ପାରଳାରେ କରୋନା ସଂକ୍ରମଣକୁ ଆୟତ୍ତ ପାଇଁ ଆଣ୍ଟିଜେନ ଟେଷ୍ଟିଂ ବ୍ୟାପକ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ବର୍ତ୍ତମାନ କରୋନା ସ୍ଥିତି ନିୟନ୍ତ୍ରଣ ହେବାରେ ଲାଗିଛି । ତଥାପି ସଂକ୍ରମଣକୁ ଆହୁରି ଆୟତ୍ତ କରିବା ପାଇଁ ଆଣ୍ଟିଜେନ ଟେଷ୍ଟିଂକୁ ପ୍ରଶାସନର ନିର୍ଦ୍ଦେଶ କ୍ରମେ ବ୍ୟାପକ କରାଯାଇଛି । ପାରଳାଖେମୁଣ୍ଡି ସହରରେ କରୋନା ଆକ୍ରାନ୍ତ ହୋଇ ଘରୋଇ ଆଇସୋଲେସନ ରହୁଥିବା ସଂକ୍ରମିତଙ୍କୁ ଘର ଘର ବୁଲି ଚିକିତ୍ସା କରିବା ସହ ସହରର ବିଭିନ୍ନ ସାହି ବସ୍ତି, ଛକମାନ ଆଦିରେ ଆଣ୍ଟିଜେନ ଟେଷ୍ଟିଂ କରାଯାଉଥିବାର ଦେଖିବାକୁ ମିଳୁଛି । ଏହା ସହ ଘରୋଇ ଆଇସୋଲେସନରେ ରହୁଥିବା ସଂକ୍ରମିତଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଟିମ ଗଠନ କରାଯାଇ ପ୍ରତି ଦିନ ଦୁଇବେଳା ସ୍ୱାସ୍ଥ୍ୟ ଯାଞ୍ଚ କାର୍ଯ୍ୟକ୍ରମ କରାଯାଉଛି । ସହରର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେଥିବା ପ୍ରସୂତୀକାଳୀନ ଏବଂ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଠାରୁ ଆରମ୍ବ କରି ଚିକିତ୍ସାଳୟକୁ ଆସୁଥିବା ରୋଗୀ ଏବଂ ସେମାନଙ୍କ ପରିଜନ, ୧୪ନଂ ୱାର୍ଡ ଅଞ୍ଚଳ ଆଦି ସ୍ଥାନ ଠାରେ ଏହି ଆଣ୍ଟିଜେନ ଟେଷ୍ଟ କାର୍ଯ୍ୟକ୍ରମ ଚାଲୁ ରହିଥିଲା । ଲୋକେ ନିଜ ନିଜର ସ୍ୱଇଚ୍ଛାରେ ଆସି ଟେଷ୍ଟିଂ କରୁଥିବାର ଲକ୍ଷ୍ୟ କରାଯାଇଛି । ଏହାକୁ ଲକ୍ଷ୍ୟକରି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ଭ୍ରାମ୍ୟମାଣ ଟିମ୍ ଗଠନ କରି ଏହି ଟେଷ୍ଟିଂକୁ ଜୋର୍ଦାର କରାଯାଇଛି ।


