ସଫ୍ଟ୍ଟୱେର୍ ସୁରକ୍ଷା ଚିନ୍ତା
ସୂଚନା ଓ ପ୍ରଯୁକ୍ତିବିଦ୍ୟାର ଏହି ଉଦ୍ୟୋଗ ଭାରତ ପାଇଁ ଯେ କେବଳ ଏକ ବ୍ରାଣ୍ଡ ନେମ୍ ସୃଷ୍ଟି କରିଛି ତା ନୁହେଁ ଏଥିରୁ ବର୍ଷକୁ ୧୫୦ ବିଲିୟନ ଡଲାରର ଆୟ ହେଉଛି । ସବୁଠାରୁ ସମୃଦ୍ଧ ରାଷ୍ଟ୍ର ଆମେରିକାରେ ଭାରତୀୟ ସଫ୍ଟୱେର ଇଞ୍ଜିନିୟରମାନେ ଆମେରିକୀୟମାନଙ୍କର ଚାକିରି ନେଇଯାଉଛନ୍ତି ବୋଲି ସେଠାରେ ଧାରଣା ସୃଷ୍ଟି କରାଯାଇଛି । ଭାରତରେ ବଡ଼ ସହରଗୁଡ଼ିକ ଏହି ଶିଳ୍ପର ବିକାଶ ପାଇଁ ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଦେଶର ପ୍ରଧାନ ସହର ମଧ୍ୟରେ ବେଙ୍ଗାଲୁରୁ, ହାଇଦ୍ରାବାଦ, ଚେନ୍ନାଇ, ପୁନେ, ଗୁରୁଗାଓଁ ଆଦି ସହରରେ ସଫ୍ଟୱେରରେ ପ୍ରାୟ ୪ ନିୟୁତରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି । ଅଧିକାଂଶ ଇଞ୍ଜିନିୟରିଂ ପଢ଼ୁଥିବା ଯୁବକଯୁବତୀ ଏହି ଉଦ୍ୟୋଗରେ କାମ କରିବାକୁ ଆଗ୍ରହୀ । ଟିସିଏସ୍, ଇନ୍ଫୋସିସ୍ ଆଦି ପ୍ରମୁଖ କମ୍ପାନୀଗୁଡ଼ିକ ପାରମ୍ପରିକ ଶିଳ୍ପ ପାଇଁ ଈର୍ଷାର କାରଣ । ଏହି ଭାରତୀୟ କମ୍ପାନୀଗୁଡ଼ିକ ଆନ୍ତର୍ଜାତିକସ୍ତରରେ ସମ୍ମାନିତ ହେଉଥିବାବେଳେ ଆକ୍ସେଞ୍ଚର ପରି ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକ ଭାରତରେ କମ୍ ଖର୍ଚ୍ଚରେ ନିଜର ବ୍ୟବସାୟ ବଢ଼ାଇବାରେ ସଫଳ ହୋଇଛନ୍ତି । ବିଶ୍ୱସ୍ତରରେ ଏହି କାରଣରୁ ସଫ୍ଟୱେରରେ ଭାରତକୁ ଗୁରୁତ୍ୱ ଦିଆଯାଉଛି ।ସୂଚନାପ୍ରଯୁକ୍ତି ବିଦ୍ୟାରେ ଭାରତର ବୈଷୟିକ ଦକ୍ଷତାକୁ ଏହାର ସଫ୍ଟୱେର ଇଞ୍ଜିନିୟରମାନେ ବିଶ୍ୱସ୍ତରରେ ସ୍ୱୀକୃତ କରାଇପାରିଛନ୍ତି । କିନ୍ତୁ ଗତ କିଛି ବର୍ଷରେ ଏହି ଉଦ୍ୟୋଗ ପାଇଁ କ୍ରମଶଃ ଚ୍ୟାଲେଞ୍ଜ ବଢ଼ିଛି । ଦେଶର ବଡ଼ କମ୍ପାନୀଗୁଡ଼ିକର କାମରେ ଏହା ପରିଲକ୍ଷିତ ହେଲାଣି । ଏଣୁ ଆର୍ଥିକ ବଜାରକୁ ଯେଉଁମାନେ ବିଶ୍ଲେଷଣ କରୁଛନ୍ତି ଅର୍ଥାତ୍ ଷ୍ଟକ୍ ମାର୍କେଟକୁ ଯେଉଁମାନେ ଲକ୍ଷ୍ୟ କରୁଛନ୍ତି ସେମାନେ ଦେଶର ସଫ୍ଟୱେର ଉଦ୍ୟୋଗର ମୂଲ୍ୟାଙ୍କନକୁ କାମ କରି ଦର୍ଶାଉଛନ୍ତି । ଅବଶ୍ୟ ଅନେକ ଯୁକ୍ତି କରୁଛନ୍ତି ଯେ, ବୈଷୟିକ କ୍ଷେତ୍ରରେ ନୂଆ ପରିବର୍ତ୍ତନ ସବୁବେଳେ ଆସିଲେବି ତାହା ବେକାରୀ ସୃଷ୍ଟି କରେ ବୋଲି ଧାରଣା ଠିକ୍ ନୁହେଁ । ସେପରି ସମସ୍ୟା ଆସିଲେ ଯେଉଁମାନଙ୍କର ଚାକିରି କରାଇବାର ଆଶଙ୍କା ଅଛି ସେମାନେ ନୂଆ ବୈଷୟିକ କୌଶଳରେ ତାଲିମ ନେଇ ନିଜକୁ ପରିବର୍ତ୍ତନ ସହ ଖାପ ଖୁଆଇପାରିବେ । ଏହି ଯୁକ୍ତି ଏବେ ସୂଚନା ପ୍ରଯୁକ୍ତି ବିଦ୍ୟା କ୍ଷେତ୍ର ପ୍ରତି ପ୍ରଯୁଜ୍ୟ । ଏଣୁ ଭାରତୀୟ ସଫ୍ଟୱେର ଉଦ୍ୟୋଗର ସଫଳତାକୁ ନେଇ ଦେଶ ଆତ୍ମସନ୍ତୋଷ ଭାବରେ ବୁଡ଼ି ରହିବା ଅନୁଚିତ । ସରଳ ଭାବେ ଦେଖିବାକୁ ଗଲେ ଏ କ୍ଷେତ୍ରରେ ଭାରତୀୟମାନଙ୍କର ନିଯୁକ୍ତି କିପରି ସୁରକ୍ଷିତ ରହିବ ଓ ଭବିଷ୍ୟତରେ କିପରି ଚାକିରି ସୃଷ୍ଟି ହୋଇପାରିବ, ସେହି ଲକ୍ଷ୍ୟରେ ଭାରତ ଓ ଏହାର ଆଇଟି କମ୍ପାନୀଗୁଡ଼ିକ କାମ କରିବା ଦରକାର ।