ଦାଦାବଟିକୁ ପ୍ରତ୍ୟାଖାନରୁ ମରଣାନ୍ତକ ଆକ୍ରମଣ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ନିଜକୁ ବିଭିନ୍ନ ଭାବେ ପରିଚୟ ଦେଇ ବ୍ୟବସାୟୀ ମାନଙ୍କୁ ଭୟଭୀତ କରାଇ ଦାଦାବଟିକୁ କେତେକ ଦୁବୃର୍ତ୍ତ ଦାବୀ କରିବାକୁ ନେଇ ପାରଳାଖେମୁଣ୍ଡି ସହରର କେତେକ ବ୍ୟବସାୟୀ ଅଭିଯୋଗ କରିଛନ୍ତି । ଏଭଳି ଦାଦାବଟିକୁ ପ୍ରତ୍ୟାଖାନ କରିବାରୁ ୨ଜଣ ଦୁବୃର୍ତ୍ତ ରାସ୍ତାରେ ଅଟକାଇ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏଥିରେ ପୋଲିସ ଜଣକୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଗତ ୨ ତାରିଖ ଦିନ ପ୍ରାୟ ରାତି ୧୦ଟାରେ ଗୁରୁତର ଅବସ୍ଥାରେ ବ୍ୟବସାୟୀ ଦୁର୍ଗାମାଧବ ପାଣିଗ୍ରାହୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପାରଳାଖେମୁଣ୍ଡି ଥାନା ଅଧିକାରୀ ଏହି ଆକ୍ରମଣକାରୀଙ୍କ ମଧ୍ୟରୁ ଜଣକୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ଅଛନ୍ତି । ଗିରଫ ହୋଇଥିବା ବ୍ୟକ୍ତି ଜଣକ ମନୋରଞ୍ଜନ ବଡଘର ତାଙ୍କ ଘର କାଶୀନଗର ବ୍ଲକ କେ.ଶୀତାପୁର ଗ୍ରାମ ହୋଇଥିବା ବେଳେ ସେ ପାରଳାଖେମୁଣ୍ଡିରେ ରହୁଥିଲେ । ପାରଳାଖେମୁଣ୍ଡି ଗ୍ରିଡକୋ ରାସ୍ତାରେ ଥିବା ଏର ରୁଟି ଫ୍ୟାକ୍ଟ୍ରି ମାଲିକ ଦୁର୍ଗାମାଧବ ପାଣିଗ୍ରାହୀଙ୍କୁ ମନୋରଞ୍ଜନ ଦାଦାବଟି ମାଗିଥିଲେ । ଏ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ମନୋରଞ୍ଜନ ଦୁର୍ଗାଙ୍କୁ ଏକ ଲୁହା ରଡରେ ମୁଣ୍ଡକୁ ଶକ୍ତ ଆଘାତ କରିଥିଲେ । ଦୁର୍ଗାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଘଟଣାକୁ ନେଇ ଅଭିଯୋଗ ହେବା ପରେ ପୋଲିସ ପକ୍ଷରୁ ଅଭିଯୁକ୍ତ ମନୋରଞ୍ଜନକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ତେବେ ଏଥିରେ ସଂପୃକ୍ତିଥିବା ଅନ୍ୟ ଜଣେ ଫେରାର ଥିବା ଜଣାପଡିଛି ।


