କନ୍ଧମାଳରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠାରେ ବିଳମ୍ବ; ଆନ୍ଦୋଳନ ପାଇଁ ସଜବାଜ  

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାରେ ଏକ ସରକାରୀ ମେଡ଼ିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ଗତ ବର୍ଷ ତାଙ୍କ ଜନ୍ମ ଦିନରେ ଘୋଷଣା କରିଥିଲେ। ଇତି ମଧ୍ୟରେ ଏକ ବର୍ଷ ଅତିକ୍ରାନ୍ତ ହୋଇ ଯାଇଥିଲେ ମଧ୍ୟ ମେଡ଼ିକାଲ କଲେଜ ପ୍ରତିଷ୍ଠା ସମ୍ପର୍କରେ କୌଣସି ଅଗ୍ରଗତି ହୋଇପାରି ନାହିଁ। କେନ୍ଦ୍ର ସରକାରଙ୍କ ପତ୍ର ଅନୁଯାୟୀ, ଦେଶରେ ପ୍ରତିଷ୍ଠା ହେବାକୁ ଥିବା ୭୫ଟି ଫେଜ୍‌ ଥ୍ରୀ ମେଡ଼ିକାଲ କଲେଜ ମଧ୍ୟରୁ ଗୋଟିଏ କନ୍ଧମାଳ ଜିଲ୍ଲାରେ ପ୍ରତିଷ୍ଠା ହେବ ବୋଲି ଆଶା କରାଯାଉଥିଲା। ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ଗତ ଡିସେମ୍ବର ୩ ତାରିଖରେ କନ୍ଧମାଳ ଜିଲାରେ ଫେଜ୍‌ ଥ୍ରୀ ସରକାରୀ ମେଡ଼ିକାଲ କଲେଜ ପାଇଁ ୩୨୫ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ପ୍ରକଳ୍ପ ରିପୋର୍ଟ ସ୍ୱାସ୍ଥ୍ୟ ବିଭାଗର ଜଣେ ଯୁଗ୍ମ ସଚିବ ଦାଖଲ କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହା ଉପରେ କୌଣସି ପଦକ୍ଷେପ ନିଆ ଯାଇନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲା ପାଇଁ ନିଯୁକ୍ତ ହୋଇଥିବା ନୋଡାଲ ଅଫିସରଙ୍କୁ ଏ ସମ୍ପର୍କରେ ପତ୍ରାଳାପ କରାଯାଇଥିଲେ ହେଁ ତାଙ୍କ ପାଖରେ ଅଗ୍ରଗତି ସମ୍ପର୍କରେ କୌଣସି ଖବର ନଥିବା ଜଣାପଡ଼ିଛି। ତେଣୁ ଏହାକୁ ନେଇ ଡ.ଅରୂପ ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ମିଳିତ ନାଗରିକ କମିଟି ପକ୍ଷରୁ ଏକ ବୈଠକରେ ସରକାରଙ୍କ କାଳକ୍ଷେପଣ ନୀତି ନେଇ କ୍ଷୋଭ ପ୍ରକାଶ କରାଯିବା ସହ ସରକାରୀଙ୍କ ସହ ଯୋଗାଯୋଗ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆଗାମୀ ଡିସେମ୍ବର ଶେଷ ସୁଦ୍ଧା ସରକାରୀ ମେଡ଼ିକାଲ କଲେଜ ପ୍ରତିଷ୍ଠା ସମ୍ପର୍କରେ ସରକାରଙ୍କ ଅନୁମୋଦନ ମିଳିବା ଦିଗରେ ବିଳମ୍ବ ହେଲେ କନ୍ଧମାଳବାସୀ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି କୁହାଯାଇଛି।ଏହାସହ ଫୁଲବାଣୀ ପୌର ପରିଷଦ ଗଠନ ହେବାର ୧୦ ବର୍ଷ ବିତି ଯାଇଥିଲେ ହେଁ କୌଣସି ପ୍ରକାର ଆଖିଦୃଶିଆ ସୁବିଧା ସୁଯୋଗ ଯୋଗାଇ ଦିଆଯାଇ ନାହିଁ। ପୌର ପରିଷଦରେ ଭିତ୍ତିଭୂମିର ବିକାଶ ସାଙ୍ଗକୁ ଜମି ସମସ୍ୟାର ସମାଧାନ ପୂର୍ବରୁ ଟିକସ ବୃଦ୍ଧିକୁ କମିଟି ପକ୍ଷରୁ ନାପସନ୍ଦ କରି ବିରୋଧ କରିବାକୁ ନିଷ୍ପତ୍ତି ନିଆଯାଇଛି। ବହୁ ଦିନର ଦାବି ବ୍ରହ୍ମପୁର-ସମ୍ବଲପୁର ରେଳପଥ ନିର୍ମାଣ ପାଇଁ ଆଜି ପର୍ଯ୍ୟନ୍ତ ବ୍ୟୟ ବରାଦ ନ ହେବା ଓ ସର୍ଭେ କାର୍ଯ୍ୟ ପାଇଁ ଦଶ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯିବା ପଛରେ କେତେ ଦୂର ସରକାରୀ ଆନ୍ତରିକତା ରହିଛି ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା। ହାଟପଦାସ୍ଥିତ ଯାତ୍ରା ପଡ଼ିଆରେ ଅନୁଷ୍ଠିତ ବୈଠକରେ କମିଟି ସଦସ୍ୟ ଆଇନଜୀବୀ ବିଜୟକୃଷ୍ଣ ପଟ୍ଟନାୟକ, ବିଜୟ ମହାନ୍ତି, ସିଦ୍ଧେଶ୍ୱର ଦାସ, ପଦ୍ମ ଚରଣ ସ୍ୱାଇଁ, ସଚ୍ଚି ପଟ୍ଟନାୟକ, ପ୍ରସନ୍ନ ସାହାଣୀ, ପଦ୍ମ ଚରଣ ସାହୁ, ପ୍ରମୋଦ ସାହୁ, କମଳାକାନ୍ତ ପାଣ୍ଡେ ଓ ଅନ୍ୟ ସଭ୍ୟଙ୍କ ସମେତ ଆବାହକ ଅଶୋକ ପରିଡା ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ