ଆମେରିକାରେ କଏଦୀଙ୍କ ସଂଖ୍ୟା ୫ ଗୁଣା ଅଧିକ

ଦେଶର କେତେକ ଜେଲ୍ରେ କଏଦୀମାନେ ପଳାୟନ କରିବା ଉଦ୍ୟମ କରୁଥିବାବେଳେ କେତେକ ଜେଲ୍ରେ ଦୁଇ ଗୋଷ୍ଠୀ କଏଦୀଙ୍କ ମଧ୍ୟରେ ଝଗଡ଼ା, ହିଂସାର ଘଟଣାମାନ ଘଟୁଛି । ନିକଟରେ ଲୁଧିଆନାର ସେଣ୍ଟ୍ରାଲ ଜେଲ୍ରେ କଏଦୀମାନେ ଫେରାର ହେବା ପାଇଁ ହଙ୍ଗାମା କରିଦେଇଥିଲେ । ସେଥିପାଇଁ ପୋଲିସ ସହ ମୁହାଁମୁହିଁ ସ୍ଥିତି ଉତ୍ପନ୍ନ ହୋଇଥିଲା । ହିଂସାରେ ଜଣେ କଏଦୀଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ କେତେକ ଆହତ ହୋଇଥିଲେ । ଏଥି ପୂର୍ବରୁ ବି ଜେଲ୍ରୁ ଛୁ ମାରିବା ଘଟଣା ଘଟିଥିଲା । କେବଳ ଯେ ଭାରତୀୟ ଜେଲ୍ରେ ଏଭଳି ଘଟୁଛି ତାହା ନୁହେଁ, ସାରା ବିଶ୍ୱର ଜେଲ୍ଗୁଡ଼ିକରେ ସମାନ ଚିତ୍ର ନଜରକୁ ଆସିଥାଏ । ବିଶ୍ୱସ୍ତରରେ ଦେଖିଲେ କଏଦୀଙ୍କ ସଂଖ୍ୟାରେ ଆମେରିକା ସର୍ବାଗ୍ରେ ରହିଥିବାବେଳେ ଭାରତ ବିଶ୍ୱର ଟପ୍ ୫ ଦେଶ ମଧ୍ୟରେ ସାମିଲ୍ ଅଛି । ଭାରତ ତୁଳନାରେ ଆମେରିକାରେ ଏହାର ୫ ଗୁଣା କଏଦୀ ରହିଥିବା ଜଣାଯାଇଛି ।\nବିଶ୍ୱର ସର୍ବାଧିକ କଏଦୀ ଆମେରିକାରେ ରହନ୍ତି । ଏହି ସଂଖ୍ୟା ଦୃଷ୍ଟିରୁ ଭାରତର ସ୍ଥାନ ପଞ୍ଚମରେ । ଭାରତରେ ସମୁଦାୟ ବନ୍ଦୀଙ୍କ ସଂଖ୍ୟାର ୫ ଗୁଣା ଅଧିକ ବନ୍ଦୀ ଆମେରିକାରେ ଥିବା ଜଣାଯାଇଛି । ସଦ୍ୟ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଆମେରିକାରେ ଏବେ ୨,୧୨୧,୬୦୦ କଏଦୀ ଜେଲ୍ର ଅନ୍ଧାରୁଆ ସେଲ୍ ଭିତରେ କଏଦୀ ଜୀବନ ଜିଉଁଥିବାବେଳେ ଚୀନ ଏ ଦୃଷ୍ଟିରୁ ଦ୍ୱିତୀୟରେ ରହିଛି । ଚୀନରେ ୧,୬୪୯,୮୦୪ କଏଦୀ ଥିବାବେଳେ ବ୍ରାଜିଲରେ ୭,୧୪,୮୯୯, ରୁଷରେ ୫,୫୨,୧୮୮ ଓ ଭାରତରେ ୪,୩୩,୦୦୩ କଏଦୀ ରହିଛନ୍ତି । ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ଆମେରିକାରେ ୬୫୫ କଏଦୀ ଥିବାବେଳେ ଥାଇଲାଣ୍ଡରେ ପ୍ରତି ଲକ୍ଷେରେ ୫୫୮ କଏଦୀ ରହିଛନ୍ତି । ସର୍ବାଧିକ କଏଦୀଙ୍କ ଅନୁପାତ ତାଲିକାରେ ବ୍ରାଜିଲକୁ ଏବେ ତୁର୍କମେନିସ୍ତାନ ଟପିଯାଇଛି । କାରଣ ତୁର୍କମେନିସ୍ତାନରେ ପ୍ରତି ଲକ୍ଷେ ଜନସଂଖ୍ୟାରେ ୫୫୨ ଜଣ କଏଦୀ ଅଛନ୍ତି । ଏହି ପ୍ରସଙ୍ଗରେ ଭାରତ ୨୧୩ ତମ ସ୍ଥାନରେ ରହିଛି । ଭାରତର ପ୍ରତି ୧ ଲକ୍ଷ ଜନସଂଖ୍ୟା ମଧ୍ୟରୁ ମାତ୍ର ୩୩ ଜଣ କଏଦୀ ଥିବା ପରିସଂଖ୍ୟାନରୁ ଜଣାଯାଇଛି । ପାକିସ୍ତାନ ଏ ମାମଲାରେ ଭାରତଠାରୁ ଆଗରେ । ପାକିସ୍ତାନ ୨୦୭ ତମ ସ୍ଥାନରେ ରହିଛି । \nଦାଦ୍ରା ଓ ନଗରହାବେଳି କେନ୍ଦ୍ରଶାସିତ ଅଞ୍ଚଳରେ ୬୦ କ୍ଷମତା ଥିବା ଜେଲ୍ରେ ୧୨୦ କଏଦୀ ଥିବାବେଳେ ଛତିଶଗଡ଼ ଜେଲ୍ରେ ୯୮୧୩ କଏଦୀଙ୍କ କ୍ଷମତା ବିଶିଷ୍ଟ ଜେଲ୍ରେ ୧୮,୬୩୧ କଏଦୀ ରହୁଛନ୍ତି । ସେହିପରି ଦିଲ୍ଲୀରେ ୭,୮୧୮ କଏଦୀଙ୍କ କ୍ଷମତା ଥିବା ଜେଲ୍ରେ ୧୪,୦୫୮ ଜଣ କଏଦୀ ରହିଛନ୍ତି । ଉତ୍ତର ପ୍ରଦେଶରେ ୫୮,୧୧୧ ଜଣଙ୍କ ପାଇଁ କ୍ଷମତା ରଖୁଥିବା ଜେଲ୍ରେ ୯୫,୩୩୬ ଜଣ ଓ ମେଘାଳୟରେ ୬୩୦ କ୍ଷମତା ବିଶିଷ୍ଟ ଜେଲ୍ରେ ୮୩୩ ଜଣଙ୍କୁ ରଖାଯାଇଛି । କଏଦୀମାନଙ୍କ ପାଇଁ ଗୋଟିଏ ପ୍ରକୋଷ୍ଠରେ ଯେତିକି ଜାଗା ରହିବା କଥା, ତାହା ନିଶ୍ଚିତ କରାଯାଇପାରି ନାହିଁ । ଜେଲ୍ଗୁଡ଼ିକର ପ୍ରକୃତ କ୍ଷମତାଠାରୁ ଶତ ପ୍ରତିଶତ ଅଧିକ କଏଦୀ ରହୁଥିବାରୁ ଜେଲ୍ ପରିବେଶ ବିଶୃଙ୍ଖଳିତ ଓ ବିଷାକ୍ତ ହୋଇପଡ଼ିଛି । ଦେଶର ୧୧ ରାଜ୍ୟ ଏବଂ ୫ କେନ୍ଦ୍ରଶାସିତ ପ୍ରଦେଶର ଜେଲ୍କୁ ବାଦ୍ ଦିଆଗଲେ ଅନ୍ୟ ସମସ୍ତ ରାଜ୍ୟର ଜେଲ୍ଗୁଡ଼ିକରେ ମୋଟ କ୍ଷମତାଠାରୁ ଢେର ଅଧିକ କଏଦୀ ବନ୍ଦୀ ହୋଇ ରହିଛନ୍ତି । ସର୍ବାଧିକ କଏଦୀ ଉତ୍ତର ପ୍ରଦେଶର ଜେଲ୍ରେ ବନ୍ଦୀ । କ୍ଷମତାଠାରୁ ଏଠାରେ ବହୁ ଅଧିକ କଏଦୀ ଥିବାରୁ ଜେଲ୍ ହିଂସାରେ ଉତ୍ତର ପ୍ରଦେଶ ଶୀର୍ଷରେ ରହିଛି ।\nଆମ ଦେଶରେ ସମୁଦାୟ ୧୩୭ଟି ସେଣ୍ଟ୍ରାଲ ଜେଲ୍ ବା କେନ୍ଦ୍ରୀୟ କାରାଗାର ରହିଛି । ସେହିପରି ୩୯୪ଟି ଜିଲ୍ଲା କାରାଗାର ରହିଥିବାବେଳେ ୭୩୨ଟି ଉପକାରାଗାର ରହିଛି । ଦେଶରେ ସମୁଦାୟ ୧୨୬୩ଟି ଜେଲ୍ ଥିବା ଜଣାଯାଇଛି । ଭାରତର ପ୍ରତି ରାଜ୍ୟରେ ଜେଲ୍ ରହିଛି । ସାଧାରଣ ଜେଲ୍ ସମେତ ଦେଶରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ୨୦ଟି ଜେଲ୍ ରହିଛି । ମହିଳା ଜେଲ୍ ସଂଖ୍ୟା ଦୃଷ୍ଟିରୁ ତାମିଲନାଡ଼ୁ ଆଗରେ । ତାମିଲନାଡ଼ୁରେ ସର୍ବାଧିକ ୫ଟି ମହିଳା ଜେଲ୍ ରହିଛି । ଉତ୍ତର ପ୍ରଦେଶରେ ମାତ୍ର ଗୋଟିଏ ମହିଳା ଜେଲ୍ ଥିବା ଜଣାଯାଇଛି ।\nଜେଲ୍ର ସୁରକ୍ଷା ବ୍ୟବସ୍ଥାରେ ମୁତୟନ ସୁରକ୍ଷାକର୍ମୀଙ୍କ ଅଭାବ କାରଣରୁ କଏଦୀମାନେ ଜେଲ୍ରୁ ଚମ୍ପଟ ମାରିବାର ପରିକଳ୍ପନା କରିଥାନ୍ତି । ଯେଉଁ କାରଣରୁ ଫେରାର କଏଦୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୨୦୧୬ରୁ ୨୦୧୯ ଏହି ୪ ବର୍ଷ ମଧ୍ୟରେ ଜେଲ୍ ଭିତରୁ ୧୧୪ କଏଦୀ ଚମ୍ପଟ ମାରିଥିବା ବେଳେ ଜେଲ୍ ବାହାରୁ ୪୬୩ କଏଦୀ ଫେରାର ହୋଇଥିବା ଜଣାଯାଏ । ଜେଲ୍ରୁ ସର୍ବାଧିକ କଏଦୀ ଫେରାର ମାମଲାରେ ମହାରାଷ୍ଟ୍ର ଶୀର୍ଷରେ ଥିବାବେଳେ ତା\’ ପଛକୁ ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ ଓ କର୍ଣ୍ଣାଟକ ଅଛନ୍ତି । ମହାରାଷ୍ଟ୍ରର ଜେଲ୍ରୁ ଅଧିକ କଏଦୀ ଛୁ ମାରିଛନ୍ତି । ଦେଶରେ ୧୪୧୨ରେ ୨୦୧୬ରେ ୪,୩୩,୦୩୩ ଜଣ କଏଦୀ ଥିବାବେଳେ ୨୦୧୯ରେ ଏହା ୪,୮୬,୫୬୨କୁ ବଢ଼ିଛି । ସର୍ବାଧିକ କଏଦୀ ଥିବା ରାଜ୍ୟ ମଧ୍ୟରେ ଉତ୍ତରପ୍ରଦେଶ (୯୯,୩୧୬), ମହାରାଷ୍ଟ୍ର (୬୮,୦୫୦), ବିହାର (୩୮,୭୨୨), ମଧ୍ୟପ୍ରଦେଶ (୩୭,୨୭୮), ପଶ୍ଚିମବଙ୍ଗ (୨୪,୨୬୨), ପଞ୍ଜାବ (୨୨,୭୧୭) ଏବଂ ହରିୟାଣା (୨୧,୪୮୪) ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ