କୋଭିଡ୍ ପରବର୍ତୀ ପ୍ରାକ୍ ଶିକ୍ଷା ନିମନ୍ତେ ପ୍ରସ୍ତୁତି ଓ ତାଲିମ ପ୍ରଦାନ
ଫୁଲବାଣୀ,(ପ୍ରଶାନ୍ତ କୁମାର ବେହେରା): ଦୀର୍ଘ ୬ ମାସ ଧରି କରୋନା ନିମନ୍ତେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି ଓ ବର୍ତମାନ ସର୍ତମୁଳକ ଭାବରେ ସରକାର ପୁଣିଥରେ ଶିକ୍ଷାନୁଷ୍ଠାନ ଖୋଲିବା ନିମନ୍ତେ ପ୍ରସ୍ତୁତି ହେଉଛନ୍ତି । ଏହାକୁ ଆଖି ଆଗରେ ରଖି କନ୍ଧମାଳ ଜିଲ୍ଲାର ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ସେଭ୍ ଦି ଚିଲ୍ଡ୍ରେନ୍ ତରଫରୁ ଟିକାବାଲି ଓ ରାଇକିଆ ବ୍ଲକ୍ରେ ଚାଲିଥିବା ଶିକ୍ଷା ପ୍ରକଳ୍ପ ସାହାଯ୍ୟରେ ପ୍ରାକ୍ ଶିକ୍ଷା ବା ଅଙ୍ଗନୱାଡି କେନ୍ଦ୍ରଗୁଡିକ କିଭଳି ସଠିକ୍ ଭାବରେ ପୁନଃ କାର୍ଯ୍ୟକ୍ଷମ ହୋଇପାରିବ ଏଥିନିମନ୍ତେ ବିଭିନ୍ନ ସ୍ତରରେ ତାଲିମ୍ମାନ ପ୍ରଦାନ କରାଯାଉଛି । ପ୍ରାଥମିକ ସ୍ତରରେ ପ୍ରକଳ୍ପର କର୍ମକର୍ତାମାନେ ଘରକୁ ଘର ଯ୍ଧବ ଛାତ୍ରଛାତ୍ରୀ ମାନଙ୍କର ପିତା ମାତା ଓ ଅବିଭାବକଙ୍କୁ ବିଭିନ୍ନ ପ୍ରକାରର ଶିକ୍ଷଣୀୟ ସାମଗ୍ରୀ ନିଜେ ଘରେ ଓ ବିନା ଖର୍ଚ୍ଚରେ ତିଆରି କରିବାର କୈାଶଳ ଶିଖେଇବା ସହିତ ଘରେ ଥାଇ ପିଲାମାନଙ୍କର ପାଠପଢା ପ୍ରତି ବିଶେଷ ଧ୍ୟାନ ଦେବା ନିମନ୍ତେ ସଚେତନ କରାଇଥିଲେ । ଏହାପରେ ପ୍ରତି ଗ୍ରାମରେ ଥିବା ମାତୃ କମିଟି ଓ ଯାଂଚ କମିଟିର ସଦସ୍ୟ ସଦସ୍ୟାମାନଙ୍କୁ ସେମାନଙ୍କର ଦାୟିତ୍ୱ ଓ କର୍ତବ୍ୟ ବିଷୟରେ ତାଲିମ୍ ପ୍ରଦାନ କରିବା ସହିତ କୋଭିଡ୍ ପରବର୍ତୀ ସମୟରେ ଅଙ୍ଗନୱାଡି କେନ୍ଦ୍ରଗୁଡିକ ଖୋଲିବା ପରେ ସେମାନଙ୍କର ଗୁରୁତ୍ୱପୂର୍ଣ ଭୂମିକା ସମ୍ପର୍କରେ ସଚେତନ କରାଇବା ଏବଂ କରୋନା ସଂକ୍ରମଣକୁ ରୋକିବା ନିମନ୍ତେ ପ୍ରୟାସ ଜାରି ରଖିଛନ୍ତି । ବର୍ତମାନ ଟିକାବାଲି ଓ ରାଇକିଆ ବ୍ଲକର ୧୬୪ ଗୋଟି ଅଙ୍ଗନୱାଡି କେନ୍ଦ୍ରର କର୍ମୀ ମାନଙ୍କୁ ମଧ୍ୟ ବିଭିନ୍ନ ବିଷୟରେ ତାଲିମ୍ ପ୍ରଦାନ କରାଯାଉଅଛି । ଏହାଫଳରେ ଅବିଭାବକ, ବିଭିନ୍ନ କମିଟିର ସଦସ୍ୟ ସଦସ୍ୟା ଓ ଅଙ୍ଗନୱାଡି କର୍ମୀ ସଚେତନ ହେବା ସହିତ ଆଗାମୀ ଦିନରେ ଶିଶୁମାନେ ଯେପରି କୋରୋନା ସଂକ୍ରମଣର ଶୀକାର ନ ହେବେ ଏବଂ ଏକ ସୁସ୍ଥ ବାତାବରଣ ପ୍ରସ୍ତୁତି ହୋଇପାରିବ ସେଥିନିମନ୍ତେ ବିଭିନ୍ନ ସ୍ତରରେ ପ୍ରସ୍ତୁତି କରିବା ସହିତ ସଚେତନତା କରାଯାଉଅଛି । ଏହିଭଳି ତାଲିମ୍ କାର୍ଯର୍କ୍ରମ ମାନ ନିଶ୍ଚିତ ଭାବରେ ଆଗାମୀ ଦିନମାନଙ୍କରେ ଶିଶୁମାନଙ୍କ ସୁରକ୍ଷା ନିମନ୍ତେ ସହାୟତା ହେବା ସହିତ କୋରୋନା ସଂକ୍ରମଣ ରୋକିବାରେ ସାହାଯ୍ୟ କରିବ ବୋଲି ଟିକାବାଲି ସିଡିପିଓ ଶ୍ରୀମତୀ ପାନମଣୀ ହାଂସଦା ମତ ପ୍ରକାଶ କରିଛନ୍ତି । ବିଭିନ୍ନ ସମୟରେ ସିଡିପିଓ ଏବଂ ସୁପରଭାଇଜରମାନେ ମଧ୍ୟ ତାଲିମ୍ରେ ଯୋଗଦେଇ ଅଂଶଗ୍ରହଣକାରୀ ମାନଙ୍କୁ ଉତ୍ସାହିତ କରିଥିଲେ । ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀର ପ୍ରକଳ୍ପ ସଂଯୋଜକ ଶ୍ରୀ ପ୍ରଦୀପ କୁମାର ସ୍ୱାଇଁଙ୍କ ସଂଯୋଜନାରେ ଅନୁଷ୍ଠିତ ତାଲିମ୍ କାର୍ଯ୍ୟକ୍ରମ ଗୁଡିକରେ ପ୍ରଭଞ୍ଜନ କହଁର, ବସନ୍ତ ପ୍ରଧାନ, ଗାୟତ୍ରୀ ମହାରଣା, ମାଳତୀ ପ୍ରଧାନ ପ୍ରମୁଖ ତାଲିମ୍ ଦେଇଥିଲେ ।