ଭାରତ ବନ୍ଦରେ ଏଆଇସିସିଟିୟୁ ଓ ସିପିଆଇ (ଏମ୍ଏଲ୍)ଲିବରେସନ ପକ୍ଷରୁ ବିଭିନ୍ନ ସ୍ଥାନରେ ପିକେଟିଂ
ଭୁବନେଶ୍ୱର,(ୱାଇଏନ୍ଏସ୍): କୃଷି ଓ କୃଷକ ସର୍ବନାଶକାରୀ ତିନୋଟି କୃଷି ଆଇନ୍-୨୦୨୦ ଓ ବିଦ୍ୟୁତ୍ ବିଲ୍-୨୦୨୦ ପ୍ରତ୍ୟାହାର ଦାବୀରେ ବିଭିନ୍ନ କୃଷକ ସଂଗଠନ ଓ ଗଣ ସଂଗଠନ ଗୁଡ଼ିକ ତରଫରୁ ଡ଼ାକରା ଦିଆଯାଇଥିବା ଡ଼ିସେମ୍ବର ୮ ତାରିଖ ଦିନ ଭାରତ ବନ୍ଦକୁ ସମର୍ଥନ ଜଣାଇ ଏଆଇସିସିଟିୟୁ ପକ୍ଷରୁ କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକମାରଣ ନୀତି ବିରୁଦ୍ଧରେ ରାଜଧାନୀର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଓ ପିକେଟିଂ କରାଯାଇଛି । ସ୍ଥାନୀୟ ରେଳଷ୍ଟେସନ, ଶ୍ରମ କମିଶନର ଅଫିସ୍, ଆଇସିଆଇସିଆଇ ବ୍ୟାଙ୍କ, ଏଚ୍ଡ଼ିଏଫ୍ସି ବ୍ୟାଙ୍କ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି କାର୍ଯ୍ୟାଳୟକୁ ବନ୍ଦ କରାଯାଇଥିବା ବେଳେ ମାଷ୍ଟର କ୍ୟାଣ୍ଟିନ, ରାଜମହଲ, ରାମ ମନ୍ଦିର ଓ ରିଜର୍ଭ ବ୍ୟାଙ୍କ ଆଗରେ ବିକ୍ଷୋଭ କରାଯାଇଥିଲା । କୃଷକ ବିରୋଧୀ, ଖାଉଟି ବିରୋଧୀ ଓ ଜନବିରୋଧୀ କୃଷି ଆଇନ୍ ଓ ବିଦ୍ୟୁତ୍ ବିଲ୍-୨୦୨୦ ପ୍ରତ୍ୟାହାର ପାଇଁ ଚାଲିଥିବା ଗଣତାନ୍ତ୍ରିକ ଆନ୍ଦୋଳନକୁ ଦମନ କରି ଭଣ୍ଡୁର କରିବା ପାଇଁ କେନ୍ଦ୍ରର ଏନ୍ଡ଼ିଏ ସରକାରଙ୍କ ହୀନ ଚକ୍ରାନ୍ତକୁ ଦୃଢ ଭାବେ ବିକ୍ଷୋଭରେ ନିନ୍ଦା କରାଯାଇଛି । ଦେଶର ସମ୍ବିଧାନ, ଗଣତନ୍ତ୍ର ଓ କୃଷିକୁ ରକ୍ଷା କରିବା ସହିତ କର୍ପୋରେଟ ସଂସ୍ଥାମାନଙ୍କ ଚାଟୁକାରିତା ବନ୍ଦ କରିବା ତଥା ତିନୋଟି କୃଷି ଆଇନ୍ରେ ବ୍ୟବସ୍ଥା ଥିବା ମଣ୍ଡି ଉଚ୍ଛେଦ, ଏମ୍ଏସ୍ପିକୁ ବନ୍ଦ କରିବା ଉଦ୍ୟମକୁ ପ୍ରତ୍ୟାହାର କରିବା ପାଇଁ ଅଖିଳ ଭାରତ ଜନମଞ୍ଚ ଓ ବିଭିନ୍ନ ଗଣସଂଗଠନ ତରଫରୁ ଦାବୀ କରାଯାଇଛି । ଏହ ବିକ୍ଷୋଭରେ ଅଖିଳ ଭାରତ ଜନମଞ୍ଚର ରାଧାକାନ୍ତ ସେଠୀ, ଏଆଇସିସିଟିୟୁର ରାଜ୍ୟ ସାଧାରଣ ସମ୍ପାଦକ ମହେନ୍ଦ୍ର ପରିଡ଼ା, ସିପିଆଇ (ଏମ୍ଏଲ) ଲିବରେସନର ଯୁଧିଷ୍ଠିର ମହାପାତ୍ର ପ୍ରମୁଖ ସାମିଲ୍ ହୋଇ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ ମାରଣ ନୀତି ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ତୁରନ୍ତ କୃଷି ଓ କୃଷକ ବିରୋଧୀ ତିନୋଟି କୃଷି ବିଲ୍କୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ ।