ପଦାରେ ପଡିଲା ପରୀକ୍ଷା କେନ୍ଦ୍ରର ବିଭ୍ରାଟ

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ):ଜେଇଇ ପରୀକ୍ଷା କେନ୍ଦ୍ରରୁ ଫେରାଇ ଦିଆଯାଇଥିବା କରୋନା ପଜିଟିଭ ପରୀକ୍ଷାର୍ଥୀଙ୍କ ପାଇଁ ପରିବାର ଲୋକେ ଏବେ ଚିନ୍ତାରେ। ଯଦି ୬ ତାରିଖ ମଧ୍ୟରେ ପୁଅ ପରୀକ୍ଷା ଦେଇନପାରେ ତେବେ କ୍ୟାରିୟରର ଏକ ବର୍ଷ ନଷ୍ଟ ହୋଇଯିବ ବୋଲି ସଂପୃକ୍ତ ପଜିଟିଭ ପରୀକ୍ଷାର୍ଥୀଙ୍କ ବାପା କହିଛନ୍ତି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ନ୍ୟାସନାଲ ଟେଷ୍ଟିଂଏଜେନ୍ସି(ଏନଟିଏ) ପକ୍ଷରୁ ପରିଚାଳିତ ଜେଇଇ ପାଇଁ ଚଳିତବର୍ଷ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। ପରୀକ୍ଷା ପୂର୍ବରୁ ଏନଟିଏ ପକ୍ଷରୁ ଜାରି ହୋଇଥିବା ଏସଓପି ଅନୁସାରେ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ପରୀକ୍ଷାକେନ୍ଦ୍ରରେ ପରୀକ୍ଷାର୍ଥୀଙ୍କ ପାଇଁ ମାସ୍କ, ସାନାଇଟାଇଜର ବ୍ୟବସ୍ଥା ସହ ପଜିଟିଭ ପରୀକ୍ଷାର୍ଥୀଙ୍କ ପାଇଁ ସ୍ବତନ୍ତ୍ର କୋଠରୀର ବ୍ୟବସ୍ଥା କରାଯାଇଥିଲା। ଏପରିକି ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପୂର୍ବରୁ ପଜିଟିଭ ଥିବା ପରୀକ୍ଷାର୍ଥୀମାନେ ଏନଟିଏକୁ ନିଜର ସମସ୍ତ ସୂଚନା ଦେବା ସହ ଜିଲ୍ଲା ପ୍ରଶାସନକୁ ମଧ୍ୟ ଜଣାଇବାକୁ କୁହାଯାଇଥିଲା। ସେହିକ୍ରମରେ କରୋନା ପଜିଟିଭ ଥିବା ଗଞ୍ଜାମ ଜିଲ୍ଲାର ଜଣେ ପରୀକ୍ଷାର୍ଥୀ ସମସ୍ତ ନିୟମପାଳନ କରି ଗତକାଲି ବ୍ରହ୍ମପୁର ନିକଟସ୍ଥ ଗୋଳନ୍ଥରାସ୍ଥିତ ରୋଲାଣ୍ଡ ଇନଷ୍ଟିଚ୍ୟୁଟ ଅଫ ଟେକନୋଲଜି ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ। ତାଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ଆମ୍ବୁଲାନ୍ସ ସହ ପରୀକ୍ଷା କେନ୍ଦ୍ରରେ ସ୍ବତନ୍ତ୍ର କୋଠରୀର ବ୍ୟବସ୍ଥା ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ହେଲେ ତାଙ୍କୁ ପରୀକ୍ଷା ଦେବାକୁ ଅନୁମତି ଦିଆଯାଇନଥିଲା । ଜେଇଇ ପରିଚାଳନା ଦାୟିତ୍ବରେ ଥିବା ଟିସିଏସ ଓଏନଟିଏ ପକ୍ଷରୁ ତାଙ୍କୁ ବାରଣ କରାଯାଇଥିଲା। ଜିଲା ପ୍ରଶାସନର ଅନୁରୋଧକୁ ମଧ୍ୟ ଗ୍ରହଣ କରାଯାଇନଥିଲା। ଫଳରେ ପରୀକ୍ଷାର୍ଥୀ ଜଣଙ୍କ ଅନେକ ସମୟ ଅପେକ୍ଷା କରିବା ପରେ ବାଧ୍ୟ ହୋଇ ଘରକୁ ଫେରିଥିଲେ। ଏହି ପରୀକ୍ଷା କେନ୍ଦ୍ରରେ ଏନଟିଏ ପକ୍ଷରୁ ଉପସ୍ଥିତ ଥିବା ପର୍ଯ୍ୟବେକ୍ଷକ ପରୀକ୍ଷାର୍ଥୀଙ୍କୁ ଏକ ଲିଖିତ ପତ୍ର ଦେଇଥିଲେ। ଯେଉଁଥିରେ ତାଙ୍କ ପାଇଁ ପୁଣି ଥରେ ଏନଟିଏ ପରୀକ୍ଷା କରାଯିବ ବୋଲି ଏକ ପତ୍ର ଧରାଇ ଦିଆଯାଇଥିଲା। ହେଲେ ସେହି ପତ୍ର କେତେଦୂର କାର୍ଯ୍ୟକାରୀ ହେବ ତାକୁ ନେଇ ପରୀକ୍ଷାର୍ଥୀ ଓ ତାଙ୍କ ପରିବାର ଚିନ୍ତାରେ ରହିଛନ୍ତି। ତାଙ୍କର ପୁଅ ଦଶମରେ ୯୩ ପ୍ରତିଶତ ମାର୍କ ରଖିଥିବା ବେଳେ ଯୁକ୍ତଦୁଇରେ ୮୭ ପ୍ରତିଶତ ମାର୍କ ରଖିଛି। ମେଧାବୀ ପୁଅ ଚଳିତବର୍ଷ ଜେଇଇ ପରୀକ୍ଷା ନଦେଇପାରିଲେ ତାହାର ସମସ୍ତ ପରିଶ୍ରମ ବେକାର ହେବା ସହ କ୍ୟାରିୟରର ଗୋଟିଏ ବର୍ଷ ନଷ୍ଟ ହୋଇଯିବ ବୋଲି ବାପା କହିଛନ୍ତି। ପୁଅର କୌଣସି ଲକ୍ଷଣ ନଥିବା ସତ୍ତ୍ବେ ସେ ଏନଟିଏ ଓ ରାଜ୍ୟ ସରକାରଙ୍କ ପରାମର୍ଶକ୍ରମେ ନିଜର ପଜିଟିଭ ବିଷୟରେ ସୂଚନା ଦେଇଥିଲେ। ତେଣୁ ତାଙ୍କ ପୁଅ ଯେପରି ଚଳିତବର୍ଷ ଜେଇଇ ପରୀକ୍ଷା ଦେଇପାରିବ ସେ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସେ ଏନଟିଏ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ତେବେ ରୋଲାଣ୍ଡ କେନ୍ଦ୍ରକୁ ପରୀକ୍ଷା ଦେବାକୁ ଆସିଥିବା ପରୀକ୍ଷାର୍ଥୀଙ୍କୁ କେଉଁ ଆଧାରରେ ପରୀକ୍ଷାରୁ ବଞ୍ଚିତ କରାଗଲା ତାହାକୁ ନେଇ ନାନା ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। କେନ୍ଦ୍ରରେ ପଜିଟିଭ ଚିହ୍ନଟଙ୍କ ପାଇଁ ସ୍ବତନ୍ତ୍ର କୋଠରୀ ବ୍ୟବସ୍ଥା କରାଯାଇଥିଲା କି ନାହିଁ ତାହା ମଧ୍ୟ ଆଉ ଏକ ପ୍ରଶ୍ନ। ପରୀକ୍ଷା ପରିଚାଳନା ବିଭ୍ରାଟକୁ ଘୋଡାଇବା ପାଇଁ ପ୍ରଶାସନ ପକ୍ଷରୁ ସଂପୃକ୍ତ ଛାତ୍ରଙ୍କ କ୍ଷେତ୍ରରେ ଏଭଳି ପଦକ୍ଷେପ ନିଆଯାଇଛି ନା ବାସ୍ତବରେ ପଜିଟିଭ ଚିହ୍ନଟ ପରୀକ୍ଷାର୍ଥୀଙ୍କ ପାଇଁ ଏନଟିଏ ପୁଣି ଏକ ତାରିଖ ଧାର୍ଯ୍ୟ କରି ପରୀକ୍ଷା ଦେବାର ସୁଯୋଗ ସୃଷ୍ଟି କରିବ ତାହା ସମୟ କହିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ