ପୋଲାଇ ସାହିକୁ ପାନୀୟ ଜଳଯୋଗାଣ ଦାବୀ
ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୨ ନଂ ୱାର୍ଡ଼ର ପୋଲାଇ ସାହିକୁ ପାନୀୟ ଜଳଯୋଗାଣ ପାଇଁ ଜନସାଧାରଣ ଦାବୀକରି ଲିଖିତ ଅଭିଯୋଗ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଦେଇଥିବା ଜଣାପଡିଛି। ୧୫୦ରୁ ଉର୍ଦ୍ଧ୍ବ ଲୋକ ପୋଲାଇ ସାହିରେ ବାସକରୁଥିବା ବେଳେ ପାନୀୟ ଜଳ ପାଇଁ ପାଇପ ପାଣି ଉପରେହିଁ ନିର୍ଭର କରିଥାନ୍ତି। ହେଲେ ସାହିରେ ସର୍ବସାଧାରଣ ପାଣି ନେବାପାଇଁ ଯେଉଁ ଷ୍ଟାଣ୍ଡ ପୋଷ୍ଟ ଅଛି ସେଥିରୁ ଅତି କମ ପାଣି ଆସୁଥିବା ବେଳେ ଦିନେ ଦିନେ ଆଦୌ ପାଣି ଆସୁନାହିଁ। ଯାହାଫଳରେ ଅନ୍ୟ ସାହିକୁ ଯାଇ ପାଣି ଆଣିବାକୁ ପୋଲାଇ ସାହି ଲୋକମାନେ ବାଧ୍ୟ ହୋଇଥାନ୍ତି। ପୋଲାଇ ସାହିକୁ ଯେପରି ଉତ୍ତମ ଭାବେ ପାଣି ଆସିବ ତାହାର ବ୍ୟବସ୍ଥା କରିବାକୁ ଜନସାଧାରଣ ଦାବୀ କରିଛନ୍ତି। ଏନେଇ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶଙ୍କ ସହ ଆଲୋଚନା କରିବାରେ ପୋଲାଇ ସାହିର ପାଣି ସମସ୍ୟା ଦୂର କରିବା ପାଇଁ ସେ ଏସ୍ଡ଼ିଓ ଙ୍କ ସହ ଆଲୋଚନା କରିଛନ୍ତି, ଖୁବ ଶୀଘ୍ର ଏହାର ସମାଧାନ ହୋଇ ସାହିଲୋକ ପାଇପ ପାଣି ସୁବିଧାରେ ପାଇ ପାରିବେ ବୋଲି ପ୍ରକାଶ କରିଛନ୍ତି।