ପୂର୍ବ ଶତୃତାକୁ କେନ୍ଦ୍ର କରି ବସ ପୋଡ଼ି, ଜଣେ ଗିରଫ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳି ଥାନା ପୋଡ଼ିଙ୍ଗି ଗ୍ରାମରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଜଣେ ଯୁବକ ବସରେ ନିଆଁ ଲଗାଇବା ଅଭିଯୋଗରେ ସ୍ଥାନୀୟ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଗିରଫ ଜଣକ ପୋଡ଼ିଙ୍ଗି ଗ୍ରାମର ବଳରାମ ଡ଼ାକୁଆ ।ଏ ନେଇ ହିଞ୍ଜିଳି ଥାନାରେ ନଂ- ୨୯୭/୨୦ରେ ଏକ ମାମେଲା ରୁଜୁ କରି ମଙ୍ଗଳବାର କୋର୍ଟ ଚାଲାଣ କରିଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ ଯେ, ହିଞ୍ଜିଳିକାଟୁ ବ୍ଳକ ଶାସନ ଆମ୍ବଗାଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଶିକ୍ଷାର୍ଥୀଙ୍କ ଯାତାୟତ କାର୍ଯ୍ୟରେ ନିୟୋଜିତ ବସ୍ (ଓଆର୦୭ସି ୧୧୨୧)ଟି ମହାମାରୀ କରୋନା ଭୁତାଣୁ ସଂକ୍ରମଣ ବ୍ୟାପିଥିବାରୁ ବିଦ୍ୟାଳୟ ବନ୍ଦ ରହିଥିବା ଯୋଗୁଁ ବସ୍ଟି ଗାଡ଼ି ମାଲିକ ଅଜିତ କୁମାର ନାୟକଙ୍କ ପୋଡ଼ିଙ୍ଗି ଗ୍ରାମର ଉଚ୍ଚ ବିଧ୍ରାଳୟ ନିକଟରେ ରହିଥିଲା । ଗତ ୨୫ ତାରିଖ ରାତି ପ୍ରାୟ ୯ଟାରେ କୌଣସି ଦୁବୃର୍ତ ବସ୍ରେ ନିଆଁ ଲଗାଇ ଦେଇଥିଲା । ବସରେ ନିଆଁ ଲାଗିଥିବା ଦେଖି ଗ୍ରାମର କିଛି ବ୍ୟକ୍ତି ବସ ମାଲିକ ଓ ହିଞ୍ଜିଳି ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ । ହିଞ୍ଜିଳି ଅଗ୍ନିଶମ ବାହିନୀ ଘଟଣଶ ସ୍ଥଳରେ ପଂହଚି ନିଆଁକୁ ଆୟତ କରିଥିଲେ । ଘଟଣା ନେଇ ଗାଡ଼ି ମାଲିକ ଅଜିତ କୁମାର ନାୟକ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଭିତିରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା । ମଙ୍ଗଳବାର ସକାଳେ ପୋଡ଼ିଙ୍ଗି ଗ୍ରାମର ବଳରାମଙ୍କୁ ପୁଲିସ ଥାନାକୁ ଆଣି ଜେରା କରିବା ବେଳେ ପୂର୍ବ ଶତୃତା ଓ ମଦ ନିଶାରେ ଚୁର ହୋଇ ବସ୍ରେ ନିଆଁ ଲାଗାଇଥିବା ନେଇ ସ୍ୱୀକାର କରିଥିବା ପୁଲିସ କହିଛି ।


