ଆରଏମସି ଘୋଟାଲାର ତଦନ୍ତ ଦାବୀକଲା ଜିଲ୍ଲା କଂଗ୍ରେସ ପଛୁଆବର୍ଗ ସେଲ
କେନ୍ଦ୍ରାପଡ଼ା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ଓବିସି ସେଲ ପକ୍ଷରୁ ନିୟନ୍ତ୍ରିତ ବଜାର କମିଟି(ଆର. ଏମ. ସି.) ଦ୍ୱାରା ପରିବା ହାଟ, ଧାନ ଓଜନ ଯନ୍ତ୍ର, ଧାନର ମାନ ନିର୍ଣ୍ଣୟ ଯନ୍ତ୍ର ଓ ପାଲ ଯୋଗାଣରେ ବ୍ୟାପକ ଘୋଟାଲା ହୋଇଥିବା ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରାଯାଇ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ରାଜ୍ୟ ଓବିସି ସେଲର ଉପାଧ୍ୟକ୍ଷ ଫକୀର ଚରଣ ଖଟୁଆ ଓ ଜିଲା ଓବିସି ସେଲର ସଭାପତି ତଥା ଆଇନଜୀବୀ ବିଧୁ ଭୂଷଣ ମହାପାତ୍ର ଏସମ୍ପର୍କରେ ଏକ ଦାବିପତ୍ର ଅତିରିକ୍ତ ଜିଲାପାଳ ବସନ୍ତ ରାଉତଙ୍କୁ ପ୍ରଦାନ କରିଛନ୍ତି । ଜିଲାରେ ଲୁଣା, କରାଣ୍ଡିଆ, ଚିତୋତ୍ପଳା, ପାଇକା, ମହାନଦୀ, ଗୋବରୀ, ବ୍ରାହ୍ମଣୀ ଓ ବିରୂପା ପ୍ରଭୃତି ନଦୀପଠାରେ ଚାଷୀମାନେ ଚାଷକରି ଫସଲ ବିକ୍ରି କରି ନପାରି ବହୁ ପରିମାଣରେ କ୍ଷତି ସହୁଥିବା ବେଳେ ଅସଲୀ ପରିବାଚାଷୀ ଅଭାବୀ ପରିବା ବିକ୍ରି କରି ଷଢୁଥିବା ବେଳେ ନକଲି ପରିବା ଚାଷୀ ଓ ବ୍ୟବସାୟୀମାନେ ମାଲାମାଲ ହେଉଛନ୍ତି । ଆର. ଏମ. ସି. ରଙ୍ଗଦେବା କାର୍ଯ୍ୟରେ ମହାଦୁର୍ନିତୀ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି । ଧାନର ମାନ ନିର୍ଣ୍ଣୟ ଯନ୍ତ୍ରକୁ ପି.ଏ.ସି.ଏସ.(ପ୍ୟାକ୍ସ)ମାନଙ୍କରେ ବ୍ୟବହାର କରା ନଯାଇ ଧାନ କ୍ୱିଣ୍ଟାଲରେ ୫ ରୁ ୭ କେଜି ପର୍ଯ୍ୟନ୍ତ କାଟ୍ କରାଯାଉ ଥିବାରୁ ଚାଷୀମାନଙ୍କର ପ୍ରଭୁତ କ୍ଷତି ହେଉଛି । ପ୍ରତିବର୍ଷ ଧାନ ଓଜନ ଯନ୍ତ୍ରକୁ ସଠିକ ଭାବରେ ତନଖି କରାଯାଉ ନଥିବାରୁ ପ୍ରତିବସ୍ତାରେ ଚାଷୀ ୨କିଲୋ ପର୍ଯ୍ୟନ୍ତ କ୍ଷତି ସହୁଛି । ଚାଷୀଙ୍କୁ ନିମ୍ନମାନର ଓ ଛୋଟ ପାଲ ଯୋଗା ଯାଉଥିବାରୁ ଚାଷୀମାନଙ୍କ ଧାନ ଖରାବର୍ଷାରେ ନଷ୍ଟ ହେଉଛି । ଯୋଗାଣ, ସମବାୟ, ଆର ଏମ ସି ଓ ରାଜସ୍ୱ ବିଭାଗର ମିଳିତ ସହଯୋଗରେ ଏକ ଟାକ୍ସ ଫୋର୍ସ ଗଠନ କରାଯାଇ ଏହି ଅଭିଯୋଗ ଗୁଡିକର ତଦନ୍ତ କରାଗଲେ ଚାଷୀମାନଙ୍କ ସମସ୍ୟାର ସମାଧାନ କରାଯିବାକୁ ଦାବୀ କରାଯାଇଛି ।