ଶିଳ୍ପ ତାଲିମପ୍ରାପ୍ତଙ୍କୁ ନିଯୁକ୍ତି ପାଇଁ ପ୍ରସ୍ତୁତି ବୈଠକ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଦୀନ ଦୟାଲ ଉପାଧ୍ୟାୟ-ଗ୍ରାମୀଣ କୌଶଲ୍ୟ ଯୋଜନା ତଥା ଓଡ଼ିଶା ଜୀବିକା ମିଶନ ଆନୁକୂଲ୍ୟରେ ଶିଳ୍ପ ତାଲିମପ୍ରାପ୍ତ ଗ୍ରାମୀଣ ଯୁବକ ଯୁବତୀଙ୍କ ନିଯୁକ୍ତି ସକାଶେ ଶନିବାର ହିଞ୍ଜିଳିକାଟୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭା କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ହିଞ୍ଜିଳି ବ୍ଲକ ପ୍ରକଳ୍ପ ଅଧିକାରୀ ରବୀନ୍ଦ୍ର ନାଥ ପାତ୍ର ଓ ପ୍ରଗତି ସହାୟକ ରାମଚନ୍ଦ୍ର ରଥଙ୍କ ସଂଯୋଜନାରେ ଉକ୍ତ ବୈଠକ ଆୟୋଜିତ ହୋଇଥିଲା।ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବ୍ଲକ ଅଧ୍ୟକ୍ଷ ଏନ ରଘୁନାଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ବ୍ରହ୍ମପୁର ସ୍ଥିତ ଆଞ୍ଚଳିକ ନିଯୁକ୍ତି ଯୋଜନା ଅଧିକାରୀ ଆର ଏମ କିଲାନି ଓ ପୋଚିଲିମ୍ମା ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନର ଅଧ୍ୟକ୍ଷ ଅମୁଲ୍ୟ କୁମାର ପଣ୍ଡା ପ୍ରମୁଖ ନିମନ୍ତ୍ରିତ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ସ୍ଥାନୀୟ ବ୍ଲକର ବିଭିନ୍ନ ପଞ୍ଚାୟତରେ ନିଯୁକ୍ତି ଅନ୍ୱେଷଣ ରେ ଥିବା ଶିଳ୍ପ ତାଲିମ ପ୍ରାପ୍ତ ଯୁବକ ଯୁବତୀଙ୍କୁ ରାଜ୍ୟ ସରକାରଙ୍କ ଓରମାସ ପକ୍ଷରୁ ନିଯୁକ୍ତି ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି।ଏହି କ୍ରମରେ ୱେଲଡର,ଫିଟର, ମେକାନିକ ଓ ମୋବାଇଲ ଏସେମ୍ବଲି ଅପରେଟର ଆଦି ବିଭିନ୍ନ ବିଭାଗରେ ଦକ୍ଷତା ସମ୍ପନ୍ନ ଯୁବକ ଯୁବତୀ ମାନଙ୍କ ନିଯୁକ୍ତି ସକାଶେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି।ବିଶେଷତଃ ଶିଳ୍ପ ତାଲିମ ଅନୁଷ୍ଠାନରୁ ଉତ୍ତୀର୍ଣ୍ଣ ହୋଇଥିବା ୧୮-୨୭ ବୟସ୍କ ୧୫୦୦ ଜଣ ଯୁବକ ଯୁବତୀଙ୍କୁ ଉଦ୍ୟୋଗରେ ନିଯୁକ୍ତି ସୁଯୋଗ ସକାଶେ ବିଧିବଦ୍ଧ ଭାବେ ପ୍ରକ୍ରିୟା ଆରମ୍ଭ ହୋଇଛି।ଚଳିତମାସ ୧୧ ତାରିଖରେ ଚିନ୍ହିତ ଯୁବକ ଯୁବତୀ ମାନଙ୍କ ଏକ ସାକ୍ଷାତକାର କାର୍ଯ୍ୟକ୍ରମ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହେବା ନେଇ ଅତିଥି ବୃନ୍ଦ ସୂଚନା ଦେଇଥିଲେ।ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବ୍ଲକର ଗ୍ରାମାଞ୍ଚଳରେ ଥିବା ତାଲିମପ୍ରାପ୍ତ ଗ୍ରାମୀଣ ଯୁବକ ଯୁବତୀଙ୍କ ମଧ୍ୟରେ ସଚେତନତା ଓ ନିଯୁକ୍ତି ସୁଯୋଗ ପାଇଁ ଜନ ପ୍ରତିନିଧି ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ମଞ୍ଚସିନ ଅତିଥିମାନେ ମତ ବ୍ୟକ୍ତ କରି ସହଯୋଗ ଲୋଡିଥିଲେ।ଏହି ବୈଠକରେ ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଜନ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ