି ପାଞ୍ଚ ଜଣ ସହଯୋଗୀ ମିଶି କୃତିବାସକୁ ଠେଙ୍ଗା ଓ ଲୁହା ରଡରେ ଆକ୍ରମଣ କରିଥିଲେ । ଫଳରେ କୃତିବାସର ମୃତ୍ୟୁ ଘଟିଥିଲା ବୋଲି କୃତିବାସର ବଡଭାଇ ପିତ୍ତବାସ ଗୌଡ ଥାନାରେ ଏତଲା ଦେବା ପରେ ଥାନା ଏସ୍.ଆଇ ଏସ୍.ଆର୍ ଦିଗାଲ୍ ମାମୁଁ ଗୋପାଳକୁ ଥାନାରେ ଅଟକ ରଖି ତଦନ୍ତ କରୁଥିଲେ । ଗାଙ୍ଗପୁର ଥାନାଧିକାରୀ ସାଇଣ୍ଟିଫିକ୍ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ଏକ ରାସ୍ତା କଡରେ ଥିବା ମାଇଲ ଖୁଣ୍ଟରେ ଲାଗିଥିବା ରକ୍ତ ଓ କୃତିବାସର ବାଇକ୍କୁ ତଦନ୍ତ ପରିସର ଭୁକ୍ତ କରିଥିଲେ । ଉଭୟ ମାମୁଁ ଓ ଭଣଜା ମଧ୍ୟରେ କିଛି ଦିନ ଧରି ଘରୋଇ କଳହ ଲାଗିରହିଥିଲା । ମୃତ କୃତିବାସ ଡ୍ରାଇଭର କାମ କରୁଥିଲା ଏବଂ ସେ ମାମୁଁ ଗୋପାଳର ଘରେ ୭/୮ ବର୍ଷ ହେବ ରହିଆସୁଥିଲା । ରହିବା ସମୟ ମଧ୍ୟରେ ଗୋପାଳର ସ୍ତ୍ରୀ ସହ କୃତିବାସର ପ୍ରେମ ସମ୍ପର୍କ ଗଢିଉଠିଥିଲା । ଏହା ଜଣାପଡିବା ପରେ ଗ୍ରାମରେ ବୈଠକ ବସି ଭଦ୍ର ଲୋକଙ୍କ ଉପସ୍ଥିତରେ ମାଇଁ ଓ ଭଣଜା ଦୁହେଁ ସ୍ୱାମୀ ସ୍ତ୍ରୀ ଭାବେ ରହିବା ପାଇଁ ଜିଦ୍ ଧରିବାରୁ ଭଦ୍ରଲୋକମାନେ ସେଥିରେ ରାଜି ହୋଇଥିଲେ । ପରେ ମାଇଁ-ଭଣଜା ଉଭୟ ସ୍ୱାମୀ ସ୍ତ୍ରୀ ରୁପେ ଗୋବରାରେ ଏକ ଭଡା ଘରେ ରହିଆସୁଥିଲେ କିନ୍ତୁ ଏମାନଙ୍କ ସମ୍ପର୍କ ବେଶୀଦିନ ତିଷ୍ଠି ପାରି ନ ଥିଲା । ପ୍ରାୟ ଦୁଇମାସ ଏକାଠି ରହିବା ପରେ ଏମାନଙ୍କ ମଧ୍ୟରେ ପାଟିତୁଣ୍ଡ ଓ ଝଗଡା ହୋଇଥିଲା । ଫଳରେ ମାଇଁକୁ ଛାଡି ଭଣଜା କେଉଁଆଡେ ଫେରାର ହୋଇଯାଇଥିଲା । ମାଇଁ କୃତିବାସକୁ ଖୋଜି ନ ପାଇବା ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସାହାଯ୍ୟ ନ ମିଳିବାରୁ ନିଜ ସାତ ବର୍ଷର ପୁଅକୁ ନେଇ ମାଇଁ ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ ଚାଲିଯାଇଥିବା ଜଣାପଡିଛି । କୃତିବାସ ମାଇଁକୁ ନେଇ ଚାଲିଯିବା ପରେ ମାମୁଁ-ଭଣଜା ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଶେଷରେ ଏହାର ଅନ୍ତ ହୋଇଥିଲା ହତ୍ୟା ମାମଲାରେ.


