ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଓଡ଼ିଶାରେ ୭୭,୨୬,୩୮୭ ଗ୍ୟାସ ସିଲିଣ୍ଡର ଯୋଗାଣ
ନୂଆ ଦିଲ୍ଲୀ:୨୦୧୬ ଏପ୍ରିଲ ୧ରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଗରିବ ପରିବାରର ମହିଳାମାନଙ୍କୁ ମାଗଣାରେ ରନ୍ଧନ ଗ୍ୟାସ ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଥିଲା । ୨୦୧୯ ସେପ୍ଟେମ୍ବର ୭ରେ ଏହି ଲକ୍ଷ୍ୟ ପୂରଣ ହୋଇଥିଲା । ଏହା ସତ୍ତ୍ୱେ କରୋନା ମହାମାରୀ ସଂକଟ ସମୟରେ ଦେଶର ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ସ୍ୱତନ୍ତ୍ରଭାବେ ଗରିବ ପରିବାରର ମହିଳାମାନଙ୍କୁ ଏହି ଯୋଜନାରେ ଗ୍ୟାସ୍ ଯୋଗାଇ ଦିଆଯାଇଛି । ଆଜି ରାଜ୍ୟସଭାରେ ଏ ସଂପର୍କରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ୨୦୧୬-୧୭ ବର୍ଷରେ ୨୦୦.୩ ଲକ୍ଷ, ୨୦୧୭-୧୮ରେ ୧୫୫.୭ ଲକ୍ଷ, ୨୦୧୮-୧୯ରେ ୩୬୨.୯ ଲକ୍ଷ ଏବଂ ୨୦୧୯-୨୦ରେ ୮୨.୬୪ ଲକ୍ଷ ଗରିବ ମହିଳାଙ୍କୁ ଏହି ଗ୍ୟାସ ସଂଯୋଗ ଯୋଗାଇ ଦିଆଯାଇଛି । ଶ୍ରୀ ମହେଶ ପୋଦ୍ଦାରଙ୍କ ଦ୍ୱାରା ପଚରା ଯାଇଥିବା ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ କୋଭିଡ୍ ମହାମାରୀ ସମୟରେ କେତେ ପରିବାରକୁ ଉଜ୍ଜ୍ୱଳା ଯୋଜନାରେ ସିଲିଣ୍ଡର ଯୋଗାଇ ଦିଆଯାଇଛି ତାହାର ମଧ୍ୟ ଉତ୍ତର ମନ୍ତ୍ରୀ ଶ୍ରୀ ପ୍ରଧାନ ସବିଶେଷ ରଖିଛନ୍ତି । ସେ କହିଛନ୍ତି ଯେ ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଗ୍ୟାସ ସିଲିଣ୍ଡର (ରିଫିଲ୍) ବାବଦରେ ହିତାଧିକାରୀମାନଙ୍କୁ ଅଗ୍ରୀମ ଆକାରରେ ମୋଟ ୧୩,୦୬,୮୭,୮୦୭ ସିଲିଣ୍ଡର ପ୍ରଦାନ କରାଯାଇଛି । ସେହିଭଳି ଏହି ସମୟ ମଧ୍ୟରେ ମାଗଣା ସିଲିଣ୍ଡର ଯୋଗାଣ ବାବଦରେ ଉଦ୍ୟୋଗଗୁଡିକ ଦ୍ୱାରା ମୋଟ ୯୬୭୦.୪୧ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।କରୋନା ମହାମାରୀ ସମୟରେ ଓଡ଼ିଶାର ୭୭,୨୬,୩୮୭ ରିଫିଲ୍ ସିଲିଣ୍ଡର ହିତାଧିକାରୀଙ୍କୁ ଯୋଗାଇ ଦିଆଯାଇଛି । ଏ ବାବଦରେ ମୋଟ ୫୭୧.୭୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।ସବୁଠୁ ଅଧିକ ଗ୍ୟାସ ସିଲିଣ୍ଡର ଉତ୍ତର ପ୍ରଦେଶରେ ଯୋଗାଇ ଦିଆଯାଇଛି । ଏହି ସଂଖ୍ୟା ୨,୫୮,୧୨,୦୫୭ । ଏହାପରେ ରହିଛି ପଶ୍ଚିମବଂଗ । ସେଠାରେ ଏହି ସମୟରେ ୧,୬୫,୨୧,୬୧୦ ସିଲିଣ୍ଡର ବଣ୍ଟନ କରାଯାଇଛି । ସେହିଭଳି ବିହାରରେ ୧,୪୪,୩୯,୩୪୨ ସିଲିଣ୍ଡର ହିତାଧିକାରୀଙ୍କୁ ଦିଆଯାଇଥିବାବେଳେ ରାଜସ୍ଥାନରେ ୧,୦୧,୬୨,୬୦୨ ସିଲିଣ୍ଡର ହିତାଧିକାରୀ ପାଇଛନ୍ତି ।