କ୍ରୀଡ଼ାର ସର୍ବାଙ୍ଗୀନ ବିକାଶ କ୍ଷେତ୍ରରେ ଗଜପତି ଷ୍ଟାଡିଅମର ଉନ୍ନତି ପାଇଁ ବ୍ରହ୍ମପୁର ସାଂସଦଙ୍କ କ୍ରୀଡା ମନ୍ତ୍ରୀଙ୍କୁ ଅନୁରୋଧ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ କ୍ରୀଡ଼ାର  ସର୍ବାଙ୍ଗୀନ ବିକାଶ ସମେତ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିଅମର ବିଭିନ୍ନ ଉନ୍ନତିର ନିର୍ମାଣ କାର୍ଯ୍ୟ କରିବା ପାଇଁ ବ୍ରହ୍ମପୁର ସାଂସଦ ତଥା କେନ୍ଦ୍ର ନଗର ଉନ୍ନୟନ , ଶ୍ରମ ଓ ନିଯୁକ୍ତି ବିଭାଗର ପୂର୍ବତନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଚନ୍ଦ୍ର ଶେଖର ସାହୁ ,  ମାନ୍ୟବର କ୍ରୀଡା ମନ୍ତ୍ରୀଙ୍କୁ  ଏକ ପତ୍ର ଲେଖି ଅନୁରୋଧ କରିଛନ୍ତି । ମାନ୍ୟବର ସାଂସଦ ଶ୍ରୀ ସାହୁଙ୍କ ଏଭଳି ପଦକ୍ଷେପ ପାରଳାଖେମୁଣ୍ଡି ସହରର ଯୁବବର୍ଗ ଓ କ୍ରୀଡ଼ାପ୍ରେମୀ ମହଲରେ ନିଶ୍ଚିତ ଭାବେ ଏକ ଉତ୍ସାହ ଭରି ଦେଇଥିବା ଜଣାଯାଇଛି।
ମାନ୍ୟବର ବ୍ରହ୍ମପୁର ସାଂସଦ ଶ୍ରୀ ସାହୁ , ମାନ୍ୟବର କ୍ରୀଡା ମନ୍ତ୍ରୀଙ୍କୁ କ୍ରୀଡା କ୍ଷେତ୍ରର ସର୍ବାଙ୍ଗୀନ ବିକାଶ ପାଇଁ ଦେଇଥିବା ପତ୍ରରେ ଦର୍ଶାଇଛନ୍ତି ଯେ , ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରେ କ୍ରୀଡା କ୍ଷେତ୍ରର ସର୍ବାଙ୍ଗୀନ ବିକାଶ ତଥା ଉତ୍ତୋରତ୍ତର ଉନ୍ନତି ନିମନ୍ତେ ବ୍ୟାପକ ଯୋଜନା ପ୍ରସ୍ତୁତି କରିବା ପୂର୍ବକ ବିଭିନ୍ନ ପଦକ୍ଷେପ ନେଇ ତାକୁ କାର୍ଯ୍ୟକ୍ଷମ କରୁଥିବା ଯୋଗୁଁ ଭୁୟସୀ ପ୍ରସଂଶା କରିଛନ୍ତି । ତା’ ସହିତ କ୍ରୀଡା କ୍ଷେତ୍ରର ଆବଶ୍ୟକତା ପ୍ରତି ଦୃଷ୍ଟିରେ ରଖି କେତେଗୁଡିଏ ନିର୍ମାଣ କାର୍ଯ୍ୟ କରିବା ପାଇଁ ଦେଇଥିବା ପ୍ରତିଶ୍ରୁତି ଓ ଏହାର ଶୁଭାରମ୍ଭ  ପାଇଁ ଅନୁମତି ପ୍ରଦାନ କରିଥିବା ଯୋଗୁଁ , ମୁଖ୍ୟମନ୍ତ୍ରୀଙ୍କ କ୍ରୀଡା କ୍ଷେତ୍ରର ବିକାଶ ନିମନ୍ତେ ଏହି ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଅନ୍ୟପକ୍ଷରେ ,  ଏଥିସହିତ ଆଉ କେତେକ କ୍ଷେତ୍ରର ବିକାଶ ପାଇଁ ମଧ୍ୟ ମାନ୍ୟବର କ୍ରୀଡା ମନ୍ତ୍ରୀଙ୍କୁ ଦୃଷ୍ଟି ଆକର୍ଷଣ କରି ତାଙ୍କ ସହଯୋଗ କାମନା କରିଛନ୍ତି । କ୍ରୀଡା କ୍ଷେତ୍ରର ବ୍ୟାପକ ଉନ୍ନତି ସାଧନ ପାଇଁ ବହୁମୁଖୀ ତଥା ସର୍ବାଙ୍ଗୀନ ଉନ୍ନତି ସାଧନ ପାଇଁ ଏବଂ ନିର୍ମାଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବେ ସଫଳ ରୂପ ଦେବାପାଇଁ ପ୍ରୟାସ ସ୍ୱରୂପ ଛତ୍ରପୁର ଠାରେ  ବହୁମୁଖୀ କ୍ରୀଡା-ଭବନ ନିର୍ମାଣ ସହ ହିଂଜୁଳିକାଟ ଓ ବ୍ରହ୍ମପୁର ଠାରେ ଷ୍ଟାଡିଅମ ନିର୍ମାଣ ଏବଂ କ୍ରୀଡା କ୍ଷେତ୍ରର ଆହୁରି ଅନେକ ଭବିଷ୍ୟତ ଯୋଜନା’ର ରୂପରେଖ ପ୍ରସ୍ତୁତି ପଥେ ରହିଛି । ଏହାକୁ ଚୂଡାନ୍ତ ରୂପ ଦେବାପାଇଁ ଉଦ୍ୟମ କରାଯିବା ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଯୋଗୁଁ ଏଥିରେ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିବା ସହ ସାଂସଦ ଶ୍ରୀ ସାହୁ ,ମୁଖ୍ୟମନ୍ତ୍ରୀ ଓ ରାଜ୍ୟ କ୍ରୀଡା ବିଭାଗ’କୁ ଭୁୟସୀ ପ୍ରସଂଶା କରି ଧନ୍ୟବାଦ ଜ୍ଞାପନ କରିଛନ୍ତି ।ଏଥି ସଙ୍ଗେ ସଙ୍ଗେ ପାରଳାଖେମୁଣ୍ଡି  ସହର ମଧ୍ୟ ତାଙ୍କ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ପରିସରରେ ରହିଥିବା ଯୋଗୁଁ ଉକ୍ତ ଅଞ୍ଚଳରେ କ୍ରୀଡା ଓ କ୍ରୀଡା କ୍ଷେତ୍ରର ସର୍ବାଙ୍ଗୀନ ବିକାଶ ପାଇଁ ତଥା ଯୁବବର୍ଗ , ଖେଳାଳି ଓ କ୍ରୀଡ଼ାପ୍ରେମୀ ମଧ୍ୟରେ ଏ କ୍ଷେତ୍ରରେ ଅଧିକ ଉତ୍ସାହ ଭରିଦେବା ନିମନ୍ତେ କେତେକ ନିର୍ମାଣ କାର୍ଯ୍ୟପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ’ଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି । ଏଥିସହିତ ଏ କ୍ଷେତ୍ରରେ ରହିଥିବା ବିଭିନ୍ନ ଦୁରାବସ୍ଥାର ଉନ୍ନତି କାର୍ଯ୍ୟ କରିବା ପାଇଁ ମଧ୍ୟ କ୍ରୀଡା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି କ୍ଷେତ୍ରରେ ବିକାଶ ଗୁଡିକ ମଧ୍ୟରେ ମୁଖ୍ୟତଃ କ୍ରୀଡାଙ୍ଗନର ନବୀକରଣ ସହ ଦର୍ଶକ ଗ୍ୟାଲେରୀ , ଜନସାଧାରଣ’ଙ୍କ ନିମନ୍ତେ(ସନ୍ତରଣ) ଜଳାଶୟ , ଯାନବାହାନ ରଖିବା ପାଇଁ  ପାରକିଙ୍ଗ ବ୍ୟବସ୍ଥା ,  ନାଳରେ ଉତ୍ତମ ଜଳ ନିଷ୍କାସନ ବ୍ୟବସ୍ଥା , ପ୍ରଭୃତି ନିର୍ମାଣ କାର୍ଯ୍ୟ , ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଗଜପତି ଷ୍ଟାଡିଅମ’ର ନବୀକରଣ କରାଯାଇ ଅଧିକ  ମାତ୍ରାରେ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେବାସହ ଆନ୍ତଃ କ୍ରୀଡ଼ାଳୟ୍ଯ ତଥା ଇଣ୍ଡୋର ଷ୍ଟାଡିଅମ’ରେ ବ୍ୟାଡମିଣ୍ଟନ ଖେଳ ସମେତ , ଟେବୁଲ ଟେନିସ , ଭଳିବଲ , ବାସ୍କେଟବଲ ପ୍ରଭୃତି ଖେଳିବା ପାଇଁ ବ୍ୟବସ୍ଥା ଏବଂ ଛାତ୍ରଛାତ୍ରୀ ମାନଙ୍କ ରହିବା ଓ ତାଲିମ ନେବା ପାଇଁ ହଷ୍ଟେଲର ବ୍ୟବସ୍ଥା କରାଯିବା ପାଇଁ ବିଶେଷ ଅନୁରୋଧ କରିଥିବାର ପଦକ୍ଷେପ ନେଇଛନ୍ତି ମାନ୍ୟବର ବ୍ରହ୍ମପୁର  ସାଂସଦ ଶ୍ରୀ ସାହୁ ଏବଂ ଏ ସମସ୍ତ ବିଷୟ ଉପରେ ଏକ ପତ୍ର ମାଧ୍ୟମରେ ସାଂସଦ ଶ୍ରୀ ସାହୁ , ମାନ୍ୟବର କ୍ରୀଡା ମନ୍ତ୍ରୀଙ୍କୁ ଅବଗତ କରାଇ ତାଙ୍କ ଦୃଷ୍ଟି ଆକର୍ଷଣ କରି ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ