ପୋଖରୀରେ ବୁଡି ଶ୍ରମିକ ମୃତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଲକର ମୁଣ୍ଡାଠାକୁରା ଗ୍ରାମ୍ୟ ପୋଖରୀରେ ଆଜି ପୂର୍ବାହ୍ନରେ ଜଣେ ଶ୍ରମିକ ବୁଡି ମରିଥିବା ସୂତ୍ରରୁ ମିଳିଛି । ସୂଚନାଯୋଗ୍ୟ ଯେ ମୁଣ୍ଡାଠାକୁରା ସେବାଶ୍ରମ ବିଦ୍ୟାଳୟର ଗୃହ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ ସୋମନାଥ ସର୍ଦ୍ଦାର (୩୦) ପିତା ବିଷ୍ଣୁ ସର୍ଦ୍ଦାର ମଙ୍ଗଳବାର ଦିନ ଅନୁଗୋଳ ବସରେ ତାଙ୍କ ଗାଁ କେନ୍ଦୁଝର ଜିଲ୍ଲାର ହାଡିଭଙ୍ଗା ଗ୍ରାମକୁ ଯିବାର ଥିଲା ସେଥିପାଇଁ ସେ ପ୍ରସ୍ତୁତ ହୋଇଥିଲେ । ସେବାଶ୍ରମର ପଛପଟେ ପୋଖରୀ ତୋଠରେ ନିଜର ଲୁଗାପଟା ରଖି ଶୌଚ କରିବାକୁ ଯାଇଥିଲେ ।ପରେ ୩/୪ ଘଣ୍ଟା ଧରି ନ ଫେରିବାରୁ ସେବାଶ୍ରମର ଠିକାଦାର ସଂସ୍ଥାର ସୁପରଭାଇଜର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀ ପୋଖରୀରୁ ଶ୍ରମିକର ମୃତଦେହ ଉଦ୍ଧାର କରିବା ସହ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ ମୃତକ ପରିବାର ଲୋକେ କେହି ପହଞ୍ଚି ନ ଥିବାରୁ ଥାନାରେ ମାମଲା ରୁଜୁ ହୋଇ ପାରିନାହିଁ ।


