କରୋନା ମୁକ୍ତ ବେଲଗୁଣ୍ଠା ଏନ୍.ଏ.ସି

ବେଲଗୁଣ୍ଠା,(ଶିବରାମ ଚୌଧୁରୀ):ଦିନେ ଗଞ୍ଜାମ ଜିଲ୍ଲା ଓଡିଶାର ସର୍ବାଧିକ କରୋନା ସଂକ୍ରମିତ ଜିଲ୍ଲା ଭାବେ ରହିଥିବା ବେଳେ କରୋନା ମୁକାବିଲା ପାଇଁ ତଥା ଜିଲ୍ଲାକୁ କରୋନା ମୁକ୍ତ କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ବିଭିନ୍ନ ପ୍ରକାର ରଣକୌଶଳ,ବିଭିନ୍ନ ବ୍ଳକ ଓ ଏନ୍.ଏ.ସିର ପ୍ରଶାସନିକ ତତ୍ପରତା ତଥା ପ୍ରଚେଷ୍ଟା ଓ ଜନସାଧାରଣଙ୍କ ସହଯୋଗ ବଳରେ ଜିଲ୍ଲା ଧିରେ ଧିରେ କରୋନା ମୁକ୍ତ ହେବାକୁଯାଉଛି ।ଏଥିପାଇଁ ବେଲଗୁଣ୍ଠା ଏନ୍.ଏ.ସି କରୋନା ମୁକ୍ତ ହୋଇଥିବା ଜଣାପଡିଛି ।ବର୍ତ୍ତମାନ ବେଲଗୁଣ୍ଠା ସହରରେ ଅଧିବାସୀଙ୍କ ଅମ୍ଳଜାନ ସ୍ତର ପରୀକ୍ଷା ଚାଲୁ ରହିଥିବା ବେଳେ କୋଭିଡ ପରୀକ୍ଷା ମୋବାଇଲ ଭ୍ୟାନ୍ ରେ ପ୍ରତି ୱାର୍ଡରେ କରୋନା ପରୀକ୍ଷା କରାଯାଉଛି ।ଗତ ୧୨ ଦିନରେ କୈଣସି କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇନଥିବା ବେଳେ କିଛି ସଂକ୍ରମିତଙ୍କ ହୋମ୍ ଆଇସୋଲେସନ୍ ଅବଧି ସରିବା ପରେ ବେଲଗୁଣ୍ଠା ସହର ବର୍ତ୍ତମାନ ସମ୍ପୂର୍ଣ୍ଣ କରୋନା ମୁକ୍ତ ତଥା ସୁସ୍ଥ ହାର ୧୦୦ ପ୍ରତିଶତ ବୋଲି ନୀର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର ପ୍ରକାଶ କରିଛନ୍ତି ।ବେଲଗୁଣ୍ଠା ସହରରେ ଆଜି ପର୍ଯ୍ୟନ୍ତ ୧୪୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୧୪୬ ଜଣ ସୁସ୍ଥ ହୋଇଥିବା ବେଳେ ୨ଜଣ ମୃତ୍ୟୁବରଣ କରିଛନ୍ତି ।ଗତ ୧୨ ଦିନରେ ୧୦୦୦ ରୁ ଅଧିକ ପରୀକ୍ଷା ହୋଇଥିଲେ ମଧ୍ୟ କୌଣସି ସଂକ୍ରମିତ ଚିହ୍ନଟ ହୋଇନଥିବା ଜଣାପଡିଛି ।କିନ୍ତୁ ବର୍ତ୍ତମାନ କରୋନା ମହାମାରୀ ସହ ଲଢେ଼ଇ ଜାରି ରହିଥିବା ଏବଂ ଓଡ଼ିଶାରେ ଦିନକୁ ପାଖାପାଖି ୪୦୦୦ କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ସହରବାସୀ ବେଖାତିର ନ କରି ଆହୁରି ସଚେତନ ରହିବା ପାଇଁ ନୀର୍ବାହୀ ଅଧିକାରୀ ଶ୍ରୀ ପାତ୍ର ନିବେଦନ କରିଛନ୍ତି ।ସୋସିଆଲ ମିଡିଆ ମାଧ୍ୟମରେ ଶ୍ରୀ ପାତ୍ର ଏକ ଭିଡିଓ ବାର୍ତ୍ତା ଜରିଆରେ ବେଲଗୁଣ୍ଠା ସହରବାସୀ ମାସ୍କ ପିନ୍ଧିବା, ସାମାଜିକ ଦୁରତା ବଜାୟ ରଖିବା, ବାରମ୍ବାର ହାତ ଧୋଇବାକୁ ଗୁରୁତ୍ୱ ଦେବା ସହ ଦୋକାନ ମାନେ ପଞ୍ଚସୁତ୍ରୀ ନିୟମ ପାଳନ କରିବା ପାଇଁ ଅପିଲ୍ କରିଛନ୍ତି ।ଲକ୍ଷଣ ଥାଉ କିମ୍ବା ନ ଥାଉ ଯଦି ନିଜର କିମ୍ବା ନିଜ ପରିଚିତ ବ୍ୟକ୍ତି ବିଶେଷଙ୍କ ଠାରେ କରୋନା ସଂକ୍ରମଣ ନେଇ ସନ୍ଦେହ ହେଲେ ତୁରନ୍ତ ପ୍ରଶାସନକୁ ଜଣାଇବା ସହ ପରୀକ୍ଷା କରାଇନେବାପାଇଁ ସେ ନିବେଦନ କରିଛନ୍ତି ।ଭ୍ରାମ୍ୟମାଣ କରୋନା ପରୀକ୍ଷା ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ନୀର୍ବାହୀ ଅଧିକାରୀ ଶ୍ରୀ ପାତ୍ର ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ