ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ
୩୬ହଜାର ୪୧୭ ମେଟ୍ରିକ ଟନ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ୨୦୨୦-୨୧ ଖରିଫ ବର୍ଷର ଏଫ.ଏ.କ୍ୟୁ. ମାନର ଧାନ ସଂଗ୍ରହ ନିମନ୍ତେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ପାରଳାଖେମୁଣ୍ଡି ନିୟନ୍ତ୍ରିତ ବଜାର କମିଟି ଓ ଜିଲ୍ଲା ଯୋଗାଣ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଅନୁପମ ସାହା ଏହି ବୈଠକରେ ଅଧ୍ୟକ୍ଷତା କରି ପ୍ରାରମ୍ଭରେ ଉପସ୍ଥିତ ସମସ୍ତହ୍କୁ ସ୍ୱାଗତ ଜଣାଇ ସରକାରଙ୍କ ଧାନ ସଂଗ୍ରହ ନୀତି ସମ୍ପର୍କରେ କହିଥିଲେ । ପରେ ଶୃଙ୍ଖଳିତ ଭାବେ ଧାନ ସଂଗ୍ରହ ପ୍ରକ୍ରିୟା ପରିଚାଳନା ନିମନ୍ତେ ଯୋଗାଣ ଓ ସମବାୟ ବିଭାଗର ଅଧିକାରୀ ଓ କର୍ମଚାରୀ ମାନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ । ଅନ୍ୟପକ୍ଷରେ ଚାଷୀମାନେ ଯେଭଳି ଦାନ କ୍ରୟ ପ୍ରକ୍ରିୟାରେ ପ୍ରାପ୍ୟ ପାଇବାରେ କୌଣସି ପ୍ରକାର ହଇରାଣ ହରକତ ହୋଇ ଅସୁବିଧା ନ ଭୋଗିବେ ସେଥି ପାଇଁ ଯତ୍ନବାନ ହେବାପାଇଁ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲା ମୁଖ୍ୟ ବେସାମରିକ ଯୋଗାଣ ଅଧିକାରୀ ଅନାଦି ଚରଣ ସେଠୀ ଚଳିତ ବର୍ଷ ଧାନ ସଂଗ୍ରହର କାର୍ଯ୍ୟ ଖସଡା ଓ ପ୍ରସ୍ତୁତିର ବିଭିନ୍ନ ଦିଗ ସମ୍ପର୍କରେ ବୈଠକରେ ଅବଗତ କରାଇଥିଲେ । ଅନ୍ୟପକ୍ଷରେ ଚଳିତ ବର୍ଷ ଏଫଏକ୍ୟୁ ମାନର ଧାନ କ୍ୟୁଣ୍ଟାଲ ପ୍ରତି ମୂଲ୍ୟ ୧୮୬୮ ଟଙ୍କା ଧାର୍ଯ୍ୟ କରାଯାଇଥିବାବେଳେ ଗ୍ରେଡ “ଏ” ମାନର ଧାନ କୁଣ୍ଟାଲ ପ୍ରତି ମୂଲ୍ୟ ୧୮୮୮ ଟଙ୍କା ଧାର୍ଯ୍ୟ କରାଯାଇଥିବା ସୂଚନା ଦେଇଥିଲେ । ଚଳିତ ଖରିଫ ଋତୁରେ ଚାଷୀମାନେ ସେମାନଙ୍କ ଉତ୍ପାଦିତ ଧାନ ବିକ୍ରୟ କରିବା ପାଇଁ ଅନଲାଇନରେ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ନାମ ପଞ୍ଜିକରଣ ପାଇଁ ସରକାରଙ୍କ ପକ୍ଷରୁ ସମୟ ସୀମା ଧାର୍ଯ୍ୟ କରାଯାଇଥିଲା । ସେହି ଅନୁଯାୟୀ ଜିଲ୍ଲାରେ ମୋଟ ୧୬,୦୭୮ ଜଣ ଚାଷୀ ଅନଲାଇନରେ ସେମାନଙ୍କ ନାମ ପଞ୍ଜିକରଣ କରିଛନ୍ତି । ଚଳିତ ୨୦୨୦-୨୧ ଖରିଫ ଋତୁରେ ପଞ୍ଜିକୃତ ହୋଇଥିବା ମୋଟ ୧୬,୦୭୮ ଜଣ ଚାଷୀଙ୍କ ଠାରୁ ସମୁଦାୟ ୩୬ ହଜାର ୪୧୭.୯୧୦ ମେଟ୍ରିକ ଟନ ଧାନ ତଥା ୨୪.୪୦୦ ମେଟ୍ରିକ ଟନ ଚାଉଳ ସଂଗ୍ରହ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି । ଏହି ସବୁ ଧାନ ତଥା ଚାଉଳ ଆର୍ଏମ୍ସି ମାଧ୍ୟମରେ ମୋଟ ୪୪ଟି ପେକସ ଚାଷୀଙ୍କ ଠାରୁ ଧାନ କ୍ରୟ କରାଯିବ । ଆସନ୍ତା ଡିସେମ୍ବର ମାସ ୨୩ ତାରିଖ ଠାରୁ ଚାଷୀହ୍କ ଠାରୁ ଧାନ ସଂଗ୍ରହ କରାଯିବ ବୋଲି ସର୍ବସମ୍ମତି କ୍ରମେ ବୈଠକରେ ଦିନ ଧାର୍ଯ୍ୟ ହୋଇଥିଲା । ଅନ୍ୟପକ୍ଷରେ ଚାଷୀମାନେ ପୂର୍ବରୁ ଟୋକେନ୍ ପାଇବା ୭ ଦିନ ମଧ୍ୟରେ ସେମାନଙ୍କ ଉତ୍ପାଦିତ ଧାନ କ୍ରୟ କରିବା ଧାର୍ଯ୍ୟ ହୋଇଥିଲା କିନ୍ତୁ ଚଳିତ ଥର ଏହି ଧାର୍ଯ୍ୟ ସମୟ ସୀମାକୁ ୧ ମାସ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ତେଣୁ ଚାଷୀମାନେ ଟୋକେନ୍ ପାଇବା ପରେ ଶେଷ ଦିନ ପର୍ଯ୍ୟନ୍ତ ଅପେକ୍ଷା ନକରି ଆରମ୍ଭରୁ ହିଁ ମଣ୍ଡିକୁ ନେଇ ଧାନ ଦେଲେ ଧାନ ବିକିବା ପାଇଁ ଭିଡ ହେବ ନାହିଁ । ଏଥି ସହିତ ବର୍ତ୍ତମାନ କରୋନା ସମୟ ଚାଲିଥିବା ଯୋଗୁଁ ଧାନ ସଂଗ୍ରହ ବେଳେ କୋଭିଡ-୧୯ ଗାଇଡ୍ ଲାଇନ ପାଳନ କରାଯିବ, ସମସ୍ତ ଚାଷୀ ମଣ୍ଡିକୁ ଧାନ ଆଣିବା ସମୟରେ ମାସ୍କ ପିନ୍ଧିବା ବାଧ୍ୟତା ସହ ସେମାନଙ୍କ କରୋନା ସ୍କାନିଙ୍ଗ କରାଯିବ ବୋଲି ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ପିଡି ଡିଆର୍ଡିଏ ମହେଶ କୁମାର ଚୌଧୁରୀ, ଏସିଏସ୍ଓ ଶତ୍ରଘ୍ନ ଗିରି, ମାନସ ରଂଜନ ପାତ୍ର, ଏଆର୍ସିଏସ୍ ପିଭି ପ୍ରସାଦ ରାଓ, ଆର୍ଏମ୍ସି ସେକ୍ରେଟାରୀ ଏଲ୍. ରଘୁବାବୁ, ଅଗ୍ରଣୀ ଚାଷୀ ବସନ୍ତ ଦାସ, ବିଜୟ ଜେନା, ମଧୁବାବୁ ପ୍ରମୁଖଙ୍କ ସମେତ ବହୁ ଅଗ୍ରଣୀ ମିଲରସ ଯୋଗଦେଇ ସମସ୍ତ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।