୪ କରୋନା ଯୋଦ୍ଧାଙ୍କ ପରିବାରକୁ ମିଳିଲା ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା:ମୃତ ଏଏନ୍‍ଏମ୍‍ ଙ୍କୁ କେହି ଆହାପଦେ କହିଲେ ନାହିଁ !

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟ ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ କନ୍ଧମାଳ ଜିଲାର ଚାରିଜଣ କରୋନା ଯୋଦ୍ଧାଙ୍କ ପରିବାରକୁ ପ୍ରଦାନ କରାଯାଇଛି ଆର୍ଥିକ ସହାୟତା। କନ୍ଧମାଳ ଜିଲାପାଳ ଡଃ ବୃନ୍ଦା ଡି ନିଜ କାର୍ଯ୍ୟାଳୟରେ ସରକାରଙ୍କ ତରଫରୁ ପ୍ରତ୍ୟେକଙ୍କୁ ୫୦ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି । ପ୍ରଶାସନ ତରଫରୁ କରୋନା ଲଢେଇରେ ସାମିଲ ହୋଇ ମୃତ୍ୟୁବରଣ କରଥିବା ଏହି ପୁଲିସ କର୍ମଚାରୀମାନେ ହେଲେ ଜି ଉଦୟଗିରିର ମହାଜନ ପ୍ରଧାନ, ଫୁଲବାଣୀର ସୁବାଷ ଚନ୍ଦ୍ର ସାହୁ ଓ ଉମେଶ କୁମାର ନାୟକ ଏବଂ ବାଲିଗୁଡାର ବାଳୀ କହଁର । ମହାଜନ ଟିକାବାଲି ଥାନା ଅନ୍ତର୍ଗତ ଲାଇନପଡା ଫାଣ୍ଡିରେ ଏଏସଆଇ ଭାବେ କାର୍ଯ୍ୟରତ ଥିବା ବେଳେ ସୁବାଷ ଟିକାବାଲି ଥାନାରେ ଏଏସଆଇ ଥିଲେ । ସେହିଭଳି ଉମେଶ ଓ ବାଳୀ ଦାରିଙ୍ଗବାଡି ଠାରେ କନେଷ୍ଟବଲ ଭାବେ କାର୍ଯ୍ୟରତ ଥିଲେ । ସରକାରୀ କର୍ମଚାରୀ ଭାବେ କରୋନା ସମୟରେ ନିଜ ଦାୟିତ୍ୱ ନିର୍ବାହ କରୁଥିବା ବେଳେ ଏମାନେ ମହାମାରିର ଶୀକାର ହୋଇଥିଲେ । ଚିକିତ୍ସା ସତ୍ୱେ ଏମାନେ ଜୀବନ ଯୁଦ୍ଧରେ ହାରି ଯାଇଥିଲେ । ଏଭଳି କରୋନା ଯୋଦ୍ଧାମାନଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ପାଇଁ ପୁର୍ବରୁ ସରକାର ଘୋଷଣା କରିଥିଲେ । ସେହି ଅନୁଯାୟୀ ଆଜି ଜିଲାପାଳ ତାଙ୍କ ପ୍ରକୋଷ୍ଠରେ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି। ମହାଜନଙ୍କ ତରଫରୁ ତାଙ୍କ ସ୍ତ୍ରୀ ଅନ୍ନଦା, ସୁବାଷଙ୍କ ପକ୍ଷରୁ ତାଙ୍କ ସ୍ତ୍ରୀ ବବିତା, ଉମେଶଙ୍କ ପକ୍ଷରୁ ତାଙ୍କ ସ୍ତ୍ରୀ କାମିନୀ ଓ ବାଳୀଙ୍କ ତରଫରୁ ତାଙ୍କ ସ୍ତ୍ରୀ ଗୀତାଞ୍ଜଳୀ ଏହି ଚେକ ଗ୍ରହଣ କରିଥିଲେ । ଚେକ ପ୍ରଦାନ ସମୟରେ କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ବିନିତ ଅଗ୍ରୱାଲ ଉପସ୍ଥିତ ଥିଲେ। ସରକାର ଏହି ସହାୟତା ପ୍ରଦାନ କରିଥିବାରୁ ପରିବାର ସରକାରଙ୍କ ପାଖରେ କୃତଜ୍ଞ ବୋଲି ପରିବାର ଲୋକେ ଏ ଅବସରରେ ପ୍ରକାଶ କରିଛନ୍ତି।ତେବେ ଗତ ଶନିବାର ଦିନ ଭୁବନେଶ୍ୱରଠାରେ ମୃତ୍ୟୁବରଣ କରିଥିବା ଚକାପାଦ ବ୍ଳକ ବ୍ରାହ୍ମଣପାଦ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚୁକ୍ତି  ଭିତ୍ତିକ ଏଏନଏମ ଗାୟତ୍ରୀଙ୍କ ପରିବାରକୁ କାହିଁକି ଏହି ସାହାଯ୍ୟ ମିଳିବ ନାହିଁ ବୋଲି ସାଧାରଣରେ ପ୍ରଶ୍ନ୍ନ ଉଠିଛି। ଗାୟତ୍ରୀ ସରକାରୀ କାର୍ଯ୍ୟରେ ଥିବା ବେଳେ ମହାମାରୀରେ ଆକ୍ରାନ୍ତ ହୋଇଥିଲେ। କରୋନାରୁ ସୁସ୍ଥ ହୋଇଥିଲେ ମଧ୍ୟ ପରେ ଫୁସଫୁସ ସଂକ୍ରମଣରେ ମୃତ୍ୟୁବରଣ କରିଥିଲେ। ତେଣୁ ଏହାକୁ କାହିଁକି କରୋନା ଜନିତ ମୃତ୍ୟୁ ବୋଲି ବିଚାର କରାଯାଇ ସରକାରି ସାହାଯ୍ୟ ଦିଆଯିବ ନାହିଁ ବୋଲି ଅନେକ ମତ ଦେଉଛନ୍ତି। ଏପରିକି ତାଙ୍କର ମୃତ୍ୟୁପରେ ସ୍ୱାସ୍ଥ୍ୟ ବିଭାଗର କୌଣସି ଜିଲାସ୍ତରୀୟ ଅଧିକାରୀମାନଙ୍କର ମଧ୍ୟ କୌଣସି ପ୍ରକାର ଉପସ୍ଥିତ ନ ରହିବା ମଧ୍ୟ ଅନେକ ନାପସନ୍ଦ କରିଛନ୍ତି। ପୂର୍ବରୁ ମଧ୍ୟ ଏଭଳି କରୋନାରୁ ସୁସ୍ଥ ହୋଇ ପରେପରେ ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବା ସରକାରୀ କର୍ମଚାରୀଙ୍କ ପରିବାରକୁ ଏହି ସହାୟତା ଦିଆଯାଇଥିବାର ନଜିର ରହିଛି  ବୋଲି ପରିବାର ପକ୍ଷରୁ କୁହାଯାଇଛି। ତେଣୁ ଗାୟତ୍ରୀଙ୍କ ପରିବାରକୁ ମଧ୍ୟ ଏହି ସାହାଯ୍ୟ ଯୋଗାଇ ଦିଆଯାଉ ବୋଲି ବିଭିନ୍ନ ମହଲରୁ ଦାବୀ ହେଉଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ