ରାଧାକୃଷ୍ଣ ମହାପ୍ରଭୂଙ୍କ ଜମି ବିକ୍ରୟ ଦଲିଲକୁ ରଦ୍ଧ ନକଲେ ୧୦ ରୁ ଆମରଣ ଅନଶନ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ତହସିଲ, ପୌର ପରିଷଦ ଅଧିନ ତଥା ହିଞ୍ଜିଳି ମୈଜାରେ ରହିଥିବା ରାଧାକୃଷ୍ଣ ମହାପ୍ରଭୂଙ୍କ ଜମି ବିକ୍ରୟ ଦଲିଲକୁ ରଦ୍ଧ ନକଲେ ହିଞ୍ଜିଳି ଗ୍ରାମବାସୀ ପକ୍ଷରୁ ଆସନ୍ତା ୧୦ ତାରିଖ ଠାରୁ ହିଞ୍ଜିଳିକାଟୁ ସବ ରେଜିଷ୍ଟାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରାଯିବ ବୋଲି ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ କହିଛନ୍ତି । ଏ ନେଇ ଏକ ପତ୍ର ଶୁକ୍ରବାର ହିଞ୍ଜିଳିକାଟୁ ଅନୁନିବନ୍ଧକଙ୍କ ଅନୁପସ୍ଥିତରେ କନିଷ୍ଠ କିରାଣୀ ବଂଶୀଧର ପାଢିଙ୍କୁ ପ୍ରଦାନ କରାଯାଇଛି । ଏହାର ଏକାକିତା ନକଲ ହିଞ୍ଜିଳି ବିଧାୟକ ତଥା ମୁଖ୍ୟମନ୍ତ୍ରୀ, ଗଞ୍ଜାମ ଜିଲ୍ଲାପାଳ, ବୃତିଦାନ ସଚିବ, ଭୂବନେଶ୍ୱର ଓ ଆଇଜିଆର କଟକଙ୍କୁ ପ୍ରଦାନ କରାଯାଇଛି ।
ହିଞ୍ଜିଳି ମୈଜାରେ ରହିଥିବା ରାଧାକୃଷ୍ଣ ମହାପ୍ରଭୁଙ୍କ ପ୍ରାୟ ୮ଏକରରୁ ଉଦ୍ଧ୍ୱ ଜମି ଯାହାର ବଜାର ମୁଲ୍ୟ ପ୍ରାୟ ୧୦ କୋଟି ଟଙ୍କାରୁ ଅଧିକ ହେବ । ସଂପୃକ୍ତ ଜମିକୁ ଏଷଣ୍ଡାମେଂଟ ବୋର୍ଡ଼ ଗତ ମାର୍ଚ୍ଚ ମାସରେ ୧କୋଟି ୪୦ଲକ୍ଷ ଟଙ୍କା ସର୍ବନିମ୍ନ ଧାର୍ଯ୍ୟ କରି ମନ୍ଦିରର ଟ୍ରଷ୍ଟୀକୁ ଖବର କାଗଜ ମାଧ୍ୟମରେ ବିଜ୍ଞାପନ ପ୍ରକାଶ କରିଥିଲେ । ଏକମାସ ମଧ୍ୟରେ ଗ୍ରାମବାସୀ ତଥା ସଂପୃକ୍ତ ମନ୍ଦିର ସର୍ମ୍ପକିତ ସମସ୍ତ ବ୍ୟକ୍ତି ବିଶେଷ ଓ ଗ୍ରାମର ଭଦ୍ରବ୍ୟକ୍ତିଙ୍କ ସମ୍ମୁଖରେ ନିଲାମ କରି ବିକ୍ରି କରିବା ସକାଶେ କ୍ଷମତା ପ୍ରଦାନ କରିଥିଲେ । ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ଲକ୍ଷ୍ୟ କରି ସମସ୍ତ ପ୍ରକାର ଜନଗହଳି ଓ ନିଲାମ କାର୍ଯ୍ୟ ଗତ ମାର୍ଚ୍ଚ ୨୨ ତାରିଖ ଠାରୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଗତ ୫ ଜୁନରେ ମନ୍ଦିର ଟ୍ରଷ୍ଟୀ ଦ୍ୱାରା ଦାଖଲ କରାଯାଇଥିବା ଦଲିଲକୁ ସ୍ଥଗିତ ରଖିବା ସକାଶେ କିଛି ଗ୍ରାମବାସୀ ଓ ଭଦ୍ରବ୍ୟକ୍ତି ଆପତି କରିଥିବା ଜଣାପଡ଼ିଛି । ଗୁରୁବାର ୫ ଜୁନରେ ଦାଖଲ କରାଯାଇଥିବା ଦଲିଲ ନିବନ୍ଧନ ସକାଶେ ସ୍ଥାନୀୟ ସବ ରେଜିଷ୍ଟାର କାର୍ଯ୍ୟାଳୟରେ ଦାଖଲ ହୋଇଥିବା ବିଶେଷ ସୁତ୍ରରୁ ଜଣାପଡ଼ିବା ପରେ ସଂପୃକ୍ତ ଦଲିଲକୁ ସ୍ଥଗିତ ରଖି ନିଲାମ ପ୍ରକିୟାର ଅନୁସନ୍ଧାନ କରାଯାଉ କିମ୍ବା ପୁନଃ ନିଲାମ କରାଯାଉ ବୋଲି ଗ୍ରାମବାସୀ ଲିଖିତ ଅଭିଯୋଗ କରିଛନ୍ତି । ଯଦି ଏହାର ଶୁଣାଣୀ କରାନଯାଏ , ତାହେଲେ ଚଳିତ ମାସ ୧୦ ତାରିଖ ଠାରୁ ହିଞ୍ଜିଳିକାଟୁ ସବ୍ ରେଜିଷ୍ଟାର କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ପକ୍ଷରୁ ଆମରଣ ଅନଶନ କରାଯିବ ବୋଲି ଚେତାବନି ଦିଆଯାଇଛି । ଦାବି ପତ୍ର ପ୍ରଦାନ ସମୟରେ ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ପୂର୍ବତନ ନଗରପାଳ ଶିବରାମ ଗୌଡ଼, ସଞ୍ଜୟ ପଣ୍ଡା, ଗୌରହରି ସାମନ୍ତରା, କାହ୍ନୁ ଚୌଧୁରୀ, ବିଚିତ୍ର ପଣ୍ଡା, ତରଣିକାନ୍ତ ପଣ୍ଡା, ଶରତ ସାବତଙ୍କ ସମେତ ବହୁ ଗ୍ରାମର ବହୁ ଜନସାଧାରଣ ଉପସ୍ଥିତ ଥିଲେ ।


