ଗଞ୍ଜେଇ ପାଇଁ ମା ପୁଅକୁ ପିଟିପିଟି ମାରିଦେଲା

ହାଟଡିହି,(ଓ୍ବାଇଏନ୍ଏସ୍): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ନନ୍ଦିପଦା ଥାନା କଳିଗାଁ ଗ୍ରାମରେ ଜଣେ ମା ଓ ତାର ପୁଅକୁ ପିଟି ପିଟି ମାରିଦେବା ପରେ ନିଆଁରେ ପୋଡି ହତ୍ୟା କରିବା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି । ଅଭିଯୁକ୍ତ ଜଣକ ଗଞ୍ଜେଇ ପାଇଁ ପ୍ରଥମେ ପୁଅ ଓ ପରେ ମାକୁ ପିଟି ପିଟି ମାରିଦେବାପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିବା ପୁଲିସ ନିକଟରେ ସ୍ୱୀକାର କରିଛି । ଏପରିକି ନିକଟସ୍ଥ ଦୋକାନରୁ ଲୁଟ କରିଥିବା ସାମଗ୍ରୀକୁ ମଧ୍ୟ ପୁଲିସ ଅଭିଯୁକ୍ତର ଘରୁ ଜବଦ କରିବାରେ ସଫଳ ହୋଇଛି ।
ପୁଲିସ ନିକଟରୁ ମିଳିଥିବା ସୁଚନା ଅନୁଯାଇ କଳିଗାଁ ଗ୍ରାମର ଜଞ୍ଜାଳୀ ଜେନା(୮୦) ଓ ତାର ୫୦ବର୍ଷର ପୁଅ ବନମାଳୀ ଜେନା ଦୁହେଁ ଘର ଦ୍ୱାର ନଥିବାରୁ ଗାଁର ପରିତ୍ୟକ୍ତ ଅଙ୍ଗନବାଡି ଘରେ ରୁହନ୍ତି । ବନମାଳୀ ଅନେକ ସମୟରେ ଗଞ୍ଜେଇ ଟିକେ ଟିକେ ଖାଏ । ଗାଁର ଦେବାଶିଷ ଦାସ ଓରଫ ଘାଲୁ (୨୨) ବନମ।।ଳୀ ସହିତ ସାଙ୍ଗ ହୋଇ ଗଞ୍ଜେଇ ଟାଣିଥାଏ । ଗତ ବୁଧବାର ସନ୍ଧ୍ୟାରେ ଘାଲୁ ତା ଘରକୁ ଯାଇ ତାକୁ ଗଞ୍ଜେଇ ମାଗିବାରୁ ବନମାଳୀ ଗଞ୍ଜେଇ ନଥିବା ମନା କରିବାରୁ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା । ଏପରିକି ସେହି ପାଟିତୁଣ୍ଡ ଭିତରେ ଘାଲୁ ତାକୁ ଦେଖିନେବ ବୋଲି ଧମକ ଦେଇଥିଲା । ରାତିରେ ଏକ ବାଉଁଶ ଠେଙ୍ଗା ନେଇ ପ୍ରଥମେ ପୁଅ ବନମାଳୀକୁ ପିଟିବା ସହିତ ତାକୁ ମାରିଦେଇଥିଲା । ଏପରିକି ମା ଯଞ୍ଜାଳୀ ପାଟିକରିବାରୁ ତାକୁ ମଧ୍ୟ ପିଟି ହତ୍ୟା କରିଥିଲା । ହତ୍ୟା କରିବାପରେ ପାଖ ଦୋକାନକୁ ଭାଙ୍ଗି ତା ଭିତରେ ଥିବା ଏକ ପେଟ୍ରୋଲ ଜାର ଆଣି ଦୁହିଁଙ୍କ ଉପରେ ଢ଼ାଳି ନିଆଁ ଲଗାଇ ଦେଇଥିଲା । ନିଆଁ ଲଗାଇବାପରେ ଦୋକାନରୁ ୬୭୫୦ଟଙ୍କା ଓ କିଛି ସାବୁନ, ପେଷ୍ଟ, ତେଲ ମଧ୍ୟ ଚୋରିକରି ନେଇଥିଲା । ଯାହାକି ପୁଲିସ ତାର ଘରୁ ଜବଦ କରିବାବାରେ ସଫଳ ହୋଇଛି । ଗତକାଲି ପୁଲିସ ତାକୁ ସନ୍ଦେହରେ ଆଣି ପଚରା ଉଚୁରା କରିବାପରେ ସେ ସମସ୍ତ ତଥ୍ୟ ପୁଲିସକୁ ଦେବା ସହିତ ହତ୍ୟାକାଣ୍ଡରେ ସଂପୃକ୍ତି ବିଷୟରେ ମାନି ଯାଇଥିଲା ବୋଲି ଡିଏସପି ସୁବୋଧ ମଲ୍ଲିକ କହିଛନ୍ତି । ଏହି ଘଟଣାରେ ପୁଲିସ ୪୬୧/୩୭୯/୪୦୨/୪୩୬ଆଇପିସି ରେ ମାମଲା ରୁଜୁକରି ଅଭିଯୁକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାରେ ଅନ୍ୟ କେହି ସଂପୃକ୍ତି ଥିବାନେଇ ପୁଲିସ ପାଖରେ କøଣସି ସୁଚନା ନଥିବା କହିବା ସହ ତଦନ୍ତ ଚାଲୁ ରହିଛି ଯଦି ଆଉ କାହାରି ସଂପୃକ୍ତି ଥିବା ପ୍ରମାଣ ମିଳେ ସେହି ଅନୁସାରେ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ କଳିଗାଁ ଗ୍ରାମର ଯଞ୍ଜାଳୀ ଜେନା ଓ ପୁଅ ବନମାଳୀ ଜେନାଙ୍କୁ କେହି ହତ୍ୟାକରି ମାରିବାପରେ ନିଆଁ ଲଗାଇ ପୋଡି ଦେଇଥିବା ଅଭିଯୋଗ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ