ଗ୍ରାମପଞ୍ଚାୟତ ଆଞ୍ଚଳିକ କମିଟି ବୈଠକ ଅନୁଷ୍ଠିତ ଦାବି ପୂରଣ ନହେଲେ ଆନ୍ଦୋଳନ ପାଇଁ ଚେତାବନୀ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଳକର ବାଲିଗାଡ଼ା ପଞ୍ଚାୟତ ଖେଳ ପଡ଼ିଆଠାରେ ଶନିବାର ଆଞ୍ଚଳିକ କମିଟିର ଏକ ଜରୁରୀ ବୈଠକ ସଭାପତି ଅଭିମନ୍ୟୁ ମଲିକଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଡଡ଼ବାଡ଼ି, ଶାସିମାହା, ବତେରିଗୁଡ଼ା, ଶିକକତା, ବହତବାଡ଼ି ଆଦି ଗ୍ରାମର ଅଧିବାସୀମାନେ ଯୋଗ ଦେଇଥିଲେ। ଅନୁଷ୍ଠିତ ବୈଠକରେ ଗ୍ରାମରେ ଥିବା ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା ହୋଇଥିବା ବେଳେ ସେଗୁଡ଼ିକ ମଧ୍ୟରେ ଟାୱାର ନିର୍ମାଣ, ପାନୀୟ ଜଳ ଯୋଗାଣ ଆଦି ସମସ୍ୟା ସାମିଲ ରହିଥିଲା। ତେବେ ଏ ନେଇ ବାରମ୍ବାର ପ୍ରଶାସନ ନିକଟରେ ଲିଖିତ ଭାବେ ଅଭିଯୋଗ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମସ୍ୟା ସମାଧାନ ହେବାରେ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଫଳରେ ଅଞ୍ଚଳବାସୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ଦୀର୍ଘମାସ ଧରି ବିଦ୍ୟାଳୟ ବନ୍ଦ ରହିଛି। ଫଳରେ ଅନ୍‍ଲାଇନ୍‍ ପାଠପଢା ଚାଲିଛି। ତେବେ ଟାୱାର ବ୍ୟବସ୍ଥା ନଥିବା ଯୋଗୁଁ ଗତ ୬ ମାସ ହେଲା ଗ୍ରାମର ଛାତ୍ରଛାତ୍ରୀମାନେ ଅନଲାଇନ୍‍ ପାଠପଢାରୁ ସଂପୂର୍ଣ୍ଣ ଭାବେ ବଞ୍ଚିତ ହେଉଛନ୍ତି। ଆଗାମୀ ଦିନରେ ସମସ୍ତ ମୌଳିକ ସୁବିଧା ଯୋଗାଇ ଦିଆ ନ ଗଲେ ବାଧ୍ୟ ହୋଇ ଅଞ୍ଚଳବାସୀ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବେ ବୋଲି ନିଷ୍ପତି ନିଆଯାଇଛି। ଅନୁଷ୍ଠିତ ଏହି ବୈଠକରେ ସମାଜସେବୀ ଉମେଶ ଚନ୍ଦ୍ର ଦିଗାଲ, ଗୋପାଳ ପ୍ରଧାନ, ସରପଞ୍ଚ ବିଭିଷଣ ପ୍ରଧାନ, ଅମିତ୍‍ ନାୟକ, ଚନ୍ଦନ ନାୟକ, ବିଜୟ ପ୍ରଧାନ ଓ ଅନ୍ୟମାନେ ସାମିଲ୍‍ ହୋଇ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ