ଗୋପାଳପୁର ଠାରୁ ସମ୍ବଲପୁର ରେଳପଥ ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୫ଶହ କୋଟ ଅର୍ଥ ବ୍ୟୟ ବରାଦ – ବିଜେପିର ଦାବୀ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗୋପାଳପୁର ଠାରୁ ସମ୍ବଲପୁର ଭାୟା ହିଂଜିଳିକାଟୁ, ଭଂଜନଗର, ଫୁଲବାଣୀ ରେଳପଥ ନିର୍ମାଣ ସକାଶେ ବହୁ ବର୍ଷ ଧରି ବିଭିନ୍ନ ଫୋରମ୍ ପକ୍ଷରୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ହୋଇ ଆସୁଥିଲା । ଗତ ୨୦୧୯-୨୦ ମସିହାରେ ନୀତି ଆୟୋଗ ପକ୍ଷରୁ ମଂଜୁରୀ ଲାଭ କରିବା ପରେ ପିଙ୍କ୍ ବୁକ୍ରେ ସ୍ଥାନ ପାଇବା ସହ ୨୯୫୭ କୋଟି ଟଙ୍କା ଅଟକଳକୁ ଗତ ବଜେଟରେ ଟୋକନ ଅର୍ଥ ଭାବେ ୧୦ଲକ୍ଷ ଟଙ୍କା ମଂଜୁର ହୋଇଥିଲା । ଉକ୍ତ ରେଳପଥର ସର୍ଭେ ଗତ ନଭେମ୍ବର ଓ ଡ଼ିସେମ୍ବର ମାସରେ ଆକାଶ ମାର୍ଗରୁ ହେଲିକେପ୍ଟର ଓ ଡ଼୍ରୋନ କ୍ୟାମେରା ମାଧ୍ୟମରେ ସମ୍ପର୍ଣ୍ଣ ହୋଇଛି । ପ୍ରକାଶ ଥାଉକି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଓରିଡ଼ଲ ମାଧ୍ୟମରେ ପୂର୍ବରୁ ଏଥି ନେଇ ଚୁଡ଼ାନ୍ତ ସର୍ଭେ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସୂଚନାଯୋଗ୍ୟ ଯେ, ଗଂଜାମ ଜିଲ୍ଲା ବ୍ରହ୍ମପୁରର ଜଗନ୍ନାଥପୁର ଠାରୁ ସମ୍ବଲପୁର ଜିଲ୍ଲାର ରେଢାଖୋଲ ପର୍ଯ୍ୟନ୍ତ ମୋଟ ୨୪୦କିଲୋମିଟର ଦୂରତା ଅଟେ । ଉକ୍ତ ରେଳପଥ ନିର୍ମାଣ ପାଇଁ ଆସନ୍ତା ସାଧାରଣ ବଜେଟ ୨୦୨୧-୨୨ ରେପ୍ରଥମ ପର୍ଯ୍ୟାୟରେ ଅନୁନ୍ୟ ୫ଶହ କୋଟ ଟଙ୍କା ମଂଜୁର କରିବା ପାଇଁ ହିଞ୍ଜିଳି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ବିଜେପି ଉପସଭାପତି ଦେବାନନ୍ଦ ମହାପାତ୍ର ରୋଳମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଚିଠି ଲେଖି ଜଣାଇଛନ୍ତି । ସଂପୃକ୍ତ ରେଳପଥ ନିର୍ମାଣ ହେଲେ ଦକ୍ଷିଣ ଓଡ଼ିଶା – ପଶ୍ଚିମ ଓଡ଼ିଶାର ସିଧାସଳଖ ଯୋଗାଯୋଗ ହୋଇପାରିବା ସହ ପରିବହନ କ୍ଷେତ୍ର, ପର୍ଯ୍ୟଟନ, ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି ଇତ୍ୟାଦିର ଉଲ୍ଲେଖନୀୟ ବିକାଶ ହେବା ସହ ୪ଟି ଜିଲ୍ଲା ଯଥା ଗଂଜାମ, କନ୍ଧମାଳ, ବୌଦ୍ଧ ଓ ସମ୍ବଲପୁର ଜିଲ୍ଲାବାସୀଙ୍କ ଅର୍ଥନୈତିକ ବିକାଶ ହୋଇପାରିବ । ଶନିବାର ପୂର୍ବତନ ରାଜ୍ୟ ବିଜେପି ଉପସଭାପତି ଶ୍ରୀ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କୁ ସାକ୍ଷାତ କରି ଏକ ଦାବି ପତ୍ର ପ୍ରଦାନ କରିଥିଲେ । ଏହାର ଏକାକିତା ନକଲ ପତ୍ର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କନ୍ଧମାଳ ଲୋକସଭା ସାଂସଦ ଡ଼ଃ. ଅଚ୍ୟୁତ ସାମନ୍ତ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଆସିକା ସାଂସଦ ପ୍ରମିଳା ବିଷୋୟୀଙ୍କୁ ପ୍ରେରଣ କରାଯାଇଥିବା ମହାପାତ୍ର କହିଛନ୍ତି । ଉକ୍ତ ପ୍ରତିନିଧି ମଣ୍ଡଳରେ କଂଚୁରୁ ବିଜେପି ମଣ୍ଡଳ ସଭାପତି ରାମକୃଷ୍ଣ ମହାନ୍ତି, ଗଣ୍ଡଳା ମଣ୍ଡଳ ବିଜେପି ସଭାପତି ଉମାକାନ୍ତ ପାଢି, ସିକିରି ମଣ୍ଡଳ ସଭାନେତ୍ରୀ ରଶ୍ମିତା ବେହେରା, ପଛୁଆବର୍ଗ ସଭାପତି ସିମାଂଚଳ ନାହାକ, ବାସୁଦେବ ପଣ୍ଡିତ, ସିମାଂଚଳ ଖୁଂଟିଆ ପ୍ରମୁଖ ଉପସ୍ଥିତ ଥିଲେ ।