ସନ୍ତ୍ରାସ

(ପଣ୍ଡିତ ହରେକୃଷ୍ଣ ପତି)

ଶିଶୁଟିଏ ଭୂମିଷ୍ଠ ହୁଏ ମା’ର ଗର୍ଭରୁ, ଠିକ୍ କୁମ୍ଭାରର କଞ୍ଚା ମାଟି ପରି । ତା’କୁ ବାପା, ମାଆ, ଗୁରୁ, ଗୁରୁଜନ, ସମାଜ ଓ ପାରିପାଶ୍ୱିର୍କ ପରିସ୍ଥିତି ଯେଉଁ ଆକାର ଦେଇ ଗଢି ତୋଳନ୍ତି, ସେ ଠିକ୍ ସେହିପରି ହୋଇଯାଏ । ସେହି ଚକିରେ ତିଆରି ହେବା ବେଳେ ସେ ଭଲ ହେଲା କି ଖରାପ, ସେଥିରେ ତା’ର ସମ୍ୟକ୍ ଦୋଷ ନଥାଏ । ମଣିଷ ପରି ସୁନ୍ଦର ଜୀବକୁ ଗଢି, ଭଗବାନ ତା’ ଦେହରେ ଭରି ଦେଇଥିଲେ ଦିବ୍ୟ ଜ୍ଞାନ । କିନ୍ତୁ, ଯଦି ଆମେ ଆବଶ୍ୟକତା ଅନୁସାରେ ସେହି ଜ୍ଞାନର ବ୍ୟବହାର ଠିକ୍ ସମୟରେ ଓ ଠିକ୍ ଉପଯୁକ୍ତ ସ୍ଥାନରେ କରି ନପାରନ୍ତି, ତେବେ ଆମର ଏ ଦୁର୍ଲ୍ଲଭ ଜନ୍ମ ବୃଥା ହୋଇଯାଏ । ଆମେ ନିଜେ ନଷ୍ଟ ହେବା ସହ ଆମ ପରିବାର ଓ ସମାଜକୁ ମଧ୍ୟ କଳୁଷିତ କରି ପକାନ୍ତି । ଠିକ୍ ସେଇଆ ହୁଏ ଜଣେ ବାଟହୁଡ଼ା ପଥିକ କ୍ଷେତ୍ରରେ । ପେଟର ଭୋକ ଦାଉ ସହି ନପାରି ଯେତେବେଳେ ସେ ମାଆ ଠାରୁ ଖାଦ୍ୟ ଚାହେଁ, ସେତେବେଳେ ଶୁଣେ ଭର୍ତ୍ସନା, ଆଉ ସ୍କୁଲ୍ ଯିବାକୁ ବହି ଖଣ୍ଡେ ପାଇଁ ବାପା ପାଖରେ ଅଳି କଲେ ଶୁଣେ ଅସରନ୍ତି ଗାଳି । ସେହିପରି ସମାଜରେ ସମବୟସ୍କମାନଙ୍କ ସହ ମିଶି ତା’ର ସୁଖ ଦୁଃଖ ବାଣ୍ଟିବାର ପ୍ରୟାସ କଲେ, ସେଠାରୁ ମଳିମୁଣ୍ଡିଆ ହୋଇଥିବାର ପରିଣାମ ସ୍ୱରୂପ ଶୁଣିଥାଏ ଧିକ୍କାର । ତଥାପି ସେ କାହାର ଦୁଃଖ ଦେଖିଲେ ସହାୟତା ଦେବା ପାଇଁ ଆଗେ ଦୌଡ଼ି ଆସେ । ଗାଁର ଅସହାୟ ପିଲା, ବୁଢାମାନଙ୍କ ପାଇଁ କେତେବେଳେ ସେ ଦେବତା ସାଜେ ତ କେତେବେଳେ ମା’, ଭଉଣୀଙ୍କୁ ଲୋଲୁପ ଦୃଷ୍ଟିରେ ଦେଖୁଥିବା ଅମଣିଷଙ୍କ ପାଇଁ ସାଜିଥାଏ ଦାନବ । ଘରପୋଡ଼ି, ବନ୍ୟା, ବାତ୍ୟା ସମୟରେ ବିପନ୍ନମାନଙ୍କ ନିକଟରେ ପ୍ରଥମେ ପହଂଚିଯାଏ ସେ ।
ଏମିତି ବଞ୍ଚୁ ବଞ୍ଚୁ ଦିନେ ଯେତେବେଳେ ସେ ନିଜର ପେଟ ପୋଷିବାକୁ କୌଣସି ତଥାକଥିତ ଧନାଢ୍ୟ ବ୍ୟକ୍ତି ନିକଟକୁ ସହାୟତା ଆଶାରେ ଯାଏ, ତା’ ଠାରୁ ପାଏ କେବଳ ନିରାଶା ଓ ହତାଶା ଏବଂ ସ୍ଥଳ ବିଶେଷରେ ମାଲିକର ହାତ ବାରିସି ସାଜି ନିଜର ଅନିଚ୍ଛା ସତ୍ତ୍ୱେ ବିଭିନ୍ନ ଅମାନବୀୟ କର୍ମ କରେ ତା’ର ସ୍ୱାର୍ଥ ପୂରଣ କରିବା ପାଇଁ । ଆଉ ତାହା ବଦଳରେ ତା’କୁ ମିଳେ କେବଳ କୁକୁରକୁ ମିଳୁଥିବା ଖଣ୍ଡେ ଶୁଖିଲା ରୁଟି ଆଉ ଦି’ ଖଣ୍ଡ ଅଇଁଠା ମାଂସ । ଦିନ ସାରା ତା’ ଦ୍ୱାରା ଅମାନୁଷିକ ଏବଂ ଅନୈତିକ କର୍ମ କରାଇ ସନ୍ଧ୍ୟାରେ ପାରିଶ୍ରମିକ ଆକାରରେ ଦିଆଯାଏ ଅଶ୍ରାବ୍ୟ ଗାଳି ଓ ଲାଞ୍ଛନା । ତଥାପି ସେ ଏକ ଅସଫଳ ପ୍ରୟାସରେ ଲାଗି ପଡ଼ିଥାଏ, ସମାଜରେ ନିଜର ସ୍ଥିତି ଜାହିର କରିବା ପାଇଁ । ସରକାର କିମ୍ବା ପ୍ରଶାସନ ଠାରୁ କିଛି ସାହାଯ୍ୟ ଆଶାରେ ପହଂଚେ ବିଭିନ୍ନ ଦପ୍ତରରେ । ଦେଶମାତୃକାର ସେବା କରିବା ପାଇଁ ଜବାନ ଭାବେ ଭର୍ତ୍ତି ହେବାକୁ ଇଚ୍ଛା କରି ନିଜର ପକ୍ଷ ରଖେ ସେ । କିନ୍ତୁ, ସେଠାରେ ଉତ୍କୋଚ ଓ ଚଞ୍ଚକତାର ଚକିରେ ବାରମ୍ବାର ପେଷି ହେବା ପରେ ସମସ୍ତ ଆଶା ଛାଡ଼ି ଦେଇ ତା’ର ଭଙ୍ଗା ମନକୁ ପ୍ରଶ୍ନ କରେ, ଏତେ ବଡ଼ ଦୁନିଆରେ କ’ଣ ଜଣେ ବି ନାହିଁ ପଡ଼ି ଯାଉଥିବା ଲେକଟିର ହାତ ଧରି, ତା’କୁ ତଳୁ ଉଠାଇ ଆଣି କୋଳାଇ ନେବା ପାଇଁ? ଶେଷରେ ଅନ୍ୟମାନଙ୍କ ପରି ସୁଖର ସଂସାର କରିବାର ସ୍ୱପ୍ନ ତା’ର ମାଟିରେ ମିଶିଯାଏ ।
ଏହିପରି ଚିନ୍ତା କରି କରି ବଞ୍ôଚବାର ରାହା ଖେଜୁଥିବା ବେଳେ ହଠାତ୍ ଏକ ମଧ୍ୟରାତ୍ରୀରେ ଘର କବାଟରେ ଠକ୍ ଠକ୍ ଶବ୍ଦ ହୁଏ, ଆଇ ତା’ ପାଖକୁ ଦେବଦୂତ ସାଜି ଆସନ୍ତି କେତେ ଜଣ କଳା ମୁଖା ପିନ୍ଧା ବନ୍ଧୁକଧାରୀ ବ୍ୟକ୍ତି । ନିଭୃତ କୋଠରୀରେ ଚାଲେ ମନ୍ତ୍ରଣା । ରାତି ପାହିଲା ବେଳକୁ ଘରର କବାଟ ଖୋଲା ଥାଏ ଓ ଘର ମଧ୍ୟ ଖାଲି ପଡ଼ିଥାଏ । ତାହା ପରେ ସେହି ଅସହାୟ ତଥା ନିରାଶ ବ୍ୟକ୍ତିଟିକୁ କେହି ଖୋଜି ପାଆନ୍ତିନି, ଘରେ, ବାହାରେ ଆଉ ଗାଁ ଗଣ୍ଡାରେ । କୁଆଡ଼େ ଗଲା ସେ ବୋଲି ପ୍ରଶ୍ନ ଉଙ୍କିମାରେ ସଭିଁଙ୍କ ମନରେ, କିନ୍ତୁ ଉତ୍ତର ମିଳେନା ।
ଏହିପରି କିଛି ବର୍ଷ ବିତିଯାଏ । ଦିନେ ସନ୍ଧ୍ୟାରେ ଗାଁ ମୁଣ୍ଡରେ ବାଣ ଫୁଟିବାର ଶବ୍ଦ ଶୁଭେ । କିଛି ସମୟ ପରେ ଘରକୁ ଫେରୁଥିବା ଗ୍ରାମବାସୀଙ୍କ ଟର୍ଚ୍ଚ ଆଲୁଅ ପଡେ ଏକ ରକ୍ତାକ୍ତ ମୃତ ଦେହ ଉପରେ । ଚମକିପଡ଼ି ସେମାନେ ଭୟଭୀତ ଅବସ୍ଥାରେ ଗାଁକୁ ଆସନ୍ତି ଏବଂ ସବୁକଥା କହନ୍ତି । ପୁଲିସ ଆସି ଶବ ନେଇଯାଏ । କିଛି ଲୋକ କହନ୍ତି ଠିକ୍ ହୋଇଛି, ଏ ଅସାଧୁ ସାହୁକାରଟା ମରିଛି । ସେଦିନର ସେହି ବେକାର ଯୁବକଟି ଆଜି ସନ୍ତ୍ରାସବାଦୀର ମୁଖା ପିନ୍ଧି ପାଲଟିଛି ଅସତ୍ୟ ପଥରେ ଚାଲୁଥିବା ଏହିପରି ଶହ ଶହ ସାହୁକାରମାନଙ୍କ ପାଇଁ କାଳ । ସାହୁକାର ପରି ସମାଜରେ ରହିଥିବା କଳଂକମାନଙ୍କୁ ପୋଛି ଦେବାପାଇଁ ହିଁ ଆଜି ସେ ସନ୍ତ୍ରାସର ଅସ୍ତ୍ର ଧରି ସାଜିଛି ସନ୍ତ୍ରାସବାଦୀ । ଯେଉଁ ଆଇନ ଶୃଙ୍ଖଳାର ରକ୍ଷକମାନେ ଏହି କାର୍ଯ୍ୟ କରିବା କଥା, ସେମାନେ ନିଜ କର୍ତ୍ତବ୍ୟକୁ ଭୁଲି ଆଜି ରକ୍ଷକ ବଦଳରେ ଭକ୍ଷକ ସାଜିଥିବାରୁ ଏହି କାର୍ଯ୍ୟ ଅନ୍ୟକୁ କରିବାକୁ ପଡୁଛି ଏବଂ ଆଇନ ଆଖିରେ ତାହା ଅପରାଧ ପାଲଟି ଯାଉଛି । ଏଥିପାଇଁ ଦାୟୀ କେବଳ ଆମର ଏ ସମାଜ ଆଉ ସମାଜର କଳୁଷିତ ନୀତି ନିୟମ, ବାଛ ବିଚାର ଓ ଭେଦଭାବ । ସେହି ସାହୁକାର ଠାରୁ ଏହି ରକ୍ତର ଖେଳ ଆରମ୍ଭ ହୋଇ କେତେ ଦୁର୍ନୀତିଖୋର ନେତା, ପୁଲିସ, ବ୍ୟବସାୟୀ ଓ ଅଫିସରଙ୍କ ଯେ ଜୀବନ ନେଇଛି ତା’ର ଇୟତ୍ତା ନାହିଁ । ତଥାପି ସରୁନି ସେ ଖେଳ । ତା’ର ଅଶାନ୍ତ ମନର ଜ୍ଜ୍ୱାଳା ଏ ଯାଏଁ ବି ଥମିନି ।
ହଠାତ୍ ପୁଣି ଦିନେ ସେ ଦେଖିବାକୁ ପାଏ ନିଜ ସଂଗଠନରେ ମଧ୍ୟ ଚାଲିଛି ଅରାଜକତା । ତା’କୁ କୁହା ଯାଇଥିବା ସବୁ କଥା ପାଲଟିଛି ମିଛ । ସଂଗଠନର କିଛି ମହିଳା ସାଥୀମାନଙ୍କ ଉପରେ ତା’ ଆଖି ସାମ୍ନାରେ ଚାଲିଛି ଅକଥନୀୟ ଅତ୍ୟାଚାର । ମୁହଁ ଖୋଲିଲେ ଛାତିରେ ଗୁଳି ବର୍ଷଣ କରା ଯାଉଛି । ବାହାରୁ ଆସୁଥିବା ଅର୍ଥର ଭାଗ ବଣ୍ଟା ସମୟରେ ବି ଘଟୁଛି ମୁଖିଆ ମୁଖିଆଙ୍କ ଭିତରେ ହତ୍ୟାକାଣ୍ଡ । ଏଠି ବି ସେହି ଗୋଷ୍ଠୀ କନ୍ଦଳ । ପୁଣି ଦିନେ ଅନ୍ୟ ରାଜ୍ୟରୁ ଆସନ୍ତି ବଡ଼ ବଡ଼ ଆତଙ୍କବାଦୀ ସଂଗଠନର ନେତା । ଏଠାରୁ କିଛି ଟାଣୁଆ କର୍ମୀଙ୍କୁ ତାଙ୍କ ସଂଗଠନକୁ ନେବେ, ଭଲ ଖାଦ୍ୟ ଓ ବେଶୀ ଅର୍ଥ ମିଳିବ । ପୂର୍ବ ରେକର୍ଡ ଦେଖି ଏହି ଯୁବକଙ୍କ ସମେତ ତିନି ଚାରିଜଣଙ୍କୁ ଚିହ୍ନଟ କରାଗଲା । ଭାରତ ବିରୋଧୀ ସଂସ୍ଥା ଓ ବ୍ୟକ୍ତିଙ୍କୁ ସଫା କରିବାକୁ କୁହାଯାଇ ସେମାନଙ୍କୁ ସଂଗଠନରେ ମିଶାଗଲା । ପରେ ଦେଖିବାକୁ ମିଳିଲା ପାକିସ୍ଥାନ ସରକାର ଦ୍ୱାରା ପରିଚାଳିତ ବିଭିନ୍ନ ଆତଙ୍କବାଦୀ ସଂଗଠନର ଇଶାରାରେ ଶହ ଶହ ଭାରତୀୟ ନିରୀହ ନାଗରିକଙ୍କୁ ହତ୍ୟା କରାଯାଉଛି । ଏତେବେଳେ ମନ ଓ ବିବେକର ଯୁଦ୍ଧରେ ଅତିଷ୍ଠ ହୋଇପଡ଼ିଲା ସେହି ଯୁବକଟି । ଏବେ ସେ କ’ଣ କରିବ ବୋଲି ଭାବି ଭାବି ତା’ର ମୁଣ୍ଡ ଘୂରାଇଗଲା । ଶେଷରେ ଉପଲବ୍‌ଧି କଲା, ଏ ଦେଶରେ ସଚ୍ଚା ଦେଶଭକ୍ତଙ୍କ ସଂଖ୍ୟା ଖୁବ୍ କମ୍ ଓ ଦେଶଦ୍ରୋହୀଙ୍କ ସଂଖ୍ୟା ଖୁବ୍ ଅଧିକ ।
ଅନ୍ୟାୟ, ଅନୀତି ବିରୁଦ୍ଧରେ ଏବଂ ଅସହାୟମାନଙ୍କ ଉତ୍‌ଥାନ ପାଇଁ ଲଢେଇ କରିବାକୁ କହି ମାଓବାଦୀ ତଥା ଆତଙ୍କ(ସନ୍ତ୍ରାସ)ବାଦୀ ସଂଗଠନରେ ସାମିଲ କରାଇଥିବା ବ୍ୟକ୍ତିମାନଙ୍କର କହିଥିବା କଥାଗୁଡ଼ିକ ସମ୍ପୂର୍ଣ୍ଣ ମିଥ୍ୟା ପ୍ରମାଣିତ ହେବା ପରେ ସେ ଏକାବେଳକେ ଭାଙ୍ଗିପଡ଼େ । ତା’ର ଅନ୍ତରାତ୍ମା ତା’କୁ ଥରକୁ ଥର ଚେତାଇ ଦିଏ, ତୁ ଏ କ’ଣ କରୁଛୁ, ଏହା କ’ଣ ମଣିଷର କର୍ତ୍ତବ୍ୟ, ଏଥି ପାଇଁ କ’ଣ ତୋତେ ମଣିଷ ଜନ୍ମ ମିଳିଥିଲା? ଚାରିଆଡ଼ର ଅନ୍ୟାୟ, ଅନୀତି ଓ ହାହାକାର ଦେଖି ସେ ପୁଣି ନିଷ୍ପତ୍ତି ନିଏ, ସମାଜର ମୁଖ୍ୟ ସ୍ରୋତକୁ ଫେରିବା ପାଇଁ । ତା’କୁ କଥା ଦେଇଥିବା ସରକାର ଓ ପୁଲିସ ମଧ୍ୟ ତା’ ସହ ଖେଳ ଖେଳନ୍ତି । ଜୀବନ ଜୀଇଁବାର ସ୍ଥାୟୀ ସମାଧାନ କରିବାର ପ୍ରତିଶୃତି ଦେଇ ତାହା ବଦଳରେ ତା’କୁ ରଖାଯାଏ ଜେଲ୍‌ରେ, ବର୍ଷ ବର୍ଷ ଧରି । ଶେଷରେ ଜେଲ କୋଠରୀରେ ସେ ଡେଉଁରିଆ ଭିତରେ ଲୁଚାଇ ରଖିଥିବା ସାଇନାଇଡ ଟାବଲେଟଟିକୁ ଦାନ୍ତରେ କାମୁଡ଼ି ଦେଇ ଚାଲିଯାଏ ଆରପାରିକୁ, ସବୁ ଦିନ ପାଇଁ, ଏ ବିଷ ଜର୍ଜ୍ଜରିତ ସଂସାରକୁ ଛାଡ଼ି ।
ତେଣୁ, ଯେ କୌଣସି କାର୍ଯ୍ୟରେ ଯୋଗ ଦେବାକୁ ମନସ୍ଥ କରିବା ପୂର୍ବରୁ ତାହାର ପରିବେଶ, ପରିସ୍ଥିତି ଓ ପରିଣାମ ସମ୍ବନ୍ଧରେ ସଚେତନ ହେବା ସହ କାହାରି ପ୍ରରୋଚନାରେ ପରିଚାଳିତ ନହୋଇ ନିଜସ୍ୱ ବୁଦ୍ଧି ବଳରେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ଉଚିତ ।
:ପଧାନପଡ଼ା, ବନ୍ତ, ଭଦ୍ରକ, ମୋ-୭୫୦୪୪୨୪୬୦୧ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ