ତ୍ୟାଗଭୂମୀର ଭୁମୀପୁତ୍ର
ପୂର୍ବତନ ମନ୍ତ୍ରୀ ବୈରାଗୀ ଜେନାଙ୍କ ୧୮ତମ ଶ୍ରାଦ୍ଧବାର୍ଷିକ ଅବସରରେ
ପ୍ରଦୀପ ସେନାପତି
ଗୃହର ଜୀବନପରିଥିରେ ରବି ସମ୍ମୋହ କାରାପୁରୀ
ବାହାରେ ଅଛିଯେ ବିପୁଳ ଜୀବନ ମୁଁ ତ ନପାରିବିଭୁଲି
ଏକର ସକାଶେ, ଅନେକର ଦୁଃଖ ମୁଁ ତ ନପାରିବି ଏଡ଼ି
ଛନ୍ଦନା ଆଉ ଚରଣେ ମୋହର ଅନ୍ଧ ମମତା ଦେବି ।
ଦିଅ ଛାଡ଼ି ଦିଅ ମୋତେ
ଚାଲି ଯା ଏ ଆଜି ଚାଲିଯାଏ ମୁଁହି
ବିଶ୍ୱ ଜୀବନ ପଥେ ।
କବିଙ୍କର ଏ ଉକ୍ତି ବୈରାଗୀ ଜେନାଙ୍କ ଜୀବନର ଅନେକାଂଶରେ ପ୍ରତିଫଳିତ ହୋଇଛି । ତାଙ୍କର ପରମ ଶତୃ ବି ଏହାକୁ ସ୍ୱୀକାର କରିବାକୁ ବାଧ୍ୟ । ନିତାନ୍ତ ଗରୀବ , ହରିଜନ ପରିବାରେ , ପୁଣି ସୁଦୂର ମଫସଲ ଭଦ୍ରକ ଜିଲ୍ଲାର ବାମନବିନ୍ଧାରେ ଜନ୍ମ ହୋଇ ମଧ୍ୟ ନିଜର ପ୍ରଚଣ୍ଡ ପ୍ରତିଭା ପାଇଁ ନିଜକୁ ସେ ସାରା ଓନିଶାରେ ପ୍ରତିଷ୍ଠିତ କରିପାରିଥିଲେ ।
ଭଦ୍ରକ ହାଇସ୍କୁଲରେ ପାଠ ପଢ଼ା ସାରି ଭଦ୍ରକ କଲେଜରେ ପଢ଼ୁଥିବା ବେଳେ ଗାଁରେ ଜମିଦାରମାନଙ୍କ ଦ୍ୱାରା ଶୋଷିତ ଓ ଅତ୍ୟାଚାରିତ ହେଉଥିବାରୁ ଗ୍ରାମବାସୀମାନଙ୍କ ମନରେ ଜାଗରଣ ସୃଷ୍ଟି କରିବାକୁ ଡ଼ାକରା ଦେଇଥିଲେ –
“ଲାଲ ଝଣ୍ଡା ଧରି ଲାଲ ଶିରିପା ଭିଡ଼ି
ଲାଲ୍ ପୌଜ ଚାଲରେ”
ଗାଁ ଶ୍ମସାନ ଓ ଗୋଚରକୁ ଗାଁ ସାହୁକାର ମାନେ ଦଖଲ କରି ନେଉଥିବାରୁ ତା’ର ପ୍ରତିବାଦରେ ଗାଉଥିଲେ ।
“ଆମରି ଗାଁର ଶମ୍ସାନ ଭୁଇଁ
ଶୟିତାନ ତୁମେ ପାରିବନି ଛୁଇଁ”
ଶେଷରେ ୧୯୬୧ରେ ବିଜୁ ପଟ୍ଟନାୟକ ଓ ନୀଳମଣି ରାଉତରାୟଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସରେ ଯୋଗଦେଲେ ଓ ଚାନ୍ଦବାଲିରୁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହେଲେ । ୧୯୬୭ର ପ୍ରବଳ କଂଗ୍ରେସ ବିରୋଧି ଜନମତରେ ବିଜୁବାବୁ ନୀଳମଣି ବାବୁ ଆଦିଙ୍କ ସହିତ ସେ ମଧ୍ୟ ପରାଜିତ ହେଲେ ।
୧୯୭୧ରେ ଇନ୍ଦିରାଗାନ୍ଧୀଙ୍କ “ଗରୀବ ହଟାଓ ସ୍ଲୋଗାନରେ ବିଜୁ ବାବୁ ପାଞ୍ଚଟି ବିଧାନସଭା ଆସନରୁ ଓ ଦୁଇଟି ଲୋକସଭା ଆସନରୁ ପରାଜିତ ହୋଇଥିଲେ ସେଥର । ବୈରାଗୀ ବାବୁ ବି ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରୁ ଉତ୍କଳ କଂଗ୍ରେସ ଟିକଟରେ ଛିଡ଼ା ହୋଇ ଗଙ୍ଗାଧର ଦାସଙ୍କ ଠାରୁ ହାରିଲେ । ନୀଳମଣି ବାବୁ , ପ୍ରତାପ ବାବୁ ଆଦି ବହୁନେତା, ଉତ୍କଳ କଂଗ୍ରେସ ଛାନି କଂଗ୍ରେସରେ ଯୋଗ ଦେବାରୁ ସ୍ୱତନ୍ତ୍ର ଉତ୍କଳ କଂଗ୍ରେସ ସରକାରର ପତନ ଘଟିଲା । ନୀଳମଣି ବାବୁ ତତ୍କାଳୀନ ମନ୍ତ୍ରୀ ଗଙ୍ଗାଧର ପ୍ରଧାନଙ୍କ ନେତୃତ୍ୱରେ ଗଙ୍ଗାଧର ଦାସ ଆଦି କଂଗ୍ରେସ ତ୍ୟାଗ କଲେ ଓ ନନ୍ଦିନୀ ଶତପଥିଙ୍କ ମନ୍ତ୍ରୀମଣ୍ଡଳର ପତନ ଘଟିଲା ।
୧୯୭୪ ମସିହାରେ ଡ଼ଃ ମହତାବ, ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଉ, ରବିରାୟ ଆଦି ନେତାମାନେ ବିଜୁବାବୁଙ୍କ ସହିତ ମିଳିତ ହୋଇ “ ପ୍ରଗତି ଦଳ” ଗଠନ କଲେ । ଜବାବ ମୁତାବକ ଗଙ୍ଗାଧର ଦାସଙ୍କୁ ପ୍ରଗତି ଦଳରୁ ଚାନ୍ଦବାଲି ଟିକେଟ୍ ଦିଆଗଲା । ତେବେ ବୈରାଗୀ ବାବୁ ଶୃଙ୍ଖଳିତ ସୈନିକ ଭାବେ ସାମାନ୍ୟତମ ପ୍ରତିବାଦ ମଧ୍ୟ କଲେ ନାହିଁ ।
ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ରାଜା ସ୍ୱାଇଁ, ଦିବାକର ବାରିକ, ତାରାକାନ୍ତ ମହାପାତ୍ର, ରାଇକିଶୋର ମହାନ୍ତି, ବୁଲୁ ମହାପାତ୍ର, ବିକାଶ ବଳବନ୍ତରାୟ, ଟିକୁ ସ୍ୱାଇଁ ଆଦି ତତ୍କାଳୀନ ନେତାମାନଙ୍କ ପ୍ରଚେଷ୍ଠା ଫଳରେ ବୈରାଗୀ ବାବୁ ଭଣ୍ଡରିପୋଖରୀ ନିର୍ବାଚନ ମଣ୍ଡଳୀରୁ ପ୍ରଗତି ଦଳ ଟିକଟପାଇଲେ ଓ ବିପୁଳ ସଂଖ୍ୟାରେ ଭୋଟପାଇ ନିର୍ବାଚିତ ହେଲେ । ଭଦ୍ରକ ପୌର ନିର୍ବାଚନରେ ପ୍ରତିଦ୍ୱନ୍ଧିତା କରି ବିପୁଳ ଭୋଟରେ କାଉନ୍ସିଲର ହେଲେ । ସେଥିପାଇଁ କୁହାଯାଏ ପ୍ରହ୍ଲାଦ ମଲ୍ଲିକ, ଲକ୍ଷ୍ମଣ ମଲ୍ଲିକ ଓ ବୌରାଗୀ ଜେନା ହରିଜନ ହେଲେ ବି ନିଜ ରାଜନୈତିକ ପ୍ରତିଭା ପାଇଁ ସର୍ବଜନ ଆଦୃତ ଥିଲେ ।
୧୯୭୭ରେ ଜନତାପାର୍ଟି ଟିକେଟରେ ଭଦ୍ରକ ଲୋକସଭା ଆସନରୁ ଲୋକସଭାକୁ ନିର୍ବାଚିତ ହେଲେ । ୧୯୮୦ ଓ ୧୯୮୫ରେ ଚାନ୍ଦବାଲି ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା କରି ପରାଜିତ ହେଲେ ।
ପୁଣି ୧୯୯୦ରେ ଜନତା ଦଳ ଟିକେଟରେ ଚାନ୍ଦବାଲିରୁ ନିର୍ବାଚିତ ହୋଇ ଓ ବିଜୁବାବୁଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ୱାସ୍ତ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ହେଲା ପରେ ବିଭାଗକୁ ପରିବର୍ତ୍ତନ କରି ବିଜୁ ବାବୁ ସୂତନା ଓ ଲୋକସଂପର୍କ ବିଭାଗ ଦାୟୀତ୍ୱ ଦେଇଥିଲେ । କେତେକ ସ୍ୱାର୍ଥନ୍ୱେଷୀଙ୍କ ଚକ୍ରାନ୍ତର ଶିକାର ହୋଇ ସରଳ ଓ ଅଳ୍ପକେ ସନ୍ତୁଷ୍ଟ ମଣିଷଟି ଅଯଥା ବଦନାମର ବୋଝ ମୁଣ୍ଡାଇଲେ । ଅନ୍ୟମାନେ ପଣସ ଖାଇ ତାଙ୍କ ମୁଣ୍ଡରେ ଅଠାବୋଳି ତାଙ୍କୁ ବଦନାମ କଲେ ବୋଲି କେବଳ ବିଜୁ ବାବୁ ନୁହେଁ ସାଧାରଣ ଲୋକ ବି ହୃଦୟଙ୍ଗମ କଲେ । । ବିଭାଗ ପରିବର୍ତ୍ତନ କରି ତାଙ୍କୁ ସୂଚନା ଓ ଲୋକସଂପର୍କ ବିଭାଗ ଦିଆଗଲା । ୧୯୯୫ରେ ଅଣ୍ଟିଛୁରୀ ତଣ୍ଟି କାଟିଲା ସେ ହାରିଲେ । ତାପରେ ଆସିଲା ବିପର୍ଯ୍ୟୟ । ଦୀର୍ଘ ଦିନର ରାଜନୈତିକ ଜୀବନରେ ସେ ବହୁ କଷ୍ଟ ଓ ଶତୃ ସୃଷ୍ଟି କରିଥିଲେ । ଯେଉଁମାନେ ସୁଦିନରେ ତାଙ୍କ ପାଖରେ ମାଳ ମାଳ ହୋଇ ବୁଲୁଥିଲେ ସେମାନେ ତାଙ୍କ ପାଖବି ମାଡ଼ିଲେ ନାହିଁ । ନିଜ ପାଇଁ ତାଙ୍କ ଭିଟାମାଟିରେ ପକ୍କାଘର ତ ଦୂରର କଥା ଖଣ୍ଡେ ମାଟି ଘର ବି କରିପାରିନଥିଲେ । ୧୯୭୭ ମସିହାରେ ମନ୍ତ୍ରୀ ସ୍ୱର୍ଗତଃ ନଟବର ପ୍ରଧାନ ଙ୍କ ଦାନ ଓ ପ୍ରଚେଷ୍ଟାରେ ଯେଉଁ ଘର ଖଣ୍ଡକରିଥିଲେ ତା ବି ତାଙ୍କ ନିଜ ନାମରେ କରିପାରିନଥିଲେ । ଏପରିକି ଭଦ୍ରକ ଟାଉନ ବା ତିହିଡ଼ି ବଜାରରେ ଖଣ୍ଡେ ଯାଗା ବି କିଣିପାରିନଥିଲେ ।
ଯେଉଁ ଫାର୍ମ ହାଉସ ପାଇ ବଦନାମ ହେଲେ ତାହାଥିଲା ଚରମ୍ପା ଠାରୁ ୫ କି.ମି ଦୂରରେ ମାତ୍ର ଦୁଇ ଏକର ସତାଅଶି ଡ଼ିସିମିଲ ଜଳଜମି । ଭୂବନ୍ଧକ ବ୍ୟାଙ୍କରେ ସେଇ ଜମି ବନ୍ଧା ରଖି ଲୋନ୍ ଆଣିଲେ ଓ ପଚିଶି ହଜାର ଟଙ୍କାର ସେ ଲୋନ୍ ଆଜି ୯୫ ହଜାର ହୋଇଛି । ସେଠାରେ ଗୋଟେ ପୋଖରୀ ଖୋଳି ତାକୁ ପୋତି, ଗୋଟିଏ କୁଡ଼ିଆ ଘର ପରି ଘର କରିଥିଲେ । ପୁରୁଣା ଆମ୍ବାସଡ଼ର ଗାଡ଼ିଟିଏ କିଣିଥିଲେ ୩୦ ହଜାର ଟଙ୍କା ଦେଇ । ଯାହା ମନ୍ତ୍ରୀ ଥିବାବେଳେ ଟି.ଏ.ରୁ ବି ସମୁଦାୟ ଟଙ୍କା ଶୁଝି ପାରିନଥିଲେ । ସରକାର ଗଲାପରେ ଭଡ଼ାରେ ଚଳାଇ ପେଟ ପୋଷିବା ପାଇଁ ତାହା ଏକମାତ୍ର ସମ୍ବଳଥିଲା । ଶେଷରେ ତାକୁ ବି ବିକିଦେଇ କିଛି ଦିନ ଚଳିଲେ । ଭଣ୍ଡାରିପୋଖରୀ ବଜାରରେ ୭୨୨୭ ଗାଡ଼ି ନମ୍ବର ଭଡ଼ା ପାଇଁ ଠିଆ ହୋଇଥିôାବା ଦେଖିଲେ ଛାତି ଫାଟିଯାଏ । ଭଡ଼ା ଦେବାକୁ ଦୋକାନ ଘର କରିବା ପାଇଁ ବ୍ୟାଙ୍କରୁ ଏକଲକ୍ଷ ପଚାଶ ହଜାର ଟଙ୍କା ଲୋନ୍ କଲେ ଓ ତାର ସୁଧମୂଳ ମିଶି ଦୁଇଲକ୍ଷ ଅଶି ଜହାର ଟଙ୍କା ବେକାର ପିଲାଗୁଡ଼ିକ ମୁଣ୍ଡରେ ବାନ୍ଧି ଦେଇ ଚାଲିଗଲେ । ଏତେଦିନ ରାଜନୈତିକ ଜୀବନରେ ଗୋଟିଏ ପୁଅକୁ ବି ଚାକିରୀ ଖଣ୍ଡିଏ ଦେଇ ପାରିଲେ ନାହିଁ ବା ବେପାର କରେଇ ଦେବାକୁ ଗେଟିଏ ଟଙ୍କା ପୁଞ୍ଜି ଯୋଗାଇ ପାରିଲେ ନାହିଁ । ସତରେ ମଝି ଦରିଆରେ ଭଷାଇ ପିଲାଗୁଡ଼ିକୁ ଛାଡ଼ି ଚାଲିଗଲେ ।
ସାରା ଜୀବନ ନିଜେ ଜଳି ଅନ୍ୟକୁ ଆଲୋକ ଦେବାରେ ଅଭ୍ୟସ୍ତ ଲୋକଟା କ୍ଷମତା ପାଇଲାମାତ୍ରେ କିଛି ଚକ୍ରାନ୍ତକାରୀ ଗୋଷ୍ଠୀଙ୍କ ଶିକାର ହୋଇଯାଆନ୍ତି । କ୍ଷମତା ଚାଲିଗଲା ପରେ ଯେଉଁ ଏକାକୁ ସେଇ ଏକା । ପୁଣି କ୍ଷମତା ଆସେ, ପୁଣି ସେଇମାନେ ଆସନ୍ତି । ପୁଣି କ୍ଷମତା ଯାଏ ସେମାନେ ଦୂରେଇ ଯାଆନ୍ତି, ଗଲା ଦିନର ଅଭିଜ୍ଞତାରୁ କିଛି ଶିକ୍ଷା ପାଇଲାପରି ମନେ ହେଉନଥିଲା । “ବାୟା ଚଢ଼େଇ ର କି ଯାଏ ବାଆ ହେଲେ ବସା ଦୋହଲୁଥାଏ” ପରି ସେ ନିର୍ବିକାର ବୈରାଗୀଟିଏ ଥିଲେ । ତାଙ୍କର ବଡ଼ପୁଅ ଶ୍ରଦ୍ଧେୟ ଅମୂଲ୍ୟ ଜେନା ଦିନେ କହିଥିଲେ ଭଗବାନଙ୍କୁ ଡ଼ାକୁଛି ମୋର ପିତା ଆଉ ପୁନର୍ଜନ୍ମ ଲାଭ ନକରନ୍ତୁ । ଯଦିବା ପୁଣି ଜନ୍ମ ନିଅନ୍ତି ତେବେ ଏହିଭଳି ବରଡ଼ା ଛତାଧରି ବୈରଗୀ ହୁଅନ୍ତି, ସଂସାର ନକରନ୍ତୁ । ମଣିଷ ତ ଭୁଲ କରେ, ସତେ ଯେମିତି ଭୁଲ କରିବାକୁ ମଣିଷ ଜନ୍ମ ହୁଏ । ମଣିଷ କ’ଣ ଦେବତା ବି ମଣିଷ ଦେହଧରି ଜନ୍ମ ହେଲେ ଭୁଲ କରନ୍ତି । ଅବଶ୍ୟ ସମାଜକୁ ସେଥିରୁ କିଛି ଶିକ୍ଷା ମିଳେ । ସେ ଗଲେ, ଆପଣ ଯିବେ । ଆମେ ସବୁ ଦିନେ ଯିବା, କିନ୍ତୁ ବୈରାଗୀ ବାବୁଙ୍କ ସାଧାରଣ, ପାରିବାରିକ ଓ ରାଜନୈତିକ ଜୀବନରୁ ବହୁତ ଶିକ୍ଷା କରିବାର ଓ ସାବଧାନ ହେବାର ଆବଶ୍ୟକତା ରହିଛି ବୋଲି ମନେହୁଏ ।
ସଭାପତି
ଓଡ଼ିଶା ସାମ୍ବାଦିକ ସୁରକ୍ଷା ସଂଗଠନ
ସାମନ୍ତରାୟପୁର, ପୁରୁଣା ଭୁବନେଶ୍ୱର-୨
ମୋ – ୯୪୩୮୪୪୬୫୭୫