ବିଧବା ଝିଅର ଦ୍ୱାଦଶାହରେ ମା’ର ମୃତ୍ୟୁ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗୋଟିଏ ଝିଅର ମୃତ୍ୟୁକୁ ନେଇ ଘଟିଗଲା ହୃଦୟ ବିଦାରକ ଘଟଣା। ଆଗପଛ ହୋଇ ଚାଲିଗଲେ ମା’ ସହ ୨ ଝିଅ। ପ୍ରଥମେ ଝିଅର ମୃତ୍ୟୁ। ଝିଅର ମୃତ୍ୟୁକୁ ସହିନପାରି ତାଙ୍କ ଦ୍ବାଦଶାହରେ ହୃଦ୍ଘାତର ଶିକାର ହୋଇ ଆରପାରିକି ଚାଲିଗଲେ ବିଧବା ମା’। ପୁଣି, ମା’ଙ୍କ ଚିତା ପାଉଁଶ ନହେଉଣୁ ଆତ୍ମହତ୍ୟା କଲେ ଅନ୍ୟ ଜଣେ ଅବିବାହିତ ଝିଅ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ଶିଗିଡ଼ି ସାହିରେ । ଏହି ଘଟଣା ଯେକୌଣସି କରୁଣ କାହାଣୀଠାରୁ ଆହୁରି କରୁଣ। ଏହି ଘଟଣା ପରେ ସାରା ଗାଁରେ ସମ୍ପୂର୍ଣ୍ଣ ଶୋକର ଛାୟା ଖେଳିଯାଇଛି। ପ୍ରାପ୍ତ ସୂଚନା ମୁତାବକ ବେଲଗୁଣ୍ଠା ବ୍ଲକ୍ରେ ପିଅନ ଭାବେ କାର୍ୟ୍ୟ କରୁଥିବା ତଥା ଭଞ୍ଜନଗର ବାଗ୍ଦେବୀ ରୋଡ଼୍ ବାସିନ୍ଦା ବାସନ୍ତୀ ପାଢ଼ୀ (୫୨) ଗତ ୨୩ ତାରିଖରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ୨୫ ତାରିଖରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଗତକାଲି ଭଞ୍ଜନଗର ସହର ଶିଗିଡ଼ି ସାହିସ୍ଥିତ ପୈତୃକ ବାସଭବନରେ ବାସନ୍ତୀଙ୍କ ଦ୍ବାଦଶାହ କାର୍ୟ୍ୟ ଚାଲିଥିବାବେଳେ ବିଧବା ମା’ ହରପ୍ରିୟା ପାଢ଼ୀ (୭୨ବର୍ଷ) ଛାତିରେ ହଠାତ୍ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ। ଫଳରେ ତୁରନ୍ତ ତାଙ୍କୁ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ହରପ୍ରିୟାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଅପରାହ୍ଣ ୫ଟାରେ ହରପ୍ରିୟାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା।ଏହି ଘଟଣା ପରେ ହରପ୍ରିୟାଙ୍କ ପାଖରେ ରହୁଥିବା ତାଙ୍କ ଅବିବାହିତା ଝିଅ ସୁନୀତା (୫୧) ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲେ। ମାତ୍ର ୨ ସପ୍ତାହ ମଧ୍ୟରେ ମା’ ଓ ଭଉଣୀକୁ ହରାଇବାର ଦୁଃଖକୁ ସେ ସହି ପାରି ନଥିଲେ। ଆଉ ଆତ୍ମହତ୍ୟାର ବାଟ ବାଛି ନେଇଥିଲେ। ଆଜି ସକାଳ ୯ଟାରେ ତାଙ୍କର ଝୁଲନ୍ତା ଶବ ଉଦ୍ଧାର ହୋଇଥିଲା। ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରିଥିଲା। ଏଥିସହ ଭଞ୍ଜନଗର ଥାନାରେ ଏ ନେଇ କେସ୍ ନମ୍ବର ୫୧ /୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା। ଏଭଳି ଦୁଃଖଦ ଘଟଣା ପରେ ଆଜି ସାରା ସହରରେ ଶୋକର ଛାୟା ଖେଳି ଯାଇଛି ।


