କରୋନା ପାଇଁ ପର୍ଯ୍ୟଟନ ରୁତୁରେବି ଖାଁ ଖାଁ ଗୁଣ୍ଡିଚାଘାଗୀ ଜଳପ୍ରପାତ ଦେଖିବାକୁ ମିଳୁନି ପର୍ଯ୍ୟଟକ ଭିଡ
ଘଟଗାଁ,(ୱାଇଏନ୍ଏସ୍): କେନ୍ଦୁଝର ଜିଲ୍ଲା ପ୍ରମୁଖ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଘଟଗାଁ ବଣଚକୁଳିଆ ଗ୍ରାମ ନିକଟରେ ଥିବା ଗୁଣ୍ଡିଚାଘାଗୀ ଜଳପ୍ରପାତ । ମା ତାରିଣୀ ମନ୍ଦିର ଠାରୁ ମାତ୍ର ୧୨କିମି ଦୂରରେ ଥିବା ଏହି ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଜଲପ୍ରପାତର ମନୋରମ ଦୃଶ୍ୟକୁ ଉପଭୋଗ କରିବା ପାଇଁ ବର୍ଷସାରା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରି ଆସୁଥିବା ବେଳେ ପର୍ଯ୍ୟଟନ ରୁତୁରେ ଏଠାରେ ପ୍ରବଳ ଭିଡ ହୋଇଥାଏ । ମାତ୍ର ଚଳିତ ବର୍ଷ ସାରା ବିଶ୍ୱର ପର୍ଯ୍ୟଟନ ସ୍ଥଳି କରୋନା କାରଣରୁ ସିଥିଳ ହୋଇପଡିଥିବା ବେଳେ ଏହି ଜଳପ୍ରପାତ ସତେ ଯେମିତି ନିଜେ କରୋନାରେ ଆକ୍ରାନ୍ତ ହୋଇପଡିଛି । ବଣପାହାଡ ଦେଇ ଅଙ୍କାବଙ୍କା ପଥର ସଜ୍ୟାରେ ବହି ଆସୁଥିବା ମୂଷଳ ନଦୀ ଏହି ଠାରେ ଖସି ପ୍ରାୟ ୫୦ଫୁଟ ତଳକୁ ଖସି ଶୃଷ୍ଟି କରିଛି ପ୍ରକୃତିର ମନୋରମ ଦୃଶ୍ୟ । ଗୁଣ୍ଡୁଚି ମୂଷାର ପିଠି ସଦୃଶ୍ୟ ପଥର ସର୍ଯ୍ୟାରୁ ୩ ଧାରରେ ଶୁଭ୍ର ରଙ୍ଗର ଜଳ ଖସୁଥିବା କାରଣରୁ ଏହି ଜଳ ପ୍ରପାତକୁ ଗୁଣ୍ଡିଚାଘାଗୀ ଜଳ ପ୍ରପାତ ନାମରେ ନାମିତ କରାଯାଇଛି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୁର୍ଣ୍ଣ ଏହି ଜଳ ପ୍ରପାତଟିକୁ ଯେ କେହିବି ଦେଖିବ କ୍ଷଣିପ ପାଇଁ ସ୍ତବ୍ଧ ହୋଇଯିବ । ସବୁଜ ବନାନୀ ମଧ୍ୟରେ ଜଳ ପ୍ରପାତ ନିକଟରେ ପ୍ରକୃତିର ଅପୁର୍ବ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ବଣ ଭୋଜିର ମଜା ନେବା ପାଇଁ ଏଠାରେ ପର୍ଯ୍ୟଟକଙ୍କ ଭିଡ ଲାଗିରହେ । ଏହି ପର୍ଯ୍ୟଟନ ସ୍ଥଳିର ବିକାଶ ପାଇଁ ୨୦୦୪ ମସିହାରେ ଏଠାକୁ ପ୍ରଥମେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷ୍ୟରୁ ଏକ ପକ୍କା ରାସ୍ତାର ନିର୍ମାଣ କରାଯାଇଥିଲା । ଏହା ପର ଠାରୁ ଜଳପ୍ରପାତ ନିକଟକୁ ପାହାଚ ,ସୁରକ୍ଷା ବାଡ,ବଣ ଭୋଜି ପାଇଁ ପିଣ୍ଡି,ପାନୀୟ ଜଳ ବ୍ୟବସ୍ଥା ଆଦି ପର୍ଯ୍ୟଟକଙ୍କୁ ସୁବିଧା ଯୋଗାଇବା ପାଇଁ ବେସ ସହାୟକ ହୋଇଛି । ଏଥି ସହ ଏହି ଜଳ ପ୍ରପାତ ରାଜ୍ୟ ପର୍ଯ୍ୟଟନ ମାନ ଚିତ୍ରରେ ସ୍ଥାନ ପାଇବା ପରେ ଏଠାରେ ନୂତନ କରି ନିର୍ମାଣ ହୋଇଥିବା ୱାଚ ଟାୱାର ଓ ବେଲି ବ୍ରିଜ ଉପରୁ ଜଳ ପ୍ରପାତର ସୌନ୍ଦର୍ଯ୍ୟ ଉପଭୋଗ କରିବାର ମଜା ନିଆରା । ବର୍ଷ ତମାମ ମା ତାରିଣୀ ମନ୍ଦିର କୁ ଆସୁଥିବା ଭକ୍ତ ଓ ବଣ ଭୋଜି ପାଇଁ ଏଠାରେ ପର୍ଯ୍ୟଟକଙ୍କ ଭିଡ ଲାଗିଥାଏ । କିନ୍ତୁ ଚଳିତ ବର୍ଷ କରୋନା ମହାମାରି କାରଣରୁ ଏଠାରେ ପର୍ଯ୍ୟଟକଙ୍କ ଭିଡ ଆଉ ଦେଖିବାକୁ ମିଳୁନାହିଁ । ପର୍ଯ୍ୟଟକଙ୍କ ଭିଡ ଏଠିକାର ଆଦିବାସି ମାନଙ୍କୁ ରୋଜାଗାର ମଧ୍ୟ ଯୋଗାଇ ଆସୁଥିଲା ।ବିଭିନ୍ନ ଦୋକାନ ଖୋଲି ପଇସା ରୋଜଗାର କରୁଥିବା ଆଦିବାସୀ ଏବେ ବେରୋଜଗାର । କରୋନା ମହାମାରୀ ଏହି ପର୍ଯ୍ୟଟନ ସ୍ଥଳିକୁ ପ୍ରଭାବିତ କରିଥିବା ବେଳେ କେବେ କରୋନା ମହାମାରି ଦୂର ହେବ ଓ ପ୍ରକୃତି କୋଳରେ ପର୍ଯ୍ୟଟକଙ୍କ ସମାଗମ ହେବ ତାକୁ ହିଁ ଅପେକ୍ଷା ।


