କେନ୍ଦ୍ରାପଡା ଉପକାରାଗାରରେ ଜଣେ ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାର ବାରିମୂଳସ୍ଥିତ ଉପକାରାଗାରରେ ଗତ ଶୁକ୍ରବାର ରାତିରେ ଜଣେ ବିଚାରଧୀନ କଏଦିଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଯାଇଥିବା ଅଭିଯୋଗ ହୋଇଛି । ଜେଲ ଅଧକ୍ଷଙ୍କ କହିବା ଅନୁଯାଇ ଶୁକ୍ରବାର ରାତି ପ୍ରାୟ ୧୦ଟା ସମୟରେ ଏହି ବିଚାରଧୀନ କଏଦି ଜଣକ ଗାଧୁଆଘରକୁ ଯିବା ସମୟରେ ହଠାତ ତଳେ ପଡିଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ସଜ୍ଞାହୀନ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ମୃତ ବିଚାରଧୀନ କଏଦି ଜଣକ ହେଉଛନ୍ତି ଡେରାବିଶି ଥାନା ଅନ୍ତର୍ଗତ ବାଲିଆ ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରା ବୋଲି ସୂଚନା ମିଳିଛି । ଗତ ୨୦୨୦ମସିହା ଡିସେମ୍ବରମାସ ୩୦ତାରିଖରେ ଏକ ଘରୋଇ ହିଂସାକାଣ୍ଡ ମାମଲାରେ ଡେରାବିଶି ଥାନା ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପୂର୍ଣ୍ଣଚନ୍ଦ୍ରଙ୍କ ପତ୍ନୀ ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । କେନ୍ଦ୍ରାପଡା ସଦର ଥାନା ପୋଲିସ ତାଙ୍କ ଶବକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଥାନାର ଭାରପ୍ରାପ୍ତ ଇନିସପେକ୍ଟର ପ୍ରମୋଦ କୁମାର ମଲ୍ଲିକ ସୂଚନା ଦେଇଛନ୍ତି । ପୂର୍ଣ୍ଣଚନ୍ଦ୍ରଙ୍କ ମୃତ୍ୟୁ ଏବେ ସନ୍ଦେହ ଘେରରେ ରହିଥିବା ଅଭିଯୋଗ ହୋଇଛି ।