ଫୁଟବଲ ଓ ଜୁଆ ଖେଳ ବନ୍ଦ କରିବାକୁ ଯାଇଥିବା ପୋଲିସ ଉପରେ ଆକ୍ରମଣ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଯଶିପୁର ଥାନା ଅନ୍ତର୍ଗତ ରୁଗୁଡ଼ି ଗ୍ରାମ ପଞ୍ଚାୟତର ଯାଉଁରିପୋଷୀ ଠାରେ ଜି.କେ.ଏସ. କ୍ଲବ ପକ୍ଷରୁ ଫୁଟବଲ ଟୁର୍ନାମେଣ୍ଟ ଗତ ୨୯ ସେପ୍ଟେମ୍ବରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ଚାରିଦିନ ଧରି ଚାଲିଥିଲା | ଗତକାଲି ଫୁଟବଲ ଟୁର୍ନାମେଣ୍ଟର ଫାଇନାଲ ଖେଳ ଥିବା ଯୋଗୁ ୧୫ ହଜାର ରୁ ଉର୍ଦ୍ଧ୍ବ ଜନ ସମାଗମ ହୋଇଥିଲା | ଏହି ଫୁଟବଲ ଖେଳ ଚାଲୁଥିବା ବେଳେ କିଛି ଦୂରରେ ଜୁଆ ଖେଳ ମଧ୍ୟ ଚାଲିଥିଲା | ଗତକାଲି କୌଣସି ସୂତ୍ରରୁ ଖବର ପାଇ ଯଶିପୁର ଥାନା ଅଧିକାରୀ ରଞ୍ଜନ ସେଠୀଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଜୁଆ ଖେଳ ସ୍ଥାନରେ ଅଚାନକ ଚଢ଼ାଉ କରିଥିଲା | ଚାରି ଜଣ ଯୁଆଡ଼ିଙ୍କୁ ପୋଲିସ ଉଠାଇ ଆଣିବା ସମୟରେ କିଛି ଲୋକ ପୋଲିସ ଉପରେ ଆକ୍ରମଣ କରିଥିଲେ I ପୋଲିସ ଉପରେ ପ୍ରବଳ ଟେକା-ପଥର ମାଡ ହେବା ଯୋଗୁ ପୋଲିସ ଦଳ ଘଟଣା ସ୍ଥଳରୁ ଚାଲି ଯାଇଥିଲେ | ଟେକା-ପଥର ମାଡ଼ରେ ୩ ଜଣ ପୋଲିସ ଚନ୍ଦନ ପାତ୍ର, ସମ୍ବିତ କୁମାର ସିଂ,ବିଶ୍ୱଜିତ ସେଠି ପ୍ରମୁଖ ଆହତ ହୋଇଥିଲେ | ସେମାନଙ୍କୁ ଯଶିପୁର ଡାକ୍ତର ଖାନାରେ ଚିକିତ୍ସା କରାଯାଇଥିଲା | ଯଶିପୁର ପୋଲିସ ଆକ୍ରମଣର ଶିକାର ହେବାପରେ ରାତିରେ ହଠାତ ଆଖପାଖ ଗ୍ରାମରେ ଚଢ଼ାଉ କରି ସର୍ବମୋଟ ୯ ଜଣଙ୍କୁ ଗିରଫ କରି ଆଜି କରଞ୍ଜିଆ କୋର୍ଟକୁ ଚାଲାଣ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି | ଯଶିପୁର ଥାନାରେ କେଶ ନମ୍ବର ୧୩୪/୨-୧୦-୨୦୨୦ ପୋଲିସ ମାମଲା ରୁଜୁ କରି ଦଫା ୨୯୪/ ୩୩୨/ ୩୫୩/ ୩୦୭/ ୩୭୯/ ୩୩୭/୩୩୬/୩୪୧/୧୮୬/୧୧୪/୧୪୩/୧୪୭/୧୪୮/୨୬୯/୨୭୦/୫୦୬/୧୪୯ ସହ ସେକ୍ସନ ୩ ଓ.ପି.ଜି. ଆକ୍ଟ /ସେକ୍ସନ ୫୧(ବି) ଡି.ଏମ. ଆକ୍ଟ ୨୦୨୦ ଅନୁସାରେ ଗିରଫ ୯ ଜଣଙ୍କ ସମେତ ୫୦ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି | ଅଭିଯୁକ୍ତ ଜୟନ୍ତ କୁମାର ବେହେରା -୩୨ (ତେରଣ୍ଟି), ରଣଜିତ ନାଏକ-୪୮(ଶୁକୃଳି), ବାବୁଲି ନାଏକ-୪୮(ରୁଗୁଡ଼ି), କୃଷ୍ଣ ବେହେରା-୫୫(ପାଣିଦେଉଳି),ଡମ୍ବୁରୁଧର ମୁଣ୍ଡା ଲୋହାର-୫୬ (ଖଣ୍ଡବନ୍ଧ), ଖଗେଶ୍ୱର ନାଏକ-୩୬(ଧୁଡିପାଣି), ପଙ୍କଜ କୁମାର ପିଙ୍ଗୁଆ-୪୬(ତେରଣ୍ଟି), ରବୀନ୍ଦ୍ର ବେହେରା – ୩୪(ଯଶିପୁର,ଗଡତଳସାହି), ଭିକାରି ଚରଣ ବାରିକ-୪୨(ନୂଆବେଡା) ପ୍ରମୁଖଙ୍କୁ ପୋଲିସ ଗିରଫ କରି କରଞ୍ଜିଆ କୋର୍ଟକୁ ଚାଲାଣ କରିଛି | ଅଭିଯୁକ୍ତଙ୍କ ପାଖରୁ ୬ଟି ମୋବାଇଲ ଫୋନ, ୪ଟି ମୋଟର ସାଇକଲ, ଏକ ମାରୁତି କାର ସମେତ ନଗଦ ୨ ହଜାର ଟଙ୍କା ଜବତ କରାଯାଇଛି | କୋଭିଡ-୧୯ ନିୟମକୁ ଉଲଙ୍ଘନ କରି ଯାଉଁରିପୋଷୀ ଠାରେ ଚାରିଦିନ ଧରି କିପରି ଫୁଟବଲ ଟୁର୍ନାମେଣ୍ଟ ଚାଲିଥିଲା ଏବଂ ପୋଲିସ ଏ ସମ୍ପର୍କରେ କିପରି ସୁରାଗ ପାଇପାରିଲେ ନାହିଁ ତାହା ଜନସାଧାରଣଙ୍କୁ ଚକିତ କରିଛି | ଖେଳ ଆରମ୍ଭର ପ୍ରଥମ ଦିନରୁ ପୋଲିସ ପକ୍ଷରୁ ଖେଳ ବନ୍ଦ କରିବାକୁ ଚେଷ୍ଟା କରାଯାଇଥିଲେ ଏଭଳି ଘଟଣାକୁ ଏଡାଇ ଦିଆଯାଇ ପାରିଥାନ୍ତା | ଆଗାମୀ ଦିନରେ ଏହି ଘଟଣାରେ ଯେଉଁ ମାନଙ୍କର ସମ୍ପୃକ୍ତି ରହିଛି ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଆଇ.ଆଇ.ସି. ଶ୍ରୀ ସେଠି ସୂଚନା ଦେଇଛନ୍ତି |


