ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ କୃଷି କାର୍ଯ୍ୟାଳୟ ଘେରାଉ
ନାଉଗାଁ, : ସାରର କଳାବଜାର ବିକ୍ରିକଙ୍କ ବିରୋଧ କରି ମଙ୍ଗଳବାର ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ନାଉଗାଁ ବ୍ଳକ ଅନ୍ତର୍ଗତ ଦାଣ୍ଡୁଆ ପଡିଆ ଠାରେ ଥିବା କୃଷି କାର୍ଯ୍ୟାଳୟକୁ ଘେରାଇ କରାଯାଇଥିଲା । ଘଟଣାସ୍ଥଳରେ ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ ଓ ବ୍ଳକ ସହକାରୀ କୃଷି ଅଧିକାରୀ ତୁଷାର ରଂଜନ ସ୍ୱାଇଁ ବୁଝାସୁଝା କରିବା ସହିତ ଖୁବ ଶୀଘ୍ର ମୂଲ୍ୟସୂଚୀ ଲେଖିବା ପାଇଁ ପ୍ରତିଶୃତି ଦେଇଥିଲେ । ଯଦି ୨ ଦିନ ମଧ୍ୟରେ ସୂଚୀ ମୂଲ୍ୟ ଲେଖାନଯାଏ ତେବେ ସଙ୍ଗଠନ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏସଂପର୍କରେ ଜଗତସିଂହପୁର ଜିଲ୍ଲାପାଳଙ୍କୁ ମଧ୍ୟ ଏକ ଲିଖିତ ଅଭିଯୋଗ ସଙ୍ଗଠନ ପକ୍ଷରୁ ପଠାଯାଇଛି । ଅଭିଯୋଗ ମୁତାବକ ଗତ ୨୬ ଅଗଷ୍ଟରେ ହୋଇଥିବା ଜନଶୁଣାଣିରେ ନାଉଗାଁ ବ୍ଳକ ସମେତ ଜଗତସିଂହପୁର ଜିଲ୍ଲାର ୮ଟି ବ୍ଳକରେ ସରକାରୀ ସ୍ୱିକୃତୀପ୍ରାପ୍ତ ସାର ଦୋକାନୀମାନେ ଦୋକାନର ନାମ ଓ ସୂଚୀମୂଲ୍ୟ ଲେଖିବା ପାଇଁ ସଙ୍ଗଠନ ପକ୍ଷରୁ ଅଭିଯୋଗ କରାଯାଇଥିଲା । କିନ୍ତୁ ଅଦ୍ୟାବଧି କୌଣସି ଦୋକାନରେ ଏପର୍ଯ୍ୟନ୍ତ ଲେଖାଯାଇନାହିଁ । ସାଧାରଣ ଚାଷୀମାନେ ସାର କ୍ରୟ କରିବାକୁ ଆସୁଥିବା ବେଳେ କଳା ବଜାରର ଶିକାର ହେଉଛନ୍ତି । ୟୁରିଆ ସାର ପ୍ୟାକେଟ ସରକାରୀ ମୂଲ୍ୟ ୨୫୬ ଟଙ୍କା ୫୦ ପଇସା ଧାର୍ଯ୍ୟ କରାଯାଇଥିବା ବେଳେ ଅସାଧୁ ବ୍ୟବସାୟୀମାନେ ତାହାକୁ ୪ଶହ ଟଙ୍କାରେ ବିକ୍ରି କରୁଛନ୍ତି । ସରକାରଙ୍କ ନିୟମକୁ କୌଣସି ଦୋକାନୀ ମାନୁ ନଥିବା ଜଣାଯାଇଛି । ସେହିପରି ବ୍ଳକରେ ଥିବା ୬ଟି କୃଷି ସମବାୟ ସମିତିର ସଂପାଦକ ମାନେ ଗୋଦାମ ଗୃହ ନଥିବା ଦର୍ଶାଇ ସାର ଗଚ୍ଛିତ ରଖୁନାହାନ୍ତି । ଯଦି ଗୋଦାମ ଗୃହ ନାହିଁ ତେବେ ମଣ୍ଡିରେ ଧାନ ବିକ୍ରି ସମୟରେ କ୍ୱିଟାଲ ପିଛା ୩୧ ଟଙ୍କା ୫୦ ପଇସା କ’ଣ ପାଇଁ ସମବାୟ ସମିତି ନେଉଛି ଓ ତାହାକୁ କେଉଁ କାର୍ଯ୍ୟରେ ଲଗାଉଛନ୍ତି । ସରକାର ଚାଷୀମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଉଥିବା ବଡ ବଡ ବିଜ୍ଞାପନ ଦେଉଥିବା ବେଳେ କୌଣସି ସୁବିଧା ଚାଷୀମାନଙ୍କ ପାଖରେ ପହଂଚି ପାରୁନାହିଁ । ବର୍ତମାନ ଚାଷ କାର୍ଯ୍ୟଜାରୀ ରହିଥିବା ବେଳେ ସରକାରୀ ଅଧିକୃତ ସାର ବିକ୍ରୟତାମାନେ ସେମାନଙ୍କ ବିକ୍ରିୟସ୍ଥଳରେ ସାର ମୂଲ୍ୟ ସୂଚୀ ଦର୍ଶାଇବା ସହ ସମବାୟ ସମିତିରେ ଆବଶ୍ୟକ ପରିମାଣର ସାର ରଖାଗଲେ ସମସ୍ତ ଚାଷୀମାନେ ଉପକୃତ ହୋଇପାରିବେ । ଏଥିରେ ସଙ୍ଗଠନ ପକ୍ଷରୁ ଜିଲ୍ଲା ସହ-ସଂଯୋଜକ ଅଶୋକ ସ୍ୱାଇଁ, ବ୍ଳକ ସଂଯୋଜକ କୈଳାସ ପରିଡା, ଉପଦେଷ୍ଟା ବଂଶୀଧର ବେହେରା, ନବ କିଶୋର ମହାନ୍ତି, ପ୍ରଫୁଲ୍ଲ ପରିଡା, ବିଜୟ ମହାନ୍ତି, ଅକ୍ଷୟ ସ୍ୱାଇଁ, ମଙ୍ଗୁଳି ରାଉତ, ଶରତ ନାୟକ, ତ୍ରିଲୋଚନ ରାଉଳ, ଶରତ ଦାସ, ଦୀପକ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ । ଏ ସଂର୍ପକରେ ବ୍ଲକ ସହାୟକ କୃଷି ଅଧିକାରୀ ନିର୍ମାଲ୍ୟ ନାୟକଙ୍କୁ ପଚାରିବାରୁ ନାଉଗାଁ ବ୍ଲକର ୬ ସେବା ସମବାୟ ସମିତି ମଧ୍ୟରୁ ୪ଟି ସେବା ସମବାୟ ସମିତି ପକ୍ଷରୁ ଚାଷୀଙ୍କୁ ରିହାତି ଦରରେ ସାର ଯୋଗାଇ ଦିଆଯାଉଛି । ତିରୁଣା ଓ ଡେରିକି ସମିତିର ପିଓସି ମେସିନ ଖରାପ ଥିବା ଦର୍ଶାଇ ସାର ବିକ୍ରୟ କରୁନାହାନ୍ତି । ସେମାନଙ୍କ ପିଓସି ମେସିନ ଆଣି ଦେଖାଇବାକୁ କୁହାଯାଇଛି । ପଂଜିକୃତ ବେସରକାରୀ ସାର ଦୋକାନୀ ଗୁଡିକ ଯଦି ଅଧିକ ଦରରେ ବିକ୍ରୟ କରୁଛନ୍ତି ସେ ଦୋକାନୀ ବିରୋଧରେ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।