ଟେରାକୋଟା ହସ୍ତଶିଳ୍ପର ପ୍ରଚାର, ପ୍ରସାର ପାଇଁ ପଦ୍ମନାଭ ସର୍ବଦା ଚେଷ୍ଟିତ
ବନ୍ତ, (ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡା ଅଞ୍ଚଳର ପଦ୍ମନାଭ ସେଠୀ(ଏମ୍.ସି.ଏମ୍) ଟେରାକୋଟା ହସ୍ତଶିଳ୍ପର ପ୍ରଚାର ଏବଂ ପ୍ରସାର ପାଇଁ ନିଜକୁ ନିୟୋଜିତ କରିଛନ୍ତି । ସେ ବିଭିନ୍ନ ସ୍କୁଲ, କଲେଜ, ନର୍ସରୀ ସ୍କୁଲ ଏବଂ ଇଂଲିଶ୍ ମିଡିୟମ ସ୍କୁଲକୁ ଯାଇ ଟେରାକୋଟା ସମ୍ପର୍କୀୟ କାରୁକଳା ପ୍ରଦର୍ଶନୀ କରି ଟେରାକୋଟା ବିଷୟରେ ବୁଝାଇଥାନ୍ତି । ଜିଲ୍ଲା ତଥା ଜିଲ୍ଲା ବାହାରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଡି.ଆଇ.ସି ଆନୁକୂଲ୍ୟରେ ତାଲିମ ପ୍ରଦାନ କରି ସ୍ୱରୋଜଗାରକ୍ଷମ ହେବା ପାଇଁ ତାଲିମ ପ୍ରଦାନ କରିଥାନ୍ତି । ଆଜିର ଶିଳ୍ପୀ ମାନେ ଏହି ଟେରାକୋଟାରେ ସୃଜନୀ ଓ କଳାତ୍ମକ ସ୍ପର୍ଶ ଦେଇ ସମସାମୟିକ କଳା ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ଓ ପରିଚୟ ସୃଷ୍ଟି କରିପାରିଛନ୍ତି । ଏହି ସମସାମୟିକ ସୃଜନୀ ଓ କଳାତ୍ମକ ଟେରାକୋଟା ଆମ ଦେଶ ଠାରୁ ଆରମ୍ଭ କରି ପାଶ୍ଚାତ୍ୟ ଦେଶ ପର୍ଯ୍ୟନ୍ତ ଖୁବ୍ ଆଦୃତ ହୋଇ ପାରିଛି । ପ୍ରତ୍ୟେକ କଳା ପ୍ରଦର୍ଶନୀରେ ଏହି ଟେରାକୋଟାକୁ ନୂତନ ଶୈଳୀରେ ଏବଂ ବିଭିନ୍ନ ପ୍ରକାର ନୂତନ ରୂପରେ କଳା ଜଗତରେ ଟେରାକୋଟା ପ୍ରଦର୍ଶିତ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ସମସାୟିକ କଳା ଜଗତରେ ଟେରାକୋଟାକୁ ସୃଜନଶୀଳ କରିବା ପାଇଁ ବର୍ତ୍ତମାନ ପ୍ରସିଦ୍ଧ ଚିତ୍ର ଶିଳ୍ପୀ ଓ ଭାସ୍କର୍ଯ୍ୟ ଶିଳ୍ପୀ ମାନେ ବିଭିନ୍ନ ପରୀକ୍ଷା ନୀରିକ୍ଷା ଚାଲୁ ରଖିଛନ୍ତି । ଟେରାକୋଟା ଏକ ଇଟାଲି ଶବ୍ଦ । ଟେରା ଅର୍ଥ ପୋଡା ଏବଂ କୋଟା ଅର୍ଥ ମାଟି । ପୋଡା ମାଟି କହିଲେ ଯେତିକି ଲୋକ ନବୁଝିବେ ଟେରାକୋଟା କହିଲେ ଲୋକେ ସେତିକି ବୁଝିବେ । ଏହା ଏକ ପୁରାତନ ହସ୍ତଶିଳ୍ପ । କେଉଁ ଆବାହମାନ କାଳରୁ ତଥା ଆର୍ଯ୍ୟ ସଭ୍ୟତା ପୂର୍ବରୁ ଟେରାକୋଟାର ବ୍ୟବହାର ସମାଜ ଭିତରେ ହୋଇଆସିଛି । ଏହାର ନମୁନା ମାଟି ଭିତରୁ ଖୋଳି ବାହାର କରାଯାଇଥିବା ହରପ୍ପା ଓ ମହଞ୍ଜୋଦାରର ଧ୍ୱଂସାବଶେଷରୁ ମିଳିଛି । ହଜାର ହଜାର ବର୍ଷ ତଳେ ମାନବ ଏହି ଟେରାକୋଟାକୁ ନିଜ ସାମାଜିକ ଜୀବନ ସାଥିରେ ସାମିଲ କରି ଦେଇଥିଲା । ମାଟିର ପାତ୍ର କରି ସେଥିରେ ନିଜର ଖାଦ୍ୟ ପଦାର୍ଥ ରନ୍ଧନ କରି ଖାଉଥିଲା । ମାଟିର ପାତ୍ର ମାଠିଆକୁ ପାଣି ରଖିବା ପାଇଁ ବ୍ୟବହାର କରୁଥିଲା । ବିଭିନ୍ନ ପୂଜା ପର୍ବରେ ମାଟିର ସରା, ଦୀପ, କଳସ ବ୍ୟବହାର କରୁଥିଲା । ଏହି ସବୁ ଭଗ୍ନାବଶେଷରୁ ଜଣାପଡେ ଯେ ସବୁ ପ୍ରକାର ହସ୍ତଶିଳ୍ପ ମଧ୍ୟରେ ଟେରାକୋଟା ହସ୍ତଶିଳ୍ପ ଅତି ପୁରୁଣା । ଓଡିଶାର ଲଳିତ ଗିରି, ରତ୍ନଗିରି ସୁପ୍ତକୁ ମାଟି ତଳୁ ଖୋଳି ବାହାର କରାଯାଇଛି । ଏହି ସବୁ ସୁପ୍ତ ମାଟିର ଇଟା ଦ୍ୱାରା ନିର୍ମିତ ହୋଇଥିଲା । ଏଠାରେ ସ୍ଥାନିତ ହୋଇଥିବା ବୁଦ୍ଧ ଏବଂ ଅନ୍ୟ ମୂର୍ତ୍ତିମାନ ଘର୍ଷଣ ଫଳରେ ଆକାରରେ ଘସରା ଏବଂ ସାମାନ୍ୟ ଛୋଟ ହୋଇଯାଇଛି । କିନ୍ତୁ ଟେରାକୋଟାର ଘର୍ଷଣରେ କିଛି ପରିବର୍ତ୍ତନ ହୋଇନାହିଁ । ଗୋଟିଏ ୧ କିଗ୍ରା ଓଜନ ପଥର ମାଟି ତଳେ ଶହେ ବର୍ଷ ପରେ ବାହାର କରି ଦେଖିଲେ ପଥରର ଓଜନ କମି ଯାଇଥିବ । ଆକାର ମଧ୍ୟ ଘର୍ଷଣରେ ଛୋଟ ହୋଇଯାଇଥିବ । କିନ୍ତୁ ମାଟିର ମାଠିଆର କିଛି ଅଂଶ କ୍ଷୟ ହୋଇନଥିବ କି ଓଜନ ମଧ୍ୟ କମି ନଥିବ । ଏଥିରୁ ଜଣାପଡେ ପଥର ଅପେକ୍ଷା ଟେରାକୋଟାର ସ୍ଥାୟୀତ୍ୱ ଅଧିକ । ଆଦିମ ମାନବ ଟେରାକୋଟା ଅସ୍ତ୍ର ଏବଂ ଅଳଙ୍କାର ବ୍ୟବହାର କରୁଥିଲା । ଲୋକ ମାନେ ମାନସିକ ପୂରଣ କରିବା ପାଇଁ ବିଭିନ୍ନ ଗ୍ରାମ ଦେବତୀ, ତାରିଣୀ ଓ ଅନ୍ୟାନ୍ୟ ଦେବୀ ପୀଠ ମାନଙ୍କରେ ମଧ୍ୟ ଟେରାକୋଟାର ହାତି, ଘୋଡା ଇତ୍ୟାଦି ବସାଇଥାନ୍ତି । ଆଧୁନିକ ସମାଜରେ ଟେରାକୋଟାର ସାମଗ୍ରୀମାନ କେବଳ କୁମ୍ଭାର ଜାତିରେ ସୀମିତ ହୋଇରହିନାହିଁ । ଏହାକୁ ବିଭିନ୍ନ ଜାତିର ଲୋକ ମାନେ ବିଭିନ୍ନ ଶୈଳୀରେ ତିଆରି କରି ଆତ୍ମନିର୍ଭରଶୀଳ ହୋଇପାରୁଛନ୍ତି । ଏହା ଅନ୍ୟାନ୍ୟ ଧାତୁ ଭଳି ମରାମତି ଯୋଗ୍ୟ ହୋଇନଥିବାରୁ ଘରକରଣା ବା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଉପରେ ଟିକେ ଚାହିଦା କମି ଯାଉଛି । କିନ୍ତୁ ଗ୍ରାମାଞ୍ଚଳରେ ଏହାର ପ୍ରଚଳନ ଏବେ ମଧ୍ୟ ଭଲ ଭାବରେ ରହିଛି । ଏବେ ସହରାଞ୍ଚଳର ଛୋଟ ବଡ ହୋଟେଲ ମାନଙ୍କରେ ଟେରାକୋଟା ହାଣ୍ଡିର ପ୍ରଚଳନ ହେଲାଣି । ଯଥା-ମାଟି ହାଣ୍ଡି ମଟନ୍, ମାଟି ହାଣ୍ଡି ଚିକେନ୍, ମଟକା କୁଲଫି ଇତ୍ୟାଦି । ଏହି ମାଟି ହାଣ୍ଡିର ବ୍ୟଞ୍ଜନ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସମ୍ଭ୍ରାନ୍ତ ବ୍ୟକ୍ତି ମାନଙ୍କ ପାଖରେ ଅତି ଆଦୃତ ହୋଇପାରୁଛି । ଏହାର ସ୍ୱାଦ୍ ମଧ୍ୟ ନିଆରା । ଏହି ଟେରା କୋଟାକୁ ଆଧୁନିକ କାରିଗର ମାନେ ଆଧୁନିକ ସ୍ପର୍ଶ ଦେଇ ତିଆରି କରୁଛନ୍ତି । ଏହା ବହୁଳ ଭାବରେ ଘର, ବଗିଚା ଇତ୍ୟାଦିର ସାଜସଜ୍ଜା କାମରେ ଲାଗୁଛି । ଏପରିକି ଟେରାକୋଟା ଟାଇଲକୁ ବିଭିନ୍ନ ରଙ୍ଗ କରାଯାଇ ଘରର ଛପରକୁ ଡେକୋରେଟିଭ୍ କରିବା ପାଇଁ ବ୍ୟବହାର କରାଯାଉଛି । ଟେରାକୋଟାର ନୂତନ ସଂସ୍କରଣ ଭାବେ ସେରାମିକ୍ସ କଳାର ବିକାଶ ଓ ବ୍ୟବହାର ଦୃତ ଭାବରେ ସମାଜରେ ଆଗେଇ ଚାଲିଛି । ତେବେ କେନ୍ଦ୍ର ଓ ରାଜ୍ୟ ସରକାର ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦେଲେ ଟେରାକୋଟା ହସ୍ତଶିଳ୍ପର ବିକାଶ ସମ୍ଭବ ହୋଇପାରିବ ବୋଲି ସେ କହିଛନ୍ତି ।


