ଜିବନ ଜିବୀକା ସୁରକ୍ଷା ମଞ୍ଚର ନେତା ଗୁରୁଦେବ ବେହେରା ଗିରଫ
ଛତ୍ରପୁର,(ଦେବଦତ୍ତ ମହାରଣା) : ଭାରତୀୟ ବିରଳ ମତ୍ତିକା ସଂସ୍ଥା (ଆଇଆର୍ଇ) ପକ୍ଷରୁ ଚାଲିଥିବା ସ୍ୱେରେଜ୍ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଅଭିଯୋଗରେ ତିଅରବସା ଗ୍ରାମର ବାମପନ୍ଥୀ ନେତା ତଥା ଜୀବନ ଜିବିକା ସୁରକ୍ଷା ମଞ୍ଚ ଆବାହକ ଗୁରୁଦେବ ବେହେରାଙ୍କୁ ଚମାଖଣ୍ଡି ପୁଲିସ ବୁଧବାର ଗିରଫ କରିଛି । ଏହାପୂର୍ବରୁ ଅକ୍ଟୋବର ୩୦ ତାରିଖରେ ମାଟିଖାଲ ଗ୍ରାମର ୭ ଜଣଙ୍କ ସମେତ ୧୬ଜଣ ଦଳିତ ଗ୍ରାମବାସୀଙ୍କୁ ମଧ୍ୟ ଚମାଖଣ୍ଡି ପୁଲିସ ଗରିଫ କରି କୋର୍ଟ ଚାଲଣ କରିଥିଲା । ଛତ୍ରପୁର ତହସିଲ ଅଧୀନ ଶ୍ରୀରାମଚନ୍ଦ୍ରପୁର ମୌଜାର କିଛି ଦଳିତ ଲୋକଙ୍କ ଜମିକୁ ଆଇଆର୍ଇ ଜବରଦଖଲ କରିଥିବା ନେଇ ଗ୍ରାମବାସୀ ବହୁ ଦିନ ହେଲା ଅଭିଯୋଗ କରି ଆସୁଛନ୍ତି । ପୁରୁଷାନୁକ୍ରମେ ଚାଷ କରି ପରିବାର ପ୍ରତିପୋଷଣ କରୁଥିବା ଉକ୍ତ ଜମିକୁ ଆଇଆର୍ଇ ଜବରଦଖଲ କରି ମାଟି ଖୋଳି ନଷ୍ଟ କରି ଦେଇଥିବା ଦଳିତ ପରିବାରମାନେ ଅଭିଯୋଗ କରୁଛନ୍ତି । ଏହାକୁ କେନ୍ଦ୍ର କରି ଗ୍ରାମବାୀମାନେ ସ୍ୱେରେଜ୍ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ନିର୍ମାଣ ସ୍ଥଳରେ ଗତ ୨୯ ତାରିଖରେ ଆନ୍ଦୋଳନ ଚଳାଇଥିଲେ । ଏ ସଂକ୍ରାନ୍ତରେ ଆଇଆରଇ କର୍ତ୍ତୃପକ୍ଷ ଚମାଖଣ୍ଡି ଥାନାରେ ଅଭିଯୋଗ କରିଥିଲେ । ଏହାକୁ ଭିତ୍ତି କରି ପୁଲିସ ଗ୍ରାମବାସୀଙ୍କୁ ଆନ୍ଦୋଳନ ସ୍ଥଳରୁ ଉଠାଇ ଆଣିଥିଲା । ଉକ୍ତ ଦିନରେ ପୁଲିସ ହାତରୁ ଗୁରୁଦେବ ବେହେରା ଖସି ପଳାଇଥିଲେ । ଚମାଖଣ୍ଡି ଥାନା କେସ୍ ନମ୍ବର ୧୪୫ ଅନୁଯାୟୀ ଆଜି ଗୁରୁଦେବ ବେହେରାଙ୍କୁ ଗିରଫ କରାଯାଇଛି ବୋଲି ଥାନା ଅଧିକାରୀ ସିତାଂଶୁ ଶେଖର ମାନ୍ଧତା କହିଛନ୍ତି ।ଅନ୍ୟପକ୍ଷରେ ଗୁରୁଦେବ ବେହେରାଙ୍କ ଗରିଫ ନେଇ ମାଟିଖାଲ ଗ୍ରାମବାସୀ, ମାନବ ଅଧିକାର ସୁରକ୍ଷା ମଞ୍ଚର ଅବନୀ ଗୟା, ସିପିଆଇ(ଏମ୍ଏଲ୍ )ଜିଲ୍ଲା ସଂପାଦକ ଶଙ୍କର ସାହୁ ପ୍ରମୁଖ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି । ତୁରନ୍ତ ଗୁରୁଦେବଙ୍କୁ ଛାଡିବା ସହ ମିଥ୍ୟା ମକଦ୍ଦମା ଗୁଡିକ ପ୍ରତ୍ୟାହାର କରିବା ଏବଂ ଦଳିତ ପରିବାରଙ୍କୁ ଉଚିତ ନ୍ୟାୟ ପ୍ରଦାନ ନିମନ୍ତେ ଧାରଣା ଦେଇଛନ୍ତି । ଘଟଣାସ୍ଥଳରେ ଅତିରିକ୍ତ ଏସପି , ଛତ୍ରପୁର ଏସଡିପିଓ , ଛତ୍ରପୁର ଥାନା ଅଧିକାରୀ ଓ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅଧିକାରୀ ଆନ୍ଦୋଳନକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ଖବର ଲେଖା ହେଲା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁରହିଥିଲ।। ।


