ପୋଲସରା ସମିତିର ୧୪ ତମ ଅଧିବେଶନ

ପୋଲସରା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ପୋଲସରା ପାଞ୍ଚାୟତ ସମିତିର ୧୪ ତମ ଅଧିବେଶନ ନଭେମ୍ବର ୧୭ ତାରିଖ ଦିନ ସମିତି ସଭା ଗୃହରେ ଅନୁଷ୍ଠିତ ହୋଇଥିଲା । ଏହି ଅଧିବେଶନରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଯୋଗଦେଇଥିବା ବେଳେ ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ ଅଧ୍ୟକ୍ଷତା କରିଥିଲେ । ପ୍ରଥମେ ବିଡ଼ିଓ ଶମ୍ଭୁନାଥ ନନ୍ଦୀ ସମସ୍ତଙ୍କୁ ସ୍ୱାଗତ କରିବା ପରେ ପରେ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଏହି ବ୍ଲକର ଜଣେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଜଣେ ଗ୍ରାମ ରୋଜଗାର ସେବକ ଏହିପରି ଦୁଇଜଣ କାର୍ଯ୍ୟରତ କର୍ମଚାରୀଙ୍କ ଅକାଳ ବିୟୋଗରେ ଦୁଇ ମିନିଟ ନିରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା । କରୋନା ମହାମାରୀ ସମୟରେ ପୋଲସରା ବ୍ଲକକୁ ୧୯ ହଜାରରୁ ଉର୍ଦ୍ଧ ପ୍ରବାସୀ ଓଡ଼ିଆ ଶ୍ରମିକ ବିଭିନ୍ନ ରାଜ୍ୟରୁ ଫେରିଥିବା ବେଳେ ସମସ୍ତଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖି ସେବା ଯୋଗାଇ ଦେବା ସହ କରୋନା ଯୋଦ୍ଧାଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ପୋଲସରା ବ୍ଲକ କରୋନା ମୁକ୍ତ ହୋଇପାରିଥିବା ଯୋଗୁଁ ବିଧାୟକ ଶ୍ରୀ ସାହୁ ଧନ୍ୟବାଦ ଜଣାଇଥିଲେ। କରୋନା ଯୋଗୁଁ ସାରା ରାଜ୍ୟରେ ବିକାଶ ବାଧା ସୃଷ୍ଟି କରିଥିବା ବେଳେ ପୋଲସରାରେ ମଧ୍ୟ ତାହା ଦେଖାଦେଇଥିଲେ ସୁଦ୍ଧା ସିଂହାସିନୀ – ବାଣପୁର ରାସ୍ତା ଟେଣ୍ଡର ସରିଥିବା ସହ ତୁରନ୍ତ କାର୍ଯ୍ୟ ଆରମ୍ଭ ହେବ ବୋଲି ବିଧାୟକ ପ୍ରକାଶ କରିଥିଲେ। ରାଜ୍ୟ ସରକାର ସମସ୍ତ ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ ଗୁରୁତ୍ୱ ଦେଉଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୨୫୯ ଗ୍ରାମକୁ ପାନୀୟ ଜଳଯୋଗାଣ ବ୍ୟବସ୍ଥା କରାଯାଇଛି ବୋଲି ବିଭାଗୀୟ ଯନ୍ତ୍ରୀ ପ୍ରକାଶ କରିଥିଲେ । ଏଥି ସହ କଣଛାଇ, ଗୋଛାବାଡ଼ି, ବୁଢେଇଶୁଣି, ଘୋଡାପଲାଙ୍ଗ, ନରସିଂହ ପଲ୍ଲୀ ଆଦି ଗ୍ରାମର ପାନୀୟ ଜଳ ସମସ୍ୟା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଗୋଛାବାଡ଼ି ପାଞ୍ଚାୟତର ଚାଷୀମାନଙ୍କ ଠାରୁ ଇଣ୍ଡିଆ ସ୍ବେଚ୍ଛାସେବୀ ସଂଗଠନ ମାଣ୍ଡିଆ କିଣିଥିଲେ ମଧ୍ୟ ଅର୍ଥ ଦେଇନଥିବା ନେଇ ସରପଞ୍ଚ ମନ ମୋହନ ଗୌଡ଼ ଅଭିଯୋଗ କରି ଇଣ୍ଡିଆ ବିରୋଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଥିଲେ । ଏଥି ସହିତ ଉଦ୍ୟାନ କୃଷି,ପ୍ରାଣୀଧନ, ସ୍ୱାସ୍ଥ୍ୟ, ବିଦ୍ୟୁତ ବିଭାଗ ବିଷୟ ରେ ମଧ୍ୟ ଆଲୋଚନା ହୋଇଥିଲା । ଏହି ବୈଠକରେ ବିଧାୟକ, ଅଧ୍ୟକ୍ଷ, ବିଡ଼ିଓ ଙ୍କ ସମେତ ଉପାଧ୍ୟକ୍ଷା ସଂଯୁକ୍ତା ବାଡ଼ତ୍ୟା, ଅତିରିକ୍ତ ବିଡ଼ିଓ ଧର୍ମରାଜ ପରିଡା, ସହକାରୀ ଯନ୍ତ୍ରୀ ଗୋପାଳ କୃଷ୍ଣ ଗୌଡ଼, ସିଡିପିଓ ପ୍ରମୁଖ ମଞ୍ଚାସିନ ଥିବା ବେଳେ ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା, ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ଓ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ମାଣ୍ଡିଆ କ୍ରୟ ବିଷୟ ନେଇ ଇଣ୍ଡିଆ ସ୍ବେଚ୍ଛାସେବୀ ସଙ୍ଗଠନର ଡ଼ାଇରେକ୍ଟରଙ୍କୁ ବୁଝିବାରେ ସେ ପ୍ରକାଶ କରିଥିଲେ ଯେ ଚାଷୀଙ୍କ ଠାରୁ ଆଦିବାସୀ ଉନ୍ନୟନ ନିଗମ ମାଣ୍ଡିଆ କ୍ରୟ କରି ସେମାନଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଇଥାଏ । ଆମେ ମାଣ୍ଡିଆ କିଣିବା ଏକ ଭିତ୍ତିହୀନ ଅଭିଯୋଗ ବୋଲି ସେ ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ