ରାଜ୍ୟ ସରକାର ଆଇଏଏସ୍ ଅଫିସର ସ୍ତରରେ ଅଦଳ ବଦଳ
ଗଞ୍ଜାମ,(ରାଜେଶ କୁମାର ପଟ୍ଟନାୟକ): ରାଜ୍ୟ ସରକାର ଆଇଏଏସ୍ ଅଫିସର ସ୍ତରରେ ଅଦଳ ବଦଳ କରିଛନ୍ତି । ବୁଧବାର ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କୁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଥିବା ବେଳେ ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ, ନୂଆପଡା ଜିଲ୍ଲାପାଳ ମଧୁସ୍ମିତା ସାହୁଙ୍କୁ ଜଳ ସମ୍ପଦ ବିଭାଗ ଡେପୁଟି ସେକ୍ରେଟାରୀ ଏବଂ ମୟୂରଭଞ୍ଜ ପିଡି ଡିଆରଡିଏ ଚଞ୍ଚଳ ରଣାଙ୍କୁ ବଲାଙ୍ଗୀର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ସେହିପରି ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ଯାଜପୁର ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବା ବେଳେ ଗଞ୍ଜାମ ପିଡି ଡିଆରଡିଏ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କୁ ଅନୁଗୋଳ ଜିଲ୍ଲାପାଳ, ମୟୂରଭଞ୍ଜ ଏଡିଏମ୍ ସ୍ବାଧାଦେବ ସିଂଙ୍କୁ ନୂଆପଡା ଜିଲ୍ଲାପାଳ, ଅନୁଗୋଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତିଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ସଚିବ, ବ୍ରହ୍ମପୁର ଉପଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେଙ୍କୁ ଗଞ୍ଜାମ ପିଡି ଡିଆରଡିଏ, ଗୁଣୁପୁର ଉପଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋଣ୍ଡାରଙ୍କୁ ବ୍ରହ୍ମପୁର ମହାନଗର ନିଗମ କମିଶନର, ଗଞ୍ଜାମ କୋଭିଡ-୧୯ ପରିଚାଳନା ଓଏସଡି କିର୍ତ୍ତୀ ବାସନ ଭି.ଙ୍କୁ ବ୍ରହ୍ମପୁର ଉପଜିଲ୍ଲାପାଳ ଏବଂ ଗଜପତି ଜିଲା କୋଭିଡ-୧୯ ପରିଚାଳନା ଦାୟିତ୍ୱରେ ଥିବା ଓଏସ୍ଡି ଜେ. ସୋନଲଙ୍କୁ ଗୁଣୁପୁର ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।


