ଗଡ଼ୁଛି ଗାଡ଼ି;ନାହାନ୍ତି ଯାତ୍ରୀ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ଦୀର୍ଘ ୫ ମାସ ଧରି ଯାତ୍ରୀବାହୀ ବସ ଚଳାଚଳ ବନ୍ଦ ରହିଥିଲା । ସେପ୍ଟମ୍ବର ପହିଲାରୁ ଅନଲକ-୪ କାର୍ଯ୍ୟକାରୀ କରାଯିବା ସହ କଟକଣା କୋହଳ କରାଯାଇଛି । ଯାତ୍ରୀବାହୀ ବସ ଚଳାଚଳ କରିବା ସକାଶେ ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି । ତଥାପି ସମସ୍ତ ରୁଟରେ ବସ ଚଳାଚଳ ସ୍ୱାଭାବିକ ହୋଇ ପାରିନାହିଁ । ଅନ୍ୟପକ୍ଷରେ ଯେଉଁ ସବୁ ରୁଟରେ ଯାତ୍ରୀବାହୀ ବସ ଚଳାଚଳ କରୁଛି, ଆବଶ୍ୟକ ଯାତ୍ରୀ ହେଉନାହାନ୍ତି । ଗାଡ଼ିରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଦରମା ଓ ଇନ୍ଧନ ସକାଶେ ଡ଼ିଜେଲ ଖର୍ଚ୍ଚ ମଧ୍ୟ ହେଉନାହିଁ । ଯାହାକୁ ନେଇ ବସ ମାଲିକ ମାନେ ଚିନ୍ତାରେ ପଡ଼ିଛନ୍ତି । ମାର୍ଚ୍ଚ ୨୦ ତାରିଖ ଠାରୁ ଯାତ୍ରୀବାହୀ ବସ ଚଳାଚଳ ବନ୍ଦ ରହିଥିବା ବେଳେ ଅନଲକ-୪ କାର୍ଯ୍ୟକାରୀ କରାଯିବା ପରେ ଯାତ୍ରୀ ପରିବହନକୁ ନେଇ ଅନୁମତି ମିଳିଛି । ତଥାପି ଲୋକଙ୍କ ମନରୁ କରୋନା ଭୟ ରହିଥିବାରୁ ଯାତ୍ରୀ ମାନେ ବସରେ ଯାତ୍ରା କରିବାକୁ ନିରାପଦ ମଣୁନାହାନ୍ତି । ଲୋକଙ୍କ ମନରୁ କରୋନା ଭୟ ନହଟିବା ପର୍ଯ୍ୟନ୍ତ ଏଭଳି ସମସ୍ୟା ଲାଗି ରହିବ ବୋଲି ଜଣାପଡ଼ିଛି । ବ୍ରହ୍ମପୁର ଠାରୁ ହିଞ୍ଜିଳିକାଟୁ ସହର ଦେଇ ଫୁଲବାଣୀ, ଭଞ୍ଜନଗର, ଆସିକା, ସୋରଡ଼ା, ନୟାଗଡ଼, ବୁଗୁଡ଼ା, ଦରିଙ୍ଗିବାଡ଼ି, ବାଲିଗୁଡ଼ା, ମୁଖିଗୁଡ଼ା,ରାଇକିଆ, ଭବାନିପାଟଣା, ସମ୍ବଲପୁର, ଦଶପଲ୍ଲା ପ୍ରମୁଖ ସହରକୁ ପ୍ରତ୍ୟହ ୨ଶହରୁ ଉର୍ଦ୍ଧ୍ୱ ଯାତ୍ରୀବାହୀ ବସ ଚଳାଚଳ କରୁଥିବା ବେଳେ ହିଞ୍ଜିଳିକାଟୁ ଠାରୁ ଶେରଗଡ଼, କଙ୍କୋରଡ଼ା, ଜଗନ୍ନାଥପୁର, ପାଟପୁର, ଡ଼େଙ୍ଗାଓସ୍ତା, ପିତଳ, ବ୍ରାହ୍ମଣଛାଇ, ତରାତାରିଣୀ, ପୁରୁଷୋତମପୁର ପଭୃତି ଅଂଚଳକୁ ପ୍ରତ୍ୟହ ୩୦ରୁ ଉର୍ଦ୍ଧ୍ୱ ବସ ଯାତାୟତ କରୁଥିଲା । ହେଲେ ଯାତ୍ରୀ ପରିବହନ ସକାଶେ ପ୍ରଶାସନ ପକ୍ଷରୁ ଅନୁମତି ମିଳିବା ପରେ ମଧ୍ୟ ଯାତ୍ରୀ ମାନେ ବସରେ ଯାତାୟତ କରୁନଥିବା ଯୋଗୁଁ ଦୈନିକ ୪ରୁ ୫ଟି ବସ ଚଳାଚଳ କରୁଥିବାର ଦେଖିବାକୁ ମିଳିଛି । ହିଞ୍ଜିଳିକାଟୁ ଠାରୁ ଶେରଗଡ଼, କଙ୍କୋରଡ଼ା, ଜଗନ୍ନାଥପୁର, ପାଟପୁର, ଡ଼େଙ୍ଗାଓସ୍ତା, ପିତଳ, ବ୍ରାହ୍ମଣଛାଇ, ତରାତାରିଣୀ, ପୁରୁଷୋତମପୁର ପଭୃତି ଅଂଚଳକୁ ପ୍ରତ୍ୟହ ୩୦ରୁ ଉର୍ଦ୍ଧ୍ୱ ବସ ଯାତାୟତ କରୁଥିବା ବେଳେ ବର୍ତମାନ ସୁଦ୍ଧା ଗୋଟାଏ ବି ଗାଡ଼ି ଚଳପ୍ରଚଳ କରୁନଥିବା ଦେଖିବାକୁ ମିଳିଛି । ଲକଡ଼ାଉନ ପର ଠାରୁ ଆଜି ସୁଦ୍ଧ।। ଡ଼ିଜେଲ ଦର ଲିଟର ପିଛା ୧୦ଟଙ୍କା ବୃଦ୍ଧି ହୋଇଥିବା ବେଳେ ଦୀର୍ଘ ୫ମାସ ଧରି ବସ ସେବା ବନ୍ଦ ରହିଥିବା ଯୋଗୁଁ ଏହାକୁ ପୁଣି କାର୍ଯ୍ୟକ୍ଷମ କରିବାକୁ ଗୋଟାଏ ବସ ପିଛା ପ୍ରାୟ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ୁଛି । ଏପରି ପରିସ୍ଥିତିରେ ଯଦି ଆବଶ୍ୟକ ଯାତ୍ରୀ ନହେବେ ତେବେ ଗାଡ଼ି ଚଲାଇବା ସମ୍ଭବ ନାହିଁ ବୋଲି ବସ ମାଲିକ ରଞ୍ଜିତ କୁମାର ପାଢି କହିଛନ୍ତି । କରୋନା ସଂକ୍ରମଣ ଯୋଗୁଁ ଲୋକେ ବସରେ ଯାତ୍ରା କରିବାକୁ ଭୟ କରୁଥିବାରୁ ଏହିଭଳି ପରିସ୍ଥିତି ଦେଖାଦେଇଥିବା ନେଇ ବସ ମାଲିକ ସୁଶାନ୍ତ କୁମାର ପ୍ରଧାନ କହିଛନ୍ତି । ଅନ୍ୟପକ୍ଷରେ ଦଶହରା ପୂଜା ପୂର୍ବରୁ ଗାଡ଼ି ଚଲାଇଲେ ବିଭିନ୍ନ ଅଂଚଳର ଥାନାକୁ ଦଶହରା ପୂଜା ଭେଟି ବାବଦକୁ ଅର୍ଥ ଦୋବକୁ ପଡ଼ିବ ବୋଲି କିଛି ବସ ମାଲିକ କହିଛନ୍ତି । କରୋନା ମହାମାରୀ ଯୋଗୁଁ ଦୀର୍ଘ ୫ ମାସ ଧରି ବସ ସେବା ବନ୍ଦ ରହିଥିବା ବେଳେ ମାଲିକ ମାନେ ଋଣ କିସ୍ତି ସୁଝିବେ କିପରି ସେ ନେଇ ଚିନ୍ତାରେ ପଡ଼ିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ