କାଳିଆର ଜନ୍ମମାଟି ମିଲୁପଡାରେ କାନ୍ଦବୋବାଳ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ) :ଶେଷରେ ଆଖିବୁଜିଛି ଯୋଡାମୁଣ୍ଡରୁ ପୃଥକ ହୋଇଥିବା କାଳିଆ । ଏହି ଖବର ପ୍ରଚାର ହେବା ପରେ ସମଗ୍ର କନ୍ଧମାଳରେ ଶୋକ ଖେଳି ଯାଇଛି। ଜନ୍ମମାଟି ମିଲୁପଡାରେ ପଡିଛି କାନ୍ଦବୋବାଳ।ଗତ ଦିନରେ ଦିଲୀ ଏମସରେ ଡ଼ାକ୍ତରମାନେ ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆର ଅପରେସନ କରି ସାରା ବିଶ୍ୱକୁ ଚମକାଇ ଦେଇଥିଲେ । ଚିକିତ୍ସା ବିଜ୍ଞାନର ମହନୀୟତା ପ୍ରତପାଦିତ ହୋଇଥିଲା । କନ୍ଧମାଳ ଜିଲା ପିରିଙ୍ଗିଆ ବ୍ଳକର ମିଲୁପଡ଼ା ଗ୍ରାମର ବାପା ଭୂୟାଁ କହଁର ଓ ମା’ ପୁଷ୍ପାଞ୍ଜଳୀ କହଁରଙ୍କର ଏହି ବିଚିତ୍ର ଶିଶୁକୁ ଜନ୍ମ ଦେଇଥିଲେ ୨୦୧୫ ମସିହାରେ । ବୟସ ବଢିବା ସହିତ ଦୁଇ ଶିଶୁଙ୍କର ମଧ୍ୟ ବଢିଥିଲା ଯନ୍ତ୍ରଣା । ଜଗା-କାଳିଆ ନାମରେ ଏମାନେ ଥିଲେ ପରିଚିତ । ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାର ବଢାଇଥିଲେ ସହଯୋଗର ହା ତ। ଆରମ୍ଭ୍ ହୋଇଥିଲା ଦୁଇ ଶିଶୁଙ୍କ ମୁଣ୍ଡ ପୃଥକ କରିିବାର ପ୍ରୟାସ । ଚିକିତ୍ସା ପାଇଁ ରାଜ୍ୟ ସରକାର ଦେଇଥିଲେ ଏକ କୋଟି ଟଙ୍କା। ସ୍ୱାସ୍ଥ୍ୟ ପରୀକ୍ଷା ପରେ ଡ଼ାକ୍ତର ଅଶୋକ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧନରେ ହୋଇଥିଲା ଅପରେସନ। ଅପରେସନରେ ୧୮ଜଣ ବିଶେଷଜ୍ଞ ଡ଼ାକ୍ତର । ଏପରିକି ବିଦେଶରୁ ମଧ୍ୟ କିଛି ଡ଼ାକ୍ତର ସାମିଲ୍ ହୋଇଥିଲେ । ୨୦୧୭ ଅଗଷ୍ଟ ୨୮ ତାରିଖରେ ଆରମ୍ଭ ହୋଇଥିଲା ଅପରେସନ। ଏହି ବିରଳ ଅପରେସନକୁ ଦେଖିଥିଲା ସମଗ୍ର ବିଶ୍ୱ। ଅପରେସନ ସମୟରେ ଜଗା-କାଳିଆଙ୍କ ଆଶୁ ଅରୋଗ୍ୟ କାମନା କରି ସମଗ୍ର ଦେଶ, ରାଜ୍ୟ ଓ କନ୍ଧମାଳ ଜିଲାରେ ଲୋକେ କରିଥିଲେ ପ୍ରାର୍ଥନା। ସେହି ସମୟରେ ମିଲୁପଡ଼ାରେ ଜଳିଥିଲା ଅଖଣ୍ଡ ଦୀପ । ଜଗା ଅପେକ୍ଷା କାଳିଆ ସେତେ ସୁସ୍ଥ ନଥିଲେ ମଧ୍ୟ ଧିରେ ଧିରେ କାଳିଆ ମଧ୍ୟ ସୁସ୍ଥ ହେବ ବୋଲି ଆଶା ରହିଥିଲା । ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇ ବାପା-ମା’ ଜଗା କାଳିଆଙ୍କୁ ଧରି ଆସିଥିଲେ କଟକ ଏସ୍ସିବି। ଏମାନଙ୍କ ସହିତ ଆସିଥିଲେ ଡ଼ାକ୍ତର ଦୀପକ ଗୁପ୍ତାଙ୍କ ନେତୃତ୍ୱରେ ଏକ ଡ଼ାକ୍ତରୀ ଦଳ । ସେମାନେ ଏସ୍.ସି.ବିରେ ଡ଼ାକ୍ତରଙ୍କ ସହିତ ଦୁଇ ଶିଶୁଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ତତ୍ତ୍ବାବଧାନରେ ଜଗା-କାଳିଆ ଏସ୍.ସି.ବିରେ ଚିକିତ୍ସିତ ହେଉଥିଲେ। ନିଆଯାଉଥିଲା ଉପଯୁକ୍ତ ଯତ୍ନ । କିନ୍ତୁ କାଳିଆର ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଥିଲା । ଶେଷରେ ଭାଇ ଜଗାକୁ ଛାଡ଼ି କାଳିଆ ସବୁଦିନ ପାଇଁ ଆଖି ବୁଜିଦେଇଛି। ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର କନ୍ଧମାଳ ଜିଲାରେ ଶୋକର ଛାୟା ଖେଳିଯାଇଛି। କାଳିଆର ଜନ୍ମମାଟି ମିଲୁପଡ଼ାରେ କାନ୍ଦବୋବାଳ ପଡିଛି। ଜଗା-କାଳିଆ ଗ୍ରାମକୁ ଫେରିବେ ଓ ସେମାନେ ସ୍ୱାଗତ କରିବେ ବୋଲି ମିଲୁପଡା ଗ୍ରାମବାସୀ କରିଥିବା ଆଶା ଆଶାରେ ହିଁ ରହିଗଲା ।