ପୁଅର ଚିକିତ୍ସା ପାଇଁ ବିଧମା ମାଆର ନିବେଦନ; ମାରାତ୍ମକ ନେପିଟିସ ରୋଗରେ ଆକ୍ରାନ୍ତ ୮ବର୍ଷର ପୁଅ ବାପୁନା
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଜନ୍ମରୁ ସବୁ ଠିକଠାକ ଥିବାବେଳେ ହସିଖେଳି ମାଆ ବାପାଙ୍କର ଗେହ୍ଲାପୁଅ ପାଲଟିଥିଲା ବାପୁନା । ବୟସ ବଢିବା ସହିତ ସତେଯେମିତି ଦୁଃଖର କଳାବାଦଲ ମାଡି ଆସିଥିଲା ପରିବାର ଉପରେ । ଛୋଟ ବୟସରେ ଏଭଳି ଦାରୁଣ ଦୁଃଖ ଯେ ବାପା, ମାଆଙ୍କ ଜୀବନରେ ଆସିବ ତାହା କେହି କଳ୍ପନା କରିନଥିଲେ । ସୂଚନା ଅନୁସାରେ ବାଲିପୋଖରୀ ପଞ୍ଚାୟତ ମାନ୍ତପୁର ଗ୍ରାମର ସ୍ୱର୍ଗତ ଟୁକୁନା ଚନ୍ଦଙ୍କ ୮ବର୍ଷର ପୁଅ ନିରଞ୍ଜନ (ବାପୁନା) ମାରାତ୍ମକ ନେପିଟିସ ରୋଗରେ ପୀଡିତ । ବାପୁନାକୁ ୨ବର୍ଷ ହୋଇଥିବାବେଳେ ଏହି ମାରାତ୍ମକ ରୋଗ ତାକୁ ମାଡି ଆସିଥିଲା । ମାରାତ୍ମକ ରୋଗ ଯୋଗୁ ମାସରେ ଥରେ ଦୁଇଥର ମେଡିକାଲକୁ ଚିକିତ୍ସା ହେବା ପାଇଁ ଯାଇଥାଏ । ତାକୁ ୪ବର୍ଷ ହୋଇଥିବାବେଳେ ବାପା ଟୁକୁନା ଆରପାରିକୁ ଚାଲିଗଲେ । ବିଧବା ମାଆ ରଶ୍ମିତା ଉପରେ ଦୀର୍ଘ ଚାରିବର୍ଷ ହେବ ପୁଅର ଚିକିତ୍ସା ଦାୟିତ୍ୱ ରହିଛି । ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଯିବା ପରେ ରଶ୍ମିତା ଭତ୍ତା ଖଣ୍ଡିଏ ପାଉଥିବାବେଳେ ସ୍ୱଳ୍ପ ଚାଷଜମିରୁ କିଛି ଧାନ ମଧ୍ୟ ପାଇଥାଆନ୍ତି । ଏତିକିରେ ମାଆ ପୁଅ ଦୁହେଁ କଷ୍ଟେମଷ୍ଟେ ଚଳୁଥିବାବେଳେ ପ୍ରତ୍ୟକ ମାସରେ ପୁଅର ଚିକିତ୍ସା ପାଇଁ ଅନେକ କିଛି କଷ୍ଟ ହୋଇଥାଏ । ଡାକ୍ତରଙ୍କ କହିବା ଅନୁଯାୟୀ ନେପିଟିସ ଯୋଗୁ ଛାତିରେ ମାଂସ ବୃଦ୍ଧି ହେଉଥିବାବେଳେ ଏଥିପାଇଁ ଅଧିକ ଚିକିତ୍ସା ଓ ଅପରେସନର ଆବଶ୍ୟକତା ରହିଛି । ପୁଅର ରୋଗ ବାହାରିଲେ ମୁହଁ ଠାରୁ ଗୋଡ ଯାଏଁ ଫୁଲିଯାଉଥିବାବେଳେ ଅବସ୍ଥା ସଙ୍କଟାପର୍ଣ୍ଣ ହୋଇଯାଉଥିବା ମାଆ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି । ଏପରିସ୍ଥଳେ ରଶ୍ମିତା ପୁଅର ଚିକିତ୍ସା ପାଇଁ କିଛି ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ଲୋଡିଥାଆନ୍ତି । କିନ୍ତୁ ତାହା ସମୁଦ୍ରକୁ ଶଙ୍ଖେଭଳି ହୋଇଥାଏ । ପୁଅ ମୁହଁକୁ ଚାହିଁ ସ୍ୱାମୀକୁ ହରାଇବାର ଦୁଃଖ ରଶ୍ମିତା ଭୁଲିଥିବାବେଳେ ବାପୁନାର ରୋଗ କଥା ଚିନ୍ତାକଲେ ସେ ଚିନ୍ତିତ ହୋଇପଡନ୍ତି । ସେ ଯାହାବି ହେଉ ବାପୁନାର ଉଚ୍ଚ ଚିକିତ୍ସା ପାଇଁ ସରକାରୀ ସହାୟତା ଯେ ଜରୁରୀ ଏଥିରେ ସନ୍ଦେହ ନାହିଁ । ଏପରିସ୍ଥଳେ ପ୍ରଶାନ୍ତି ମେଡିକାଲ ସହିତ ରାଜ୍ୟ ସରକାର ଗରୀବ ଶିଶୁଙ୍କ ହୃଦ ଚିକିତ୍ସା ପାଇଁ ଯେଉଁ ଚୁକ୍ତି କରିଛନ୍ତି ସେହି ଆଧାରରେ ବାପୁନାକୁ ସାହାଯ୍ୟ ମିଳିପାରିଲେ ସେ ଏଭଳି ମାରାତ୍ମକ ରୋଗରୁ ମୁକ୍ତି ପାଇପାରନ୍ତା ବୋଲି ମାଆ ରଶ୍ମିତା ଆଶାପ୍ରକଟ କରିଛନ୍ତି ।


