ଦୁର୍ବଳ ରାସ୍ତାରେ ସୃଷ୍ଟି ହେଲା ଘାଇ;୩ଟି ଗ୍ରାମର ୧୫୦ ପରିବାର ଜଳବନ୍ଦୀ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ କେନ୍ଦୁଆପଦା ପଞ୍ଚାୟତ ଅଧିନ ଗୋହିରାପଦୀରୁ ମୁଗଗଢିଆ ଦେଇ ବି.କେ.ବି.ଏମ୍ ରୋଡ୍‌କୁ ସଂଯୋଗ କରୁଥିବା ରାସ୍ତାର ମୁଗଗଢିଆ ଠାରେ ଘାଇ ସୃଷ୍ଟି ହୋଇ ମୁଗଗଢିଆ, କସଗଢିଆ ଓ ଗୋହିରାପଦୀ ଆଦି ଗ୍ରାମର ପ୍ରାୟ ୧୫୦ରୁ ଉର୍ଦ୍ଧ୍ୱ ପରିବାର ଜଳବନ୍ଦୀ ଅବସ୍ଥାରେ ଥିବା ଜଣାଯାଇଛି । ପ୍ରକାଶ ଯେ, ଗତ ୪ ଦିନ ତଳେ ଲଘୁଚାପ ବର୍ଷା ସାଙ୍ଗକୁ ରେବ ନଦୀର ଜଳବୃଦ୍ଧି ହୋଇ ସଂପୃକ୍ତ ଦୁର୍ବଳ ରାସ୍ତାରେ ଘାଇ ସୃଷ୍ଟି ହୋଇ ପାଣି ସୁଅ ଚାଲିଛି । ଶହ ଶହ ଏକର ଚାଷ ଜମି ଜଳମଗ୍ନ ହେବା ସହ ସଂପୃକ୍ତ ଗ୍ରାମ ଗୁଡିକ ଜଳବନ୍ଦୀ ଅବସ୍ଥାରେ ରହିଛି । ବି.କେ.ବି.ଏମ୍ ରୋଡ୍‌ର ଗଣ୍ଡଗରା ଠାରୁ ଗୋହିରାପଦୀ ପର୍ଯ୍ୟନ୍ତ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ଫଳରେ ଲୋକମାନେ କେନ୍ଦୁଆପଦା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ବ୍ୟାଙ୍କ ସମେତ ଦୈନନ୍ଦିନ କାର୍ଯ୍ୟରେ କେନ୍ଦୁଆପଦା, ଗୋବିନ୍ଦପୁର, ସେଣ୍ଢତୀରା ଆଦି ବଜାରକୁ ଯାଆସ କରିପାରୁନାହାନ୍ତି । ଏଥିସହ ଲୋକେ ବ୍ଲକ ସଦର ମହକୁମା ଓ ଜିଲ୍ଲା ମୁଖ୍ୟାଳୟକୁ ଯିବାରୁ ବଂଚିତ ହୋଇଛନ୍ତି । ଗ୍ରାମ ଗୁଡିକ ଜଳବନ୍ଦୀ ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ରାସ୍ତାର ମରାମତି ନେଇ ଲୋକେ ବହୁବାର ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ସେହିପରି ଗୋହିରାପଦୀ ଠାରେ ରେଳବାଇ ପୋଲ ଦେଇ ପ୍ରାୟ ଅଢେଇ ଫୁଟ୍ ଉଚ୍ଚତାର ଜଳ ପ୍ରବାହିତ ହେଉଥିବାର ଦେଖାଯାଇଛି । ଫଳରେ ଯୋଗାଯୋଗ ବିଛିନ୍ନ ହେବା ସହ ସଂଲଗ୍ନ ଗ୍ରାମ ପ୍ରଭାବିତ ହୋଇଥିବା ଜଣାଯାଇଛି । ଏପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ସମ୍ପୃକ୍ତ ଗ୍ରାମରେ ପହଂଚି ନଥିବା ଅଭିଯୋଗ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ