ସାର ଯୋଗାଣ ଦାବୀରେ ଚାଷୀଙ୍କ ହୋ ହାଲ୍ଲା

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳି ବ୍ଲକ ଅଞ୍ଚଳରେ ଏବେ ୟୁରିଆ ସାର ଯୋଗାଣର ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି ହୋଇଛି।ଏଭଳି ପରିସ୍ଥିତିରେ ଅଭାବୀ ତଥା ଧାର କରଜ କରି ଧାନ ଚାଷ କରିଥିବା ଚାଷୀ କୂଳ ଏବେ ବିଷମ ପରିସ୍ଥିତିର ସମ୍ମୁଖୀନ ହୋଇ ତାତି ଉଠିଥିବା ଦେଖାଯାଇଛି।ଏଣେ ସାରର ଅଭାଵ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହା ଯାଇଥିଲେ ମଧ୍ୟ ବଣ୍ଟନ ଦାୟିତ୍ୱରେ ଥିବା କିଛି ଅସାଧୁ କର୍ମଚାରୀଙ୍କ ପ୍ରିୟା ପ୍ରୀତି ତୋଷଣ ନୀତି ଓ ମନମୁଖୀ କାର୍ଯ୍ୟକଳାପରୁ ପ୍ରକୃତ ଚାଷୀ ୟୁରିଆ ସାର ବସ୍ତା ଟିଏ ପାଇବା ଭାରି କଷ୍ଟକର ବ୍ୟାପାର ହେବା ଅଭିଯୋଗ ହୋଇଛି।ଏଭଳି ଏକ ଅଭିଯୋଗ ହିଞ୍ଜିଳି ବ୍ଲକ ଗଣ୍ଡଳା ପ୍ରାଥମିକ ସେବା ସମବାୟ ସମିତି ସମ୍ମୁଖରେ ମଙ୍ଗଳବାର ଶହ ଶହ ଚାଷୀ ରୁଣ୍ଡ ହୋଇ ସାର ଯୋଗାଣ କୁ କେନ୍ଦ୍ର କରି ହୋ ହାଲ୍ଲା କରିଥିବା ଜଣାପଡ଼ିଛି।ମିଳିଥିବା ସୂଚନା ପ୍ରକାରେ କିଛି ଦିନ ତଳେ ୟୁରିଆ ସାର ଯୋଗାଣ ପାଇଁ ଗଣ୍ଡଳା ସ୍ଥିତ ପ୍ରାଥମିକ ସେବା ସମବାୟ ସମିତିକୁ ଆବଶ୍ୟକ ମୁତାବକ ସାର ନ ଆସି କେବଳ ୫ ଗାଡି ସାର ଆସିଥିଲା।ସେତେବେଳେ ନିହାତି ଆବଶ୍ୟକ ଥିବା ଚାଷୀଙ୍କୁ ସାର ଯୋଗାଇ ଦିଆ ନ ଯାଇ ସମବାୟ ସମିତିର ସମ୍ପାଦକ ନିଜ ମର୍ଜି ଅନୁସାରେ ନିଜ ସମ୍ପର୍କୀୟ ମାନଙ୍କୁ ୟୁରିଆ ସାର ଦେଇଥିବା ଚାଷୀ ଅଭିଯୋଗ କରିଛନ୍ତି। ପୁଣି ମଙ୍ଗଳବାର ସାର ବଣ୍ଟନ ହେବା ଖବର ପାଇ ଗଣ୍ଡଳା ସମେତ ପଞ୍ଚାୟତର ପଳାସୀ, ଶିକୁଳି ପଲ୍ଲୀ, ମାରପଲ୍ଲୀ ଏବଂ ସଦାଶିବପୁର ଗ୍ରାମର ଶହ ଶହ ଚାଷୀ ସମିତି ସମ୍ମୁଖରେ ରୁଣ୍ଡ ହୋଇ ଆଧାର କାର୍ଡ ପ୍ରଦର୍ଶନ କରି ସାର ଯୋଗାଣ ପାଇଁ ଦାବୀ କରି ହୋ ହାଲ୍ଲା କରିଥିଲେ।ସେମାନଙ୍କ ଅଭିଯୋଗ ହେଲା ସମ୍ପୃକ୍ତ ସମିତିର ସମ୍ପାଦକ ଏବଂ ପଦବିଧାରୀ ବ୍ୟକ୍ତିଙ୍କ ଚିହ୍ନା ଜଣାଙ୍କୁ ପ୍ରଥମେ ସାର ବଣ୍ଟନ କରିଥିଲେ।ପରେ ସମିତିରୁ ଋଣ ନେଇଥିବା ଚାଷୀ ଏବଂ ଗ୍ରୁପ ଚାଷୀଙ୍କୁ ଅଗ୍ରାଧିକାର ଭିତ୍ତିରେ ସାର ପ୍ରଦାନ କରି ଛୋଟ ଚାଷୀଙ୍କୁ ସାର ଦେବାରେ ଅବହେଳା କରୁଥିବା ଅଭିଯୋଗ କରିଥିଲେ।ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଗତି କରୁଥିବା ବେଳେ ଖବର ପାଇ ହିଞ୍ଜିଳି ପୁଲିସ ଏବଂ ଗଣ୍ଡଳା ସହକାରୀ କୃଷି ଅଧିକାରୀ ଅମର ପ୍ରସାଦ ସାହୁ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଚାଷୀଙ୍କୁ ବୁଝାସୁଝା କରିଥିଲେ।ଘଟଣା ସମ୍ପର୍କରେ ସମ୍ପାଦକ ସରୋଜ କୁମାର ସାହୁଙ୍କ ସହ ଯୋଗାଯୋଗ କରାଯାଇଥିଲା। ଘଟଣାକୁ ସେ କିନ୍ତୁ ସମ୍ପୂର୍ଣ୍ଣ ଏଡାଇ ଦେଇଥିଲେ ଯାହାକି ଚାଷୀଙ୍କ ଅଭିଯୋଗର ସତ୍ୟତା ଉପରେ ସ୍ପଷ୍ଟ ସଂକେତ ପ୍ରଦାନ କରୁଥିବା ଜଣାପଡିଛି।ପରେ ଦିନେ ଦୁଇ ଦିନ ମଧ୍ୟରେ ଆଉ ୨ ଗାଡି ସାର ଆସିଲେ ଆଧାର କାର୍ଡ ଅନୁସାରେ ପ୍ରତ୍ୟେକ ଚାଷୀଙ୍କୁ ୧ ବସ୍ତା ଲେଖାଏଁ ୟୁରିଆ ସାର ପ୍ରଦାନ କରାଯିବ ବୋଲି ସହକାରୀ କୃଷି ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି।ସାର ଯୋଗାଣରେ ଅବ୍ୟବସ୍ଥା ଏବଂ ପାତର ଅନ୍ତର ନୀତି ପ୍ରତିବାଦରେ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ କୁହୁଳୁ ଥିବା ବେଳେ ଏକ ଉଚ୍ଚସ୍ତରୀୟ ତଦନ୍ତ କଲେ ସମିତିର ବହୁ ଅନିୟମିତତା ଓ ଗୁମର ଖୋଲିବ ବୋଲି ଅଞ୍ଚଳର ବହୁ ବୁଦ୍ଧିଜୀବୀ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ