ପଞ୍ଚାୟତ ପରିସରରେ ଶୌଚାଳୟ ନିର୍ମାଣକୁ ଜନପ୍ରତିନିଧି ଓ ଜନତାଙ୍କ ବିରୋଧ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ପାଚେରୀ ପରିସର ମଧ୍ୟରେ ଶୌଚାଳୟ ନିର୍ମାଣକୁ ଜନପ୍ରତିନିଧିଙ୍କ ସମେତ ସାଧାରଣଲୋକେ ବିରୋଧ କରିଥିବା ଜଣାଯାଇଛି । ପ୍ରକାଶ ଯେ, ପଞ୍ଚାୟତ ପାଚେରୀ ପରିସର ମଧ୍ୟରେ ଶୌଚାଳୟ ନିର୍ମାଣ କରିବା ନେଇ ପଞ୍ଚାୟତ ସମିତି ପକ୍ଷରୁ ନିଷ୍ପତ୍ତି ହୋଇଛି । ଏପରିପେକ୍ଷୀରେ ଗତ ୩୦ ତାରିଖରେ ସରପଞ୍ଚ ଚିନ୍ତାମଣି ଘଡେଇଙ୍କ ସଭାପତିତ୍ୱରେ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସମସ୍ତ ୱାର୍ଡ ସଭ୍ୟ, ସଭ୍ୟାଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ । ବୈଠକରେ ପଞ୍ଚାୟତ ପରିସରରେ ଶୌଚାଳୟ ନିର୍ମାଣ କରାଯିବାକୁ ବିରୋଧ କରାଯାଇଥିଲା । ଛୟାଳସିଂ ବଜାର ଠାରେ ବହୁ ସରକାରୀ ସ୍ଥାନ ରହି ଥିବା ବେଳେ ସେଠାରେ ଶୌଚାଳୟ ନିର୍ମାଣ ହେଲେ ସଧାରଣ ଲୋକେ ଉପକୃତ ହୋଇପାରିବେ ବୋଲି ମତ ପ୍ରକାଶ ପାଇଥିଲା । ମାତ୍ର ପଞ୍ଚାୟତ ପରିସରରେ ସଂକୀର୍ଣ୍ଣ ସ୍ଥାନରେ ଶୌଚାଳୟ ନିର୍ମାଣ କରାଗଲେ ଭବିଷ୍ୟତରେ କୌଣସି କାର୍ଯ୍ୟକ୍ରମ ହୋଇ ପାରିବ ନାହିଁ ବୋଲି କିଛି ବ୍ୟକ୍ତି କହିଥିଲେ । ପୂର୍ବରୁ ପଞ୍ଚାୟତ ପରିସରରେ ୨ଟି ଶୌଚାଳୟ ରହିଛି । ତେଣୁ ନୂତନ ଭାବେ ଆସିଥିବା ଶୌଚାଳୟକୁ ବଜାର ନିଟକରେ ନିର୍ମାଣ କରିବା ପାଇଁ ଉପସ୍ଥିତ ଲୋକେ ମତବ୍ୟକ୍ତ କରିଥିଲେ । ପ୍ରଶାସନ ପକ୍ଷରୁ ବଜାର ନିକଟରେ ସ୍ଥାନ ନିରୁପଣ କରାଯାଇ ଶୌଚାଳୟ ନିର୍ମାଣ କରିବାକୁ ସର୍ବସମ୍ମତ ନିଷ୍ପତ୍ତି ହୋଇଥିଲା । ଏସଂପର୍କରେ ଜିଲ୍ଲାପାଳ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ, ବିଡିଓ ବନ୍ତଙ୍କ ଅବଗତ ନିମନ୍ତେ ଚିଠି ପ୍ରେରଣ କରାଯାଇଥିଲା । ବୈଠକରେ ସମିତି ସଭ୍ୟା ଝାନସୀ ଖଣ୍ଡା, ନାଏବ ସରପଞ୍ଚ ଦେବକୀ ବେହେରା, ଗୀତାଞ୍ଜଳୀ ନାଥ, ରାମ ଚନ୍ଦ୍ର ରାଉତ, ସରସ୍ୱତୀ ଓଝା, ପଦ୍ମିନୀ ଚଢେଇ, ସହଦେବ ଖଣ୍ଡା, ଲକ୍ଷ୍ମୀପ୍ରିୟା ଘଡେଇ ଉପସ୍ଥିତ ଥିଲେ ।


