ସାମାଜିକ ମୋହ, ମାୟା ଛାଡ଼ି ଏବେ ସେ ସାଜିଛନ୍ତି ସନ୍ୟାସୀ
ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ): ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ଶ୍ରୀରାମନଗର ନିବାସୀ ଟି. ତୁମ୍ବନାଥ ସୁବୁଦ୍ଧି। ସାମାଜିକ ମୋହ, ମାୟା ଛାଡ଼ି ଏବେ ସେ ସାଜିଛନ୍ତି ସନ୍ୟାସୀ। ପୁରୀସ୍ଥିତ ଲଙ୍ଗୁଳି ମଠରେ ଦୀକ୍ଷା ଗ୍ରହଣ ପରେ ଏବେ ସେ ପାଲଟିଛନ୍ତି ବାବା ବୈଷ୍ଣବ ପୁରୀ। ପ୍ରାୟ ୬/୭ ବର୍ଷ ହେଲା ସେ ଘର ଛାଡ଼ି ପୁରୀରେ ଲଙ୍ଗୁଳି ମଠରେ ରହୁଛନ୍ତି। ଗତ ୨୩ତାରିଖରେ ପୁରୀ ଶ୍ରୀମନ୍ଦିର ଖୋଲିଥିଲା। ଏହି ସମୟରେ ବାବା ବୈଷ୍ଣବ ପୁରୀ ଜେଟିପିମାନଙ୍କୁ ଚକ୍ମା ଦେଇ ଶ୍ରୀମନ୍ଦିରକୁ ଧସେଇ ପଶି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ। ଯାହାକି ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ବ୍ରହ୍ମପୁରରେ ମଧ୍ୟ ଏହି ଘଟଣାକୁ ନେଇ ବହୁ ଚର୍ଚ୍ଚା ଶୁଣିବାକୁ ମିଳୁଛି। ତୁମ୍ବନାଥ (ବାବା ବୈଷ୍ଣବ ପୁରୀ) ବ୍ରହ୍ମପୁର ସହରର ଏକ ଚର୍ଚ୍ଚିତ ନାମ। କାରଣ ତୁମ୍ବନାଥ ବିଗତ ବର୍ଷରେ ବିଭିନ୍ନ ସମୟରେ ଆଇନ ହାତକୁ ନେଇ ଚର୍ଚ୍ଚାକୁ ଆସିଥିଲେ। ଏପରିକି ତାଙ୍କୁ ଜେଲ୍ ଯିବାକୁ ମଧ୍ୟ ପଡ଼ିଥିଲା। ଏବେ ପୁରୀ ଘଟଣା ପାଇଁ ପୁଣିଥରେ ତୁମ୍ବନାଥ ଚର୍ଚ୍ଚାକୁ ଆସିଛନ୍ତି ସିଟି ହାଇସ୍କୁଲରେ ସ୍କୁଲ ଶିକ୍ଷା ସମାପ୍ତ ପରେ ତୁମ୍ବନାଥ ବିନାୟକ ଆଚାର୍ଯ୍ୟ କଲେଜରେ ପାଠ ପଢ଼ିଥିଲେ। କଲେଜ ପାଠପଢ଼ା ସମୟରେ ସେ ଜଣେ ଜଣାଶୁଣା ଛାତ୍ର ନେତା ଭାବେ ପରିଚିତ ଥିଲେ। ୨୦୦୭-୦୮ରେ ସେ କଲେଜ ଶିକ୍ଷା ଅଧାରୁ ଛାଡ଼ିଥିଲେ। କଲେଜ ଶିକ୍ଷା ଛାଡ଼ିବା ପରେ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଗୋ ସୁରକ୍ଷା ପ୍ରତି ଆଗେଇ ଆସିଥିଲେ। କିଛି ବର୍ଷ ପରେ ସେ ଜାଣତରେ ହେଉ କି ଅଜାଣତରେ ହେଉ ଅପରାଧ ସହିତ ଜଡ଼ିତ ହୋଇ ଯାଇଥିଲେ। ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ଶ୍ରୀରାମନଗର ସାହି ଛକରେ ଗତ ୨୦୧୦ ଜୁଲାଇ ୨୨ତାରିଖରେ ଧୀର ସାମଲ ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୁଲିସ ତୁମ୍ବନାଥଙ୍କ ନାମ ଯୋଡ଼ିଥିଲା। କିନ୍ତୁ ପରେ ମାନ୍ୟବର ହାଇକୋର୍ଟ ଅଭିଯୁକ୍ତ ତାଲିକାରୁ ତୁମ୍ବନାଥଙ୍କ ନାମ ବାଦ୍ ଦେଇଥିଲେ। ପୁଣି କିଛି ମାସ ପରେ ଏକ ମାମଲାରେ ତୁମ୍ବନାଥ ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ବିଚାରାଧୀନ ବନ୍ଦୀ ଥିଲେ। ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ୨୦୧୦ ନଭେମ୍ବର ୩ତାରିଖରେ ସେ ଡାକ୍ତରଖାନାରୁ ଚମ୍ପଟ ମାରିଥିଲେ। ସେହିପରି ୨୦୧୧ ମେ ୨୪ ତାରିଖରେ ବାରଖମା ଫାଣ୍ତି ଅଧିକାରୀ ମମତା ପତିଙ୍କୁ ତୁମ୍ବନାଥ ହାଣି ଦେଇଥିଲେ। ଏଥିରେ ମମତା ଆହତ ହୋଇଥିଲେ। ପୁଲିସ ତୁମ୍ବନାଥଙ୍କୁ ଗିରଫ କରିଥିଲା। ପରେ ସେ ଜାମିନ୍ରେ ବାହାରିଥିଲେ। ବାଲିଗୁଡ଼ା ସେସନ୍ସ କୋର୍ଟରେ ବିଚାରଣା ଆରମ୍ଭ ହୋଇଥିଲା। କୋର୍ଟରେ ହାଜର ପାଇଁ ତୁମ୍ବନାଥଙ୍କୁ ବାରମ୍ବାର ସମନ୍ ଯାଇଥିଲା। ହେଲେ ସେ କୋର୍ଟରେ ହାଜର ହୋଇ ନଥିଲେ। ଫଳରେ କୋର୍ଟ ତାଙ୍କ ନାମରେ ଗିରଫ ପରଵାନା ଜାରି କରିଥିଲେ। ତୁମ୍ବନାଥଙ୍କୁ ଗିରଫ କରିବା ପାଇଁ ବ୍ରହ୍ମପୁର ଟାଉନ୍ ଥାନା ପୁଲିସକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତୁମ୍ବନାଥ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ରହୁଥିବା ନେଇ ସୂଚନା ମିଳିଥିଲା। ତୁମ୍ବନାଥ ରାଜଗାଙ୍ଗପୁରରେ ବାବା ତେଜେଶ୍ବରମୟୀଙ୍କ ନାମରେ ରହି ଗୋ ସୁରକ୍ଷା ପାଇଁ କାମ କରୁଥିଲେ। ବ୍ରହ୍ମପୁର ଟାଉନ୍ ଥାନା ପୁଲିସ ତାଙ୍କୁ ୨୦୧୫ ଜୁନ୍ ୮ତାରିଖରେ ଗିରଫ କରି ବ୍ରହ୍ମପୁର ଆଣିଥିଲା। ଏହାପରଠୁ ତୁମ୍ବନାଥ ଆଧ୍ୟାତ୍ମିକ ଚିନ୍ତାଧାରା ପ୍ରତି ଆକର୍ଷିତ ହୋଇଥିଲେ। ଅପରାଧ ଠାରୁ ନିଜକୁ ଦୂରେଇ ରଖି ସେ ଏବେ କିଛି ବର୍ଷ ହେଲା ପୁରୀରେ ରହି ଆସୁଛନ୍ତି। ଲଙ୍ଗୁଳି ମଠରେ ରହି ସେ ମହାପ୍ରଭୁଙ୍କ ଶରଣାପନ୍ନ ହୋଇଥିବା କହିଛନ୍ତି। ବର୍ତ୍ତମାନ ସେ ଲଙ୍ଗୁଳି ମଠରେ ଶିକ୍ଷା ଗ୍ରହଣ କରୁଛନ୍ତି। ଭବିଷ୍ୟତରେ ଜଣେ ଦକ୍ଷ ନାଗାସାଧୁ ହୋଇ ତପସ୍ବୀ ଉପାଧି ପାଇବା ପାଇଁ ସେ ଲକ୍ଷ୍ୟ ରଖିଥିବା କହିଛନ୍ତି।


