ବତକ ଥୋଡ଼ି ଆକୃତିର ଡାଇନୋସର
ପ୍ରାୟ ୮ କୋଟି ବର୍ଷ ପୂର୍ବେ ବତକ ଥୋଡ଼ି ଆକୃତିର ମୁଣ୍ଡବିଶିଷ୍ଟ ଡାଇନୋସର ପୃଥିବୀରେ ବିଚରଣ କରୁଥିଲେ ବୋଲି ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି । ସିଷ୍ଟମେଟିକ୍ ପାଲିଓଣ୍ଟୋଲୋଜି ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନରେ ଆମେରିକାର ବିଗ୍ ବେଣ୍ଡ୍ନ୍ୟାସ୍ନାଲ ପାର୍କରୁ ଠାବ କରାଯାଇଥିବା ବତକ ଥୋଡ଼ି ଆକୃତି ବିଶିଷ୍ଟ ଡାଇନୋସରର ଖପୁରି ଉପରେ ଗବେଷକମାନେ ଆଲୋଚନା କରିଥିଲେ । ଏହାର ନାମ ଦେଇଥିଲେ ଆକ୍ୱିଲାରହିନ୍ସ ପାଲିମେଣ୍ଟସ୍ । ଗରୁଡ଼ ପକ୍ଷୀ ଭଳି ନାକ ଓ ଚଉଡ଼ା ଥୋମଣି ପାଇଁ ତା’ର ଏପରି ନାମକରଣ ହୋଇଛି । ଦୁଇ ପାଶ୍ୱର୍ର ଆକାର ଦୁଇଟି ଧାରୁଆ ଛୁରି ଭଳି ହୋଇଛି । ୮୦ ଦଶକରେ ଆମେରିକାର ଟେକ୍ ୟୁନିଭର୍ସିଟିର ପ୍ରଫେସର ଟମ୍ ଲେହମ୍ୟାନ୍ ଏହି ଡାଇନୋସର୍ କିଛି ନଷ୍ଟ ହୋଇଯାଇଥିବା ହାଡ଼ ଆବିଷ୍କାର କରିଥିଲେ । ଏହି ବତକ ଥୋଡ଼ି ଡାଇନୋସର୍ ମେସୋଜୋଇକ୍ ଯୁଗ ଶେଷ ବେଳର ଅତି ପରିଚିତ ତୃଣଭୋଜି ଜୀବ ଥିଲା ବୋଲି ସେ ମତ ପ୍ରକାଶ କରିଛନ୍ତି ।


