ନାଉଗାଁ ବ୍ଳକରୁ ଜବତ ୧୭ ଗ୍ରାମର ବ୍ରାଉନ ସୁଗାର
ନାଉଗାଁ,(ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକରେ ଦିନକୁ ଦିନ ଧଳା ଜହର କାରବାର କାୟା ବିସ୍ତାର କରି ଚାଲିଛି । ଏ ସଂକ୍ରାନ୍ତରେ ପୋଲିସ ଓ ଅବକାରୀ ବିଭାଗ ନିକଟରେ ସୂଚନା ଥିଲେ ମଧ୍ୟ ଚୋରା ବେପାରୀଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବାରୁ ସେମାନେ ଖୁଲମଖୁଲା ବେପାର କରି ଚାଲିଛନ୍ତି । ବିଶେଷ କରି ଗ୍ରାମାଂଚଳର ଯୁବ ପିଢି ମାନେ ଏହି ବ୍ରାଉନ ସୁଗାର ନିଶାରେ କବଳିତ ହେଉଥିବା ବେଳେ ଅନେକ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ଯାହାକି ଅବିଭାବକ ମାନଙ୍କ ଚିନ୍ତାର କାରଣ ପାଲଟିଛି ।ଏସଂକ୍ରାନ୍ତରେ ଗଣ ମାଧ୍ୟମରେ ଖବର ପ୍ରକାଶ ପରେ ଅବକାରୀ ବିଭାଗ ପକ୍ଷରୁ ଚୋରା ବେପାରୀ ଙ୍କୁ ଧରିବା ଦିଗରେ ତତ୍ପରତା ଦେଖା ଦେଇଛି । ଶୁକ୍ରବାର ସକାଳୁ ଉକ୍ତ ବ୍ଳକ ର ନୂଆଗାଁ ପଂଚାୟତ ମଙ୍ଗୁଳିଆ କଂଟା ଗ୍ରାମର ମନୋଜ ସାହୁ ଓରଫ (କଳିଙ୍ଗ) କୁ ଅବକାରି ବିଭାଗ ଓ ନାଉଗାଁ ପୋଲିସ ମିଳିତ ସହାୟତାରେ ଧରା ଯାଇଥିବା ବେଳେ ତା ନିକଟରୁ ୧୭ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି । ବିଶେଷ ସୂତ୍ରରୁ ଖବର ପାଇ ଜଗତସିଂହପୁର ଅବକାରୀ ବିଭାଗ ନିରିକ୍ଷକ ପ୍ରତାପ ଦାସ ସଦଳବଳଙ୍କ ସହ ନାଉଗାଁ ଥାନା ଆଇଆଇସି ଗୋବର୍ଦ୍ଦନ ସାହୁ ମଙ୍ଗୁଳିଆ କଂଟାରେ ପହଂଚି ମନୋଜକୁ କାବୁ କରିଥିଲେ । ଉକ୍ତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧ ଲକ୍ଷ ୭୦ ହଜାର ଟଙ୍କା ହେବ । ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ୧୦/୨୦୨୦-୨୧ରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଅବକାରୀ ବିଭାଗ ଆଇଆଇସି ଦାସ ସୂଚନା ଦେଇଛନ୍ତି । ଉକ୍ତ ବେପାରୀ ସହିତ ଆଉ କେଉଁମାନଙ୍କର ସଂପୃକ୍ତି ରହିଛି ଓ କେଉଁଠାରୁ ଏହାକୁ ଅଣାଯାଉଛି ତାହାର ତଦନ୍ତ କରାଯାଇ ଆଗକୁ ଏହି ବ୍ୟବସାୟୀରେ ସଂପୃକ୍ତ ଥିବା ଅନ୍ୟ ବେପାରୀଙ୍କୁ ଧରିବାରେ ପ୍ରୟାସ ଜାରି ରହିବ ବୋଲି ଦାସ ପ୍ରକାଶ କରିଛନ୍ତି ।