ପୂର୍ବତନ କାଉନସିଲର ତଥା ମିସାବନ୍ଦୀ ନରହରି ପତ୍ରୀଙ୍କ ପରଲୋକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ପୈାରସଂସ୍ଥାର ପୂର୍ବତନ କାଉନସିଲର, ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ସେବକ ତଥା ଜରୁରୀକାଳୀନ ପରିସ୍ଥିତିରେ ମିସାବନ୍ଦୀ ଥିବା ନରହରି ପତ୍ରୀ(ନଙ୍ଗୁଳି ନନା)ଙ୍କ ୬୮ବର୍ଷ ବୟସରେ ଗତ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ତାଙ୍କ ଈଶ୍ୱରପୁରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସେ କିଡନୀ ଜନିତ ରୋଗରେ ଶଯ୍ୟାଶାୟୀ ଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଧର୍ମପତ୍ନୀ, ସାନଭାଇ ନୃସିଂହ(ବାବୁ) , ପୁତ୍ର ସ୍ୱାଧୀନ ଓ ସ୍ୱରାଜ, ପୁତ୍ରବଧୁ, ଭଣଜା ଅଶୋକଙ୍କ ସମେତ ପରିବାରର ଆତ୍ମୀୟ ସ୍ୱଜନମାନେ ଉପସ୍ଥିତ ଥିଲେ । ସେ ବାଲ୍ୟକାଳରୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ଆଦର୍ଶରେ ଅନୁପ୍ରାଣିତ ହୋଇ ଜରୁରୀକାଳୀନ ପରିସ୍ଥିତିରେ ପ୍ରତିବାଦ କରି ୬ମାସ କାରାବରଣ କରିବା ସହ କେନ୍ଦ୍ରାପଡା ପୈାରସଂସ୍ଥାର ୧୯୮୪ ମସିହାରେ ଭାରତୀୟ ଜନତା ଦଳର ପ୍ରଥମ କାଉନସିଲର ଭାବେ ନିର୍ବାଚିତ ହୋଇ ଜନହିତକର କାର୍ଯ୍ୟ କରି ଲୋକପ୍ରିୟ ହୋଇ ପାରିଥିଲେ । ସେହିପରି ଆର.ଏସ.ଏସ., ବିଶ୍ୱ ହିନ୍ଦୁ ପରିଷଦ, ସରସ୍ୱତୀ ଶିଶୁ ମନ୍ଦିର ପରିଚାଳନା ସମିତିର ସଭାପତି ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟୀତ୍ୱରେ ରହି ନିଜର ସାଂଗଠନିକ ଦକ୍ଷତା ପ୍ରଦର୍ଶନ କରି ସଙ୍ଘ ପରିବାରର ମାର୍ଗଦର୍ଶକ ହୋଇପାରିଥିଲେ । ତାଙ୍କ ବିୟୋଗ ଖବର ପାଇ ବିଜେପିର ବରିଷ୍ଠ ନେତା ବୈଦ୍ୟନାଥ ଚାଟାର୍ଜୀ, ଭୂବନମୋହନ ଜେନା, ବିଜେପି ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, ସୁନାକର ବେହେରା, ଜିଲ୍ଲା ସଙ୍ଘ ଚାଳକ ନିହାର ରଞ୍ଜନ ପଣ୍ଡା, ବଳଦେବଜୀଉ ଏଣ୍ଡାଉମେଂଟର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ, ଆଇନଜୀବି ଦେବଦାସ ମହାନ୍ତି, ସାମ୍ବାଦିକ ସଚିଦାନନ୍ଦ ବେହେରାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଁଚି ତାଙ୍କ ପାର୍ôଥବ ଶରୀରର ଶେଷଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ବଡମଙ୍ଗଳାସ୍ଥିତ ଶ୍ମସାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ଜ୍ୟେଷ୍ଠପୁତ୍ର ସ୍ୱାଧୀନ ମୁଖାଗ୍ନି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ