ଛତ୍ରପୁର ଉପଖଣ୍ଡ ର କୋଭିଡ ସ୍ଥିତି ନେଇ ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ

ଛତ୍ରପୁର, (ଓ୍ବାଇଏନ୍ଏସ୍):କରୋନା ଚେନ୍ ଭାଙ୍ଗିବାକୁ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଏହିକ୍ରମରେ ଛତ୍ରପୁର ଉପଖଣ୍ଡ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଜାରି ରହିଛି । ଛତ୍ରପୁର ଉପଖଣ୍ଡରେ ଗୋଷ୍ଠୀ ସଂକ୍ରମଣକୁ ରୋକିବା ଲାଗି ଦାୟିତ୍ୱରେ ଥିବା ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ପାରୁଲ ପାଟୱାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ମୁକାବିଲା କାର୍ଯ୍ୟ ପରିଚାଳିତ ହୋଇଆସୁଛି । ଏସବୁ ମଧ୍ୟରେ ଉପଖଣ୍ଡ ଅଧୀନରେ ଥିବା ୮ଟି ବ୍ଲକ ଓ ୯ଟି ସହରାଞ୍ଚଳରେ ଅଧିକାରୁ ଅଧିକ ସ୍ୱାବ୍ ଓ ଆଣ୍ଟିଜେନ୍ ଟେଷ୍ଟିଂ ଚାଲୁ ରହିଛି । ବିଗତ ଦିନ ଗୁଡିକର ଯେତେ ସଂଖ୍ୟକ ପରୀକ୍ଷା ହୋଇଥିଲା ଗତ ୧୦ ଦିନରେ ସେଥିମଧ୍ୟରୁ ୩୫ ପ୍ରତିଶତ ସ୍ୱାବ୍ ଓ ଆଣ୍ଟିଜେନ୍ ପରୀକ୍ଷା କରାଯିବାରେ ସଫଳତା ହୋଇପାରିଛି । ଏହି ୧୦ ଦିନ ମଧ୍ୟରେ ଉପଖଣ୍ଡ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ୧୫ହଜାର ୫୨୨ ଜଣଙ୍କ ସ୍ୱାବ୍ ଓ ଆଣ୍ଟିଜେନ୍ ମାଧ୍ୟରେ ଟେଷ୍ଟିଂ କରାଯାଇଛି । ଆଜି ସୁଦ୍ଧା ଛତ୍ରପୁର ଉପଖଣ୍ଡରେ ୨୯୪୯ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୨୦୧୩ ଜଣ ସୁସ୍ଥ ହୋଇଛନ୍ତି । ବାକି ୯୧୦ କେସ୍ ଆକ୍ଟିଭ୍ ରହିଥିବା ବେଳେ ୨୬ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଉପଖଣ୍ଡରେ ୧୦୫ କୋଭିଡ୍ ଯୋଦ୍ଧା ସଂକ୍ରମିତ ହୋଇଥିବା ବେଳେ ୭୬ଜଣ ସୁସ୍ଥ ହୋଇଛନ୍ତି । ୨୩ ଜଣ ଆକ୍ଟିଭ୍ କେସ୍ ରହିଥିବା ବେଳେ ୩ଜଣ କୋଭିଡ୍ ଯୋଦ୍ଧାଙ୍କ ମୃତ୍ୟୁ ହୋଇଛି । ଛତ୍ରପୁର ଉପଖଣ୍ଡ ଅଧୀନ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ୫୫୬ଜଣ କରୋନା ରୋଗୀ ଘରୋଇ ଆଇସୋଲସନ୍‌ରେ ରହିଥିବା ବେଳେ ୨୨୪ଜଣ କୋଭିଡ୍ କେୟାର ହୋମ୍‌, ୬୯ ଜଣ କୋଭିଡ୍ କେୟାର ସେଣ୍ଟର ଏବଂ ୬୧ ଜଣ ରୋଗୀ କୋଭିଡ୍ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି । ସେହିପରି କରୋନା ରୋଗରେ ସୁସ୍ଥ ହୋଇ ୧୩୪୬ ଜଣ ରୋଗୀ ବର୍ତ୍ତମାନ ଘରୋଇ ସଙ୍ଗରୋଧରେ ଅଛନ୍ତି । ଉପଖଣ୍ଡରେ ୩୨ଟି ପଞ୍ଚାୟତ ଆମ୍ବୁଲାନ୍ସ ଏବଂ ୯ଟି ଅକ୍ସିଜନ୍ ସୁବିଧା ରହିଥିବା ଆମ୍ବୁଲାନ୍ସ କରୋନା ରୋଗୀଙ୍କ ସେବାରେ ଉପଲବ୍ଧ ରହିଛି । ସେହିପରି ଖଲ୍ଲିକୋଟ,ଛତ୍ରପୁର ଓ ହିଞ୍ଜିଳି ଠାରେ ୩ଟି ମହାପ୍ରାରାୟଣ ଗାଡି ସେବା ନିମନ୍ତେ ଉପଲବ୍ଧ ରହିଛି । କରୋନାରେ ସଂପୂର୍ଣ୍ଣ ସୁସ୍ଥ ହୋଇଥିବା ୮୧ଜଣ କୋଭିଡ୍ ବନ୍ଧୁ ଅନ୍ୟ ଆକ୍ଟିଭ୍ କରୋନା ରୋଗୀଙ୍କ ମାନସିକ ଚିନ୍ତାଧାରାକୁ ଦୂର କରିବାରେ ସଚେତନଲା ଲାଗି ଚିହ୍ନଟ କରାଯାଇଛି । ଉପଖଣ୍ଡ ଅନ୍ତର୍ଗତ ୮ଟି ବ୍ଲକ ଅଧୀନ ୯୫୧ ଗାଁ ମଧ୍ୟରୁ ୬୯୫ ଗାଁ ଗ୍ରୀନ୍ ଜୋନ୍‌ରେ ରହିଥିବା ବେଳେ ୨୫୬ଟି ଗାଁ ରେଡ୍ ଜୋନ୍‌ରେ ଏବଂ ୯ଟି ସହରାଞ୍ଚଳର ୧୩୬ ୱାର୍ଡ ମଧ୍ୟରୁ ୬୮ ୱାର୍ଡ ଗ୍ରୀନ୍ ଏବଂ ବାକି ୬୮ ୱାର୍ଡ ରେଡ୍ ଜୋନ୍‌ରେ ରହିଛି । ରେଡ୍‌ଜୋନ୍ ଗାଁ ଏବଂ ସହରାଞ୍ଚଳର ୱାର୍ଡ ଗୁଡିକୁ ଗ୍ରୀନ୍ ଜୋନ୍ କରିବା ଲାଗି ଏବଂ ଗ୍ରୀନ୍ ଜୋନ୍‌ରେ ଥିବା ଗାଁ ଏବଂ ୱାର୍ଡ ଗୁଡିକୁ ଗ୍ରୀନ୍ ଜୋନ୍‌ରେ ବଞ୍ଚିତ ରଖିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତି ପାଟୱାରୀ କହିଛନ୍ତି । ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଯେ, ଛତ୍ରପୁର ଉପଖଣ୍ଡ ଅନ୍ତର୍ଗତ ସମସ୍ତ ବ୍ଲକ ଓ ସହରାଞ୍ଚଳରେ କୋଭିଡ୍ ପରିଚାଳନା ଲାଗି ବିଭିନ୍ନ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ରେଡ୍ ଜୋନ୍‌ରେ ଥିବା ଗାଁ ଓ ୱାର୍ଡ ଗୁଡିକର ତଦାରଖ ନିମନ୍ତେ ପ୍ରତି ବ୍ଲକ ଓ ସହରାଞ୍ଚଳ ପାଇଁ ୨୭ଜଣ ଓଏସ୍‌ଡି ଅଫିରସମାନଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ଅଫିସରମାନେ ରେଡ୍‌ଜୋନ୍ ଇଲାକାରେ ଲୋକଙ୍କ ସ୍ୱାସ୍ଥ୍ୟ, ମେଡିକାଲ, ସାନିଟାଇଜର୍‌, ଅତ୍ୟାବଶ୍ୟକୀୟ ସାମଗ୍ରୀ, ସ୍ୱାବ୍ ଟେଷ୍ଟ ଆଦି କାର୍ଯ୍ୟ ଗୁଡିକୁ କିଭଳି ପରିଚାଳନା କରାଯାଉଛି ତାହା ତଦାରଖ କରିବେ । ଗ୍ରାମାଞ୍ଚଳରେ ୨୪୯୯ ଏବଂ ସହରାଞ୍ଚଳରେ ୧୩୬ ଜଣ ସମୁଦାୟ ୨୬୩୫ କୋଭିଡ୍ ମନିଟରଙ୍କୁ ନିଯୁକ୍ତି ଦିଆଯାଇଛି । ୮ଟି ବ୍ଲକର ୧୬୮ କୋଭିଡ୍ କେୟରା ହୋମ୍‌ରେ ୧୭୫୨ ବେଡ୍‌ର ସୁବିଧା ରହିଥିବା ବେଳେ ୯ଟି ସହରାଞ୍ଚଳରେ କୋଭିଡ୍ କେୟାର ହୋମ୍‌ରେ ୧୮୩ଟି ବେଡ୍ ସୁବିଧା ଉପଲବ୍ଧ ରହିଛି । ସମସ୍ତ କୋଭିଡ୍ କେୟାର ହୋମ୍ କାର୍ଯ୍ୟକ୍ଷମ ରହିଥିବା ବେଳେ ବର୍ତ୍ତମାନ ୨୮୪ଟି ବେଡ୍‌ରେ ରୋଗୀ ଅଛନ୍ତି । ସର୍ବସଧାରଣଙ୍କ ନିମନ୍ତେ ଛତ୍ରପୁର ଉପଖଣ୍ଡ ପକ୍ଷରୁ ୮୪୮୦୮୩୮୬୦୩ ହେଲପଲାଇନ୍ ମୋବାଇଲ ନମ୍ବର ଜାରି କରାଯାଇଥିବା ସହ ସମସ୍ତ ସହରାଞ୍ଚଳରେ ମଧ୍ୟ ହେଲ୍‌ପ ନମ୍ବର ଜାରି ରହିଛି । ପଜିଟିଭ୍ ଚିହ୍ନଟ ପରେ ଉକ୍ତ ଇଲାକାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଉଛି । ଆଜି ସୁଦ୍ଧା ଛତ୍ରପୁର ସବ୍‌ଡିଭିଜନ୍ ଅନ୍ତର୍ଗତ ଗ୍ରାମାଞ୍ଚଳରେ ୬୦ ଏବଂ ସହରାଞ୍ଚଳର ୧୮ ସମୁଦାୟ ୭୮ ଟି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ରହିଛି । ଏଥିସହ କୋଭିଡ୍ ନିୟମ ଉଲ୍ଲଂଘନ ତଥା ମାସ୍କ ନପିନ୍ଧିବା, ସାମାଜିକ ଦୂରତାକୁ ଅବମାନନା, ବାହାରେ ଛେପ ପକାଇବା ଆଦି ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଆଜି ସୁଦ୍ଧା ଉପଖଣ୍ଡରେ ପୁଲିସ ଓ ପ୍ରଶାସନ ପକ୍ଷରୁ ୨୧ ଲକ୍ଷ ୫୩ ହଜାର ୪୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତିି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଆସିଷ୍ଟାଣ୍ଟ କଲେକ୍ଟର ବିକ୍ରମ କୁମାର ଦୋରା, ରାଜସ୍ୱ ସହାୟକ ପ୍ରଶାନ୍ତ କୁମାର ଶତପଥୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ