ନାଉଗାଁ କୃଷି ବିଭାଗର ଦାୟିତ୍ୱହୀନତା ଯୋଗୁଁ ସାର ଦଲାଲ ସକ୍ରିୟ

ନାଉଗାଁ,(ଓ୍ବାଇଏନ୍ଏସ୍):ଚଳିତ ବର୍ଷ ନିଅଂଟିଆ ବର୍ଷା ଯୋଗୁଁ ଧାନ ଚାଷରେ ବିଳମ୍ବ ଘଟିଛି । ଏହା ସହିତ ଦୁଇ ଦୁଇ ଥର ଧାନ ତଳି ପଡି ବର୍ଷା ଅଭାବରୁ ପୋଡି ନଷ୍ଟ ହୋଇଥିଲା । ପରେ ବର୍ଷା ହେବାରୁ ଚାଷୀମାନେ ବଡ କଷ୍ଟରେ ଚାଷକାମ ଆରମ୍ଭ କରିଥିଲେ । ହେଲେ ଲଘୁଚାଷ ଜନିତ ଲଗାଣ ବର୍ଷା ଯୋଗୁ ଚାଷ ଜମିରୁ ଜଳ ନିଷ୍କାସନ ନ ହୋଇ ପାରିବାରୁ ଏବେ ଧାନ ଗଛ ସଢି ନଷ୍ଠ ହେଉଥିବା ଦେଖାଯାଉଛି । ଅନ୍ୟପଟରେ କୃଷି ବିଭାଗର ଦାୟିତ୍ୱହୀନତା ଯୋଗଁ ସରକାରୀସ୍ତରରୁ ସାର ଓ କିଟନାଶକ ଔଷଧ ସଠିକ ଭାବେ ମିଳିପାରୁନାହିଁ । ଏହାଫଳରେ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାର ଫାଇଦା ନେଇ ସାର ଦଲାଲମାନେ ସକ୍ରିୟ ହୋଇ ବାହାର ଜିଲ୍ଲାରୁ ସାର ଆଣି ଚଢା ଦରରେ ବିକ୍ରୟ କରୁଥିବା ଅଭିଯୋଗ ହେଉଛି । ନାଉଗାଁ କୃଷି ବିଭାଗର ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ୧୬ଟି ପଂଚାୟତରେ ୭ ହଜାର ୩ ଶହ ହେକ୍ଟର ଚାଷ ଜମିରେ ଧାନ ଚାଷ ହେଉଛି । ସରକାରଙ୍କ ପକ୍ଷରୁ ଉକ୍ତ ଚାଷୀମାନଙ୍କୁ ବ୍ଲକର ଛଅ ଗୋଟି ସେବା ସମବାୟ ସମିତି ମାଧ୍ୟମରେ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ଉକ୍ତ ସେବା ସମବାୟ ସମିତି ମାଧ୍ୟମରେ ଚାଷୀମାନଙ୍କୁ ସାର ଯୋଗାଇ ଦିଆଯାଉଛି । ତଥ୍ୟ ଅନୁସାରେ ଏହି ଛଅଟି ସେବା ସମବାୟ ସମିତି ଦ୍ୱାରା ୟୁରିଆ ୧୦୭.୧ ମେଟ୍ରିକ ଟନ, ଡିଏପି ୭୭.୭୫ ମେଟ୍ରିକ ଟନ ଓ ପଟାସ ୧୭.୫ ମେଟ୍ରିକ ଟନ ସାର ଚାଷୀମାନଙ୍କୁ ବିକ୍ରୟ କରାଯାଇଛି ।ଏପରିକି ଏହି ବ୍ଲକରେ ସରକାରୀ ଅଧିକୃତ ୧୫ଟି ସାର ଦୋକାନ ରହିଛି । ଯାହା ମଧ୍ୟରୁ ଚାଷୀମାନେ ପିଓଏସ ମେସିନରେ ଆଧାର ନମ୍ବର ଦେଇ ସରକାରୀ ଧାର୍ଯ୍ୟ ଅନୁସାରେ ସାର କ୍ରୟ କରି ପାରିବେ ବୋଲି ଘୋଷଣା କରାଯାଇଛି । କିନ୍ତୁ ବିଭାଗ ପକ୍ଷରୁ ଏ ସମସ୍ତ ଦୋକାନ ଗୁଡିକ ସଠିକ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନଥିବା ଚାଷୀମାନଙ୍କ ଦ୍ୱାରା ଅଭିଯୋଗ ହେଉଛି । ଯାହାର ଫାଇଦା ନେଇ ସାର ଦଲାଲମାନେ ସକ୍ରିୟ ହୋଇ କଳା ବଜାରରେ ସାର ବିକ୍ରି କରୁଛନ୍ତି । ଉକ୍ତ ସାର ଦଲାଲମାନେ ପ୍ରତିଦିନ ପୁରୀ ଜିଲ୍ଲାର ନୂଆହାଟରୁ ନାଉଗାଁହାଟ,ଗଙ୍ଗଦାହାଟ, ଅଲଣାହାଟ, ମୁଣ୍ଡାଳୋ ଓ ଗାରୋଇ ଆଦି ଅଂଚଳକୁ ଗାଡି ଗାଡି ସାର ବୋଝେଇ କରି ଆଣୁଥିବା ଜଣାଯାଇଛି । ସାଧାରଣ ଚାଷୀମାନେ ବାଧ୍ୟ ହୋଇ ଚଢା ଦରରେ ବଜାରରୁ ଉକ୍ତ ସାର କିଣୁଥିବା ଦେଖିବାକୁ ମିଳୁଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯଦି କୌଣସି ବ୍ୟକ୍ତି ସାର ବିକ୍ରୟ କରିବା ପାଇଁ ସରକାରୀ ପଂଜିକୃତରେ ନାମ ପଂଜିକୃତ କରିଥାଏ ତେବେ ଉକ୍ତ ବ୍ୟବସାୟୀ ଜଣଙ୍କ ସଂପୃକ୍ତ ଜିଲ୍ଲା କୃଷି ବିଭାଗ ଅଧିନ ସାର ଯୋଗାଣକାରୀ ସଂସ୍ଥାରୁ ସାର କ୍ରୟ କରି ବିକ୍ରି କରିବାର ନିୟମ ରହିଛି । କିନ୍ତୁ ବିଭାଗ ପକ୍ଷରୁ ଏହାର କୌଣସି ସଠିକ ତଦନ୍ତ କରାଯାଉ ନଥିବା କାରଣରୁ ସାର ଦଲାଲମାନେ ସକ୍ରିୟ ହୋଇ ବାହାର ଜିଲ୍ଲାରୁ ସାର ଆଣୁଥିବା ଦେଖିବାକୁ ମିଳୁଛି । ସେହିପରି ଧାନ ଫସଲକୁ ରୋଗପୋକ ଦାଉରୁ ରକ୍ଷା କରିବା ପାଇଁ କୀଟନାଶକ ଔଷଧର ମଧ୍ୟ ଆବଶ୍ୟକତା ରହିଛି । କିନ୍ତୁ ଉକ୍ତ ବ୍ଲକରେ କୀଟନାଶକ ଔଷଧ କ୍ଷେତ୍ରରେ ମଧ୍ୟ ଅନୁରୁପ ଅବସ୍ଥା ଦେଖିବାକୁ ମିଳୁଥିବା ଅଭିଯୋଗ ହେଉଛି । ଏଥିପ୍ରତି ବିଭାଗୀୟ ଅଧିକାରୀ ତୁରନ୍ତ ଦୃଷ୍ଠିଦେଇ ନକଲି ସାର ଓ କିଟନାଶକ ଔଷଧ ବେପାରୀଙ୍କୁ ଚିହ୍ନଟ କରିବା ସହିତ ଚାଷୀମାନଙ୍କୁ ସରକାରୀ ସାର ଓ ଔଷଧ ଯୋଗାଇ ଦେବାକୁ ଦାବି ହୋଇଛି । ଏ ସଂର୍ପକରେ ନାଉଗାଁ ବ୍ଲକ ସହ କୃଷି ଅଧିକାରୀ ନିର୍ମାଲ୍ୟ ନାୟକଙ୍କ ମତାମତ ନେବା ପାଇଁ ଚେଷ୍ଠା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ