ବିଶ୍ୱର ପ୍ରଥମ ଫେସିଆଲ ବାୟୋମେଟ୍ରିକ ଡାଟା ଆଧାରିତ ନାବିକ ପରିଚୟ ଦସ୍ତାବିଜ ଶୁଭାରମ୍ଭ କଲା ଭାରତ
ଭାରତୀୟ ନାବିକଙ୍କୁ ଚାକିରି ପାଇବାରେ ହେବ ସହାୟକ
ଭାରତ ବିଶ୍ୱର ପ୍ରଥମ ଦେଶ ଭାବେ ନାବିକମାନଙ୍କର ଫେସିଆଲ ବାୟୋମେଟ୍ରିକ ଡାଟା ସଂଗ୍ରହ କରି ବାୟୋମେଟ୍ରିକ ନାବିକ ପରିଚୟ ଦସ୍ତାବିଜ (ବିଏସଆଇଡି) ଜାରି କରିଛି । କେନ୍ଦ୍ର ଜାହାଜ ଚଳାଚଳ ଏବଂ ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ମନସୁଖ ମାଣ୍ଡବିୟା ଆଜି ନୂଆଦିଲ୍ଲୀଠାରେ ଏହି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ସେ ପାଂଚ ଜଣ ଭାରତୀୟ ନାବିକଙ୍କୁ ବିଏସଆଇଡି କାର୍ଡ ପ୍ରଦାନ କରିଛନ୍ତି । ନୂତନ ଫେସିଆଲ ବାୟୋମେଟ୍ରିକ ଜ୍ଞାନକୌଶଳ ଦୁଇ ଆଙ୍ଗୁଳି ବା ଆଖିର ଛାପ ଆଧାରିତ ବାୟୋମେଟ୍ରିକ ଡାଟାଠାରୁ ଉନ୍ନତ । ଏଥିରେ ଆଧୁନିକ ସୁରକ୍ଷା ଉପାୟ ମଧ୍ୟ ରହିଛି । ଏହାଦ୍ୱାରା ଏସଆଇଡି କାର୍ଡ ପ୍ରାପ୍ତ ନାବିକଙ୍କ ଚିହ୍ନଟ ଅଧିକ ବିଶ୍ୱାସଯୋଗ୍ୟ ହେବ ଏବଂ ଏହାଫଳରେ ନାବିକମାନଙ୍କ ବ୍ୟକ୍ତିଗତ ଗୋପନୀୟତା ଓ ସମ୍ମାନ ସୁରକ୍ଷିତ ହେବ । ଏହି ଅବସରରେ ମାଣ୍ଡବିୟା କହିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ଦ୍ରୂତ ଗତିରେ ଆଗକୁ ବଢ଼ୁଛି । ଉପକୂଳବର୍ତୀ ଜାହାଜ ଚଳାଚଳ, ଆନ୍ତଃଦେଶୀୟ ଜଳଭାଗ ଏବଂ ସାମୁଦ୍ରିକ ଗତିବିଧିରେ ଦ୍ରୂତ ବୃଦ୍ଧି ହେଉଛି । ଏହାଫଳରେ ଏହି କ୍ଷେତ୍ରରେ ରୋଜଗାର ଅବସର ସୃଷ୍ଟି ହୋଇଛି । ଆନ୍ତର୍ଜାତିକ ଜାହାଜ ଚଳାଚଳ ଉଦ୍ୟୋଗରେ ଭାରତୀୟ ନାବିକଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ହୋଇଛି । ଭାରତ କିମ୍ବା ବିଦେଶରେ ରୋଜଗାର ପାଉଥିବା ଭାରତୀୟ ନାବିିକମାନଙ୍କ ସଂଖ୍ୟା ୨୦୧୭ରେ ୧,୫୪,୩୪୯ ଥିଲା, ଯାହାକି ଚଳିତ ବର୍ଷ ୨,୦୮,୭୯୯ରେ ପହଂଚିଛି । ଏଥିରେ ୩୫ ପ୍ରତିଶତ ବୃଦ୍ଧି ଘଟିଛି ।ନୂତନ ପରିଚୟ ପତ୍ର ବିଏସଆଇଡି ଆନ୍ତର୍ଜାତିକ ଶ୍ରମ ସଙ୍ଗଠନର ବୁଝାମଣା ସଂଖ୍ୟା-୧୮୫ର ଅନୁରୂପ । ଭାରତ ଅକ୍ଟୋବର ୨୦୧୫ରେ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲା । ବିଏସଆଇଡିରେ ଆଧୁନିକ ସୁରକ୍ଷା ଉପାୟ ରହିଛି । ଏଥିରେ ଏକ ବାୟୋମେଟ୍ରିକ ଚିପ ଲାଗିଛି । ବିଏସଆଇଡି କାର୍ଡର ସୁରକ୍ଷା ବିଭିନ୍ନ ସ୍ତର ଏବଂ ବିଭିନ୍ନ ପ୍ରକ୍ରିୟା ଦ୍ୱାରା ସୁନିଶ୍ଚିତ କରାଯାଇଛି । ଡାଟା ସଂଗ୍ରହ ସମୟରେ ମୁଁହକୁ ପାସପୋର୍ଟ ଆକାରର ଫଟୋ ସହିତ ମିଳା ଯାଇଥାଏ । ଏଥିପାଇଁ ଫଟୋ ମିଳାଇବା ସଫ୍ଟୱେରର ଉପଯୋଗ କରାଯାଇ ଥାଏ । ଫେସିଆଲ ବାୟୋମେଟ୍ରିକ ସଂଗ୍ରହ ତଥା ଏହାର ପ୍ରମାଣିକତା ପାଇଁ ଏକ ସଫ୍ଟୱେର ବିକଶିତ କରାଯାଇଛି ।\nଜାରି କରାଯାଇଥିବା ପ୍ରତ୍ୟେକ ଏସଆଇଡି କାର୍ଡ ସହିତ ସମ୍ବନ୍ଧିତ ସୂଚନା ରାଷ୍ଟ୍ରୀୟ ଡାଟାବେସରେ ସଂଗ୍ରହ କରାଯିବ ଏବଂ ଏଥିସହିତ ସମ୍ବନ୍ଧିତ ସୂଚନା ବିଶ୍ୱର ଯେ କୌଣସି କୋଣରୁ ପ୍ରାପ୍ତ କରାଯାଇ ପାରିବ । ଭାରତରେ ବିଏସଆଇଡି ପରିଯୋଜନା ସି-ଡେକ ମୁମ୍ବାଇ ସହଯୋଗରେ କାର୍ଯ୍ୟକାରୀ କରାଯାଉଛି । ସରକାର ୨୦୧୬ରେ ମର୍ଚାଂଟ ସିପିଙ୍ଗ (ନାବିକ ବାୟୋମ୍ୟାଟ୍ରିକ ପରିଚୟ ଦସ୍ତାବିଜ) ନିୟମ ଅଧିସୂଚିତ କରିଛନ୍ତି । ଏସଆଇଡି କାର୍ଡରେ ନାବିକମାନଙ୍କୁ ବାୟୋମେଟ୍ରିକ ସହିତ ଭୌଗୋଳିକ ସୂଚନା ସାମିଲ ରହିବ । ଏହା ପରେ ଏସଆଇଡି କାର୍ଡ ନାବିକମାନଙ୍କ ପାଇଁ ଜାରି କରାଯିବ । ବିଏସଆଇଡି କାର୍ଡ ଜାରି କରିବା ପାଇଁ ମୁମ୍ବାଇ, କୋଲକାତା, ଚେନ୍ନାଇ, ନୋଏଡା, ଗୋଆ, ବାଙ୍ଗାଲୋର, କୋଚ୍ଚି, ବିଖାଖାପାଟଣା ଓ କାଂଡଲାରେ ୯ଟି ତଥ୍ୟ ସଂଗ୍ରହ କେନ୍ଦ୍ର ଖୋଲାଯାଇଛି । ପ୍ରତ୍ୟେକ ଭାରତୀୟ ନାଗରିକ ଯାହାଙ୍କୁ କି ଭାରତ ସରକାରଙ୍କ ଦ୍ୱାରା କଂଟିନ୍ୟୁଅସ ଡିସଚାର୍ଜ ସାର୍ଟିଫିକେଟ ପ୍ରାପ୍ତ ହୋଇଛି ସେମାନଙ୍କୁ ବିଏସଆଇଡି କାର୍ଡ ପାଇଁ ଯୋଗ୍ୟ ବିବେଚିତ କରାଯିବ । ସମ୍ପ୍ରତି ୩,୫୦,୦୦୦ ଭାରତୀୟ ନାବିକଙ୍କୁ ବିଏସଆଇଡି କାର୍ଡ ଜାରି କରାଯିବ । ସମସ୍ତ ନାବିକ ମାନଙ୍କୁ ୨ ବର୍ଷ ମଧ୍ୟରେ ବିଏସଆଇଡି କାର୍ଡ ଜାରି କରାଯିବ । ଏହାପରେ ପ୍ରତ୍ୟେକ ବର୍ଷ ୧୫,୦୦୦ ନାବିକ ମାନଙ୍କୁ ବିଏସଆଇଡି କାର୍ଡ ପ୍ରଦାନ କରାଯିବ ।