ଦିଗପହଣ୍ଡିରେ ପ୍ରଶାସନ ପୂଜା କମିଟି ସମନ୍ୱୟ ବୈଠକ

ଦିଗପହଣ୍ଡି,(ୱାଇଏନ୍ଏସ୍): ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟରେ ଶନିବାର ପୂର୍ବନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସହରର ବିଭିନ୍ନ ଦୁର୍ଗାପୂଜା କମିଟି,ମାଁ ବୁଢ଼ୀ ଠାକୁରାଣୀ ଯାତ୍ରା କମିଟି ଓ ପ୍ରଶାସନ ପକ୍ଷରୁ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ତହସିଲଦାର ଅଦ୍ଵୈତ କୁମାର ସ୍ବାଇଁ ଏଥିରେ ଅଧ୍ୟକ୍ଷତା କରିଥିଲେ । କୋଭିଡ କଟକଣା ଦୃଷ୍ଟିରୁ ଚଳିତବର୍ଷ ଆଶ୍ୱିନ ଶୁକ୍ଳ ସପ୍ତମୀ ତିଥି ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଦିଗପହଣ୍ଡି ସହରରେ ହେବାକୁ ଥିବା ମାଁ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା ମହୋତ୍ସବ ସମେତ ସହରର ବିଭିନ୍ନ ସାହି ବସ୍ତି ରେ ଅନୁଷ୍ଠିତ ହୋଇ ଆସୁଥିବା ମାଁ ଦୁର୍ଗାଙ୍କ ମୃଣୟୀ ପ୍ରତିମା ପୂଜା କିଭଳି କରାଯିବ ସେନେଇ ବିସ୍ତୃତ ଆଲୋଚନା କରାଯାଇଥିଲା । ଗଞ୍ଜାମ ଜିଲା ପ୍ରଶାସନର ବିନା ଅନୁମତିରେ ସହରର କୌଣସି ମେଢ଼,ପୂଜାମଣ୍ଡପ ନିର୍ମାଣ କରାଯାଇପାରିବ ନାହିଁ ବୋଲି ତହସିଲଦାର ବୈଠକରେ ପ୍ରକାଶ କରିଥିଲେ। ଦୂର୍ଗାପୂଜା ଓ ଦିଗପହଣ୍ଡି ର ଆରାଧ୍ୟ ଦେବୀ ମାଁ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା ମହୋତ୍ସବ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ବିସ୍ତୃତ ଗାଇଡଲାଇନ ଅନୁସାରେ ହିଁ ଯାତ୍ରା,ପୂଜା କାର୍ଯ୍ୟ କରାଯାଇପାରିବ । ଏଥି ନିମନ୍ତେ ନିର୍ଦ୍ଧାରିତ ଆଇନ ଅନୁସାରେ ଆବେଦନ କରାଗଲେ ଜିଲା ପ୍ରଶାସନ ପକ୍ଷରୁ କେବଳ ପୂଜା କାର୍ଯ୍ୟ ନିମନ୍ତେ ଅନୁମତି ପ୍ରଦାନ କରାଯିବ । ଏଥି ନିମନ୍ତେ ସହରର ବିଭିନ୍ନ ପୂଜା କମିଟି,ଠାକୁରାଣୀ ଯାତ୍ରା କମିଟି ର କର୍ମକର୍ତ୍ତା ଗଞ୍ଜାମ ଜିଲ୍ଲା ପ୍ରଶାସନ ନିକଟରେ ଆବେଦନ କରିବାକୁ ସେ ପରାମର୍ଶ ଦେଇଥିଲେ । ଠାକୁରାଣୀ ଯାତ୍ରା କମିଟି ଓ ଦୁର୍ଗାପୂଜା କମିଟି କାର୍ଯ୍ୟକର୍ତ୍ତା କେ.କୁନା,ବି.ପ୍ରଭାକର ରେଡ୍ଡୀ,ମନୋରଞ୍ଜନ ପଣ୍ଡା,ଭଗବତୀ ପ୍ରସାଦ ମିଶ୍ର,ରଞ୍ଜନ ପାତ୍ର,ସଂଗ୍ରାମ କେଶରୀ ରଥ,ସନ୍ତୋଷ ନାୟକ,ଆଲୁ.ରବୀନ୍ଦ୍ର ପ୍ରମୁଖ ବିଭିନ୍ନ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ