ରନ୍ଧନ ଗ୍ୟାସ ବିତରକ ମାନୁ ନାହାନ୍ତି ସରକାରୀ ନିୟମ

ନାଉଗାଁ,(ଓ୍ବାଇଏନ୍ଏସ୍): ଗ୍ରାମାଂଚଳରେ ଜନସାଧାରଣଙ୍କୁ ସୁଲଭ ମୂଲ୍ୟରେ ରନ୍ଧନ ଗ୍ୟାସ ଯୋଗାଇ ଦେବା ପାଇଁ ସରକାର ପ୍ରତି ବ୍ଳକରେ ରନ୍ଧନ ଗ୍ୟାସ ବିତରକ କେନ୍ଦ୍ର ଖୋଲିଛନ୍ତି । ଏହି କେନ୍ଦ୍ରମାନଙ୍କରୁ ରନ୍ଧନ ଗ୍ୟାସ ହିତାଧିକାରୀମାନେ ଆବଶ୍ୟକ କାଗଜପତ୍ର ଦେଇ ଗ୍ୟାସ ନେଇ ପାରିବେ । ନାଉଗାଁ ବ୍ଳକରେ ଇଣ୍ଡେନ ଗ୍ୟାସ ବିତରକ ସଂସ୍ଥା ଥିବା ବେଳେ ମୁଣ୍ଡାଳ ଓ ବାଲିକୁଦା ବ୍ଳକର କାଳିଓ ଠାରେ ଏଚପି ଗ୍ୟାସ ବିତରକ କେନ୍ଦ୍ର ଖୋଲାଯାଇଛି । ସରକାରୀ ନିୟମାନୁସାରେ ବିତରକ କେନ୍ଦ୍ରରୁ ଗାଡି ମାଧ୍ୟମରେ ଗ୍ୟାସ ହିତାଧିକାରୀମାନଙ୍କୁ ଗ୍ୟାସ ଯୋଗାଇ ଦିଆଯିବ । ୫ କି.ମି ପରିଧି ମଧ୍ୟରେ କୌଣସି ପରିବହନ ଖର୍ଚ୍ଚ ହିତାଧିକାରୀଙ୍କୁ ଦେବାକୁ ପଡିବ ନାହିଁ । ଗ୍ୟାସ ବିତରକ କେନ୍ଦ୍ରର ବିତରକ ମାନେ ୫ କିମି ପରିଧି ମଧ୍ୟରୁ ପରିବହନ ଖର୍ଚ୍ଚ ୨୦ ରୁ ୩୦ ଟଙ୍କାରୁ ଅଧିକ ଆଣୁଥିବା ଜଣାଯାଇଛି । ସେହିପରି ଯେଉଁ ଗାଡିରେ ଗ୍ୟାସ ପରିବହନ କରାଯାଉଛି ସେହି ଗାଡିର କାଗଜପତ୍ର ଠିକ ଅଛି କି ନାହିଁ ତାହା ମଧ୍ୟ ସନ୍ଦେହ ଘେରରେ ରହିଛି । ଏପରିକି ପରିବହନ କରୁଥିବା ଗାଡି ଗୁଡିକରେ ଇନିସୁରାନ୍ସ ସହିତ ଫିଟନେସ ନଥିବା ଜଣାଯାଇଛି । ଏହା ସହିତ ଗାଡିରେ ଗ୍ୟାସ ବୋଝେଇ ହୋଇ ଯିବା ସମୟରେ ଅଗ୍ନି ନିର୍ବାପକ ଯନ୍ତ୍ର ରହୁ ନଥିବା ମଧ୍ୟ ଦେଖିବାକୁ ମିଳୁଛି । ଯଦି ଗ୍ୟାସ ଯିବା ସମୟରେ କୌଣସି ଅଘଟଣ ଘଟେ ତା ହେଲେ ଏକ ବଡ ଧରଣର ବିପତି ସୃଷ୍ଟି ହେବାର ଆଶଙ୍କା ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିତରକ କେନ୍ଦ୍ର ବ୍ୟତିତ ଅନ୍ୟ କେଉଁ ସ୍ଥାନରେ ଗ୍ୟାସ ରଖିବାର ନିୟମ ନାହିଁ । କିନ୍ତୁ ବିତରକ କାରୀମାନେ ବିଭିନ୍ନ ବଜାରର ଦୋକାନମାନଙ୍କରେ ଖୁଲାମଖୁଲା ଗ୍ୟାସ ଗଚ୍ଛିତ ରଖୁଛନ୍ତି । ଉକ୍ତ ଦୋକାନୀମାନେ ଚଢା ଦରରେ କଳା ବଜାରରେ ଗ୍ୟାସ ବିକ୍ରି କରୁଥିବା ଦେଖାଯାଉଛି । ଯାହାକି ସରକାରୀ ନିୟମକୁ ଖୋଲାଖୋଲି ଭାବେ ଉଲଘଂନ କରାଯାଉଛି । ଯୋଗାଣ ବିଭାଗ ପକ୍ଷରୁ ଗ୍ୟାସ ବିତରକ କେନ୍ଦ୍ର ଗୁଡିକ ଉପରେ କୌଣସି ତଦନ୍ତ କରାଯାଉ ନଥିବା ବେଳେ ଗ୍ୟାସ ପରିବହନ କରୁଥିବା ଗାଡି ଗୁଡିକୁ ପରିବହନ ବିଭାଗ ବା ଯୋଗାଣ ବିଭାଗ ପକ୍ଷରୁ ଯାଂଚ କରାଯାଉନାହିଁ । ଫଳରେ ଗ୍ୟାସ ବିତରଣକାରୀମାନେ ମନଇଚ୍ଛା ବେପାର କରୁଥିବା ଜଣାଯାଇଛି । ଏ ସଂର୍ପକରେ ଜଗତସିଂହପୁର ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ଗ୍ୟାସ ପରିବହନ କରୁଥିବା ଗାଡିର ସବିଶେଷ ତଥ୍ୟ ଯାଂଚ କରିବା ଦାୟିତ୍ୱ ପରିବହନ ବିଭାଗର ସେଥିରେ ଯୋଗାଣ ବିଭାଗର କୌଣସି କାର୍ଯ୍ୟ ନାହିଁ । ଗ୍ୟାସ ଟାଙ୍କି କେବଳ ଗୋଦାମ ଗୃହ ବ୍ୟତିତ ଆଉ କୌଣସି ସ୍ଥାନରେ ରଖା ଯାଇପାରିବ ନାହିଁ । ଯଦି ବାହାରେ କୌଣସି ସ୍ଥାନରେ ରହିଥିବା ଦେଖିବାକୁ ମିଳିବ ଆବଶ୍ୟକ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ